୭ ଚୋର ପାଇଁ ୧୬୦୦ଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଗତି ମଇଦାନରେ ଗତକାଲି ସ୍ପଷ୍ଟ ଦିବାଲୋକରେ ହୋଇଥିବା ଏକ ଚୋରି ଘଟଣାରେ ଚୋରମାନଙ୍କୁ ଧରିବା ପାଇଁ ଦିଲ୍ଲୀ ପୁଲିସ ବ୍ୟାପକ ଚଢ଼ଉ କରିଛି। ଦିବାଲୋକରେ ୫ ଜଣ ଲୋକ ଆସି ବନ୍ଧୁକ ମୁନରେ ୨ଜଣ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଏନେଇ ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଦିଲ୍ଲୀର ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠିବାରୁ ଦିଲ୍ଲୀ ପୁଲିସ ଏହାପରେ ବ୍ୟାପକ ଚଢ଼ଉ ଆରମ୍ଭ କଲା। ରାତିସାରା ପୁଲିସ ପାଟ୍ରୋଲିଂ କରିବା ସହ ୧୬୦୦ ଲୋକଙ୍କୁ ହାଜତକୁ ନେବା ସହ ୨ ହଜାର ଗାଡ଼ି ଜବତ କରିଛି। ପରିଶେଷରେ ଦିଲ୍ଲୀ ପୁଲିସ ଅସଲ ୭ ଜଣ ଚୋରଙ୍କୁ ଧରିଛି।

ପଟେଲ ସାଜନ କୁମାର ନାମକ ଜଣେ ଡେଲିଭରି ଏଜେଣ୍ଟ ଏବଂ ତାଙ୍କ ସହଯୋଗୀ ଜିଗର ପଟେଲ ଗୁରୁଗ୍ରାମକୁ ଏକ କ୍ୟାବ୍‌ରେ ଯାଉଥିବା ବେଳେ ପ୍ରଗତି ମଇଦାନରେ ୪ ଜଣ ବ୍ୟକ୍ତି ବାଇକ୍‌ରେ ଆସି ସେମାନଙ୍କ ରାସ୍ତା ଅବରୋଧ କରିଥି‌ଲେ। ବାଇକ ପଛରେ ବସିଥିବା ୨ ଜଣ ବ୍ୟକ୍ତି ବାଇକରୁ ଓହ୍ଲାଇ ପିସ୍ତଲ କାଢ଼ିଥିଲେ। ଜଣେ ଡ୍ରାଇଭର୍‌ଙ୍କ ସିଟ୍‌ ନିକଟକୁ ଯାଇଥିଲା ଏବଂ ଅନ୍ୟ ଜଣେ ପଛ ‌ଡୋର୍‌ ଖୋଲି ଟଙ୍କା ବ୍ୟାଗ୍‌ ନେଇ ଯାଇଥିଲା। ଉଭୟ ଏହାପରେ ବାଇକ୍‌ ପଛରେ ବସି ପଳାଇଥିଲେ। ତେବେ ଦିଲ୍ଲୀରେ ବ୍ୟସ୍ତବହୁଳ ରାସ୍ତାରେ ଦିନବେଳା ଏଭଳି ଚୋରି ପାଇଁ ଆଇନ ଶୃଙ୍ଖଳା ସ୍ଥିତି ନେଇ ପ୍ରଶ୍ନ ଉଠିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଅନ୍ୟମାନେ ଦିଲ୍ଲୀ ପୁଲିସକୁ ଏଥିପାଇଁ କଡ଼ା ସମାଲୋଚନା କରିଛନ୍ତି। କେଜ୍ରିୱାଲ ମଧ୍ୟ ଏହି ଘଟଣା ନେଇ ଏଲ୍‌ଜିଙ୍କ ଇସ୍ତଫା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର