ଘର ସାମ୍ନାରେ ଅମିତାଭ ବଚ୍ଚନଙ୍କ ପ୍ରତିମୂର୍ତ୍ତି ସ୍ଥାପନ କଲେ ଭାରତୀୟ-ଆମେରିକୀୟ ପରିବାର

ୱାସିଂଟନ୍‌: ଆମେରିକାର ନ୍ୟୁଜର୍ସି ଅନ୍ତର୍ଗତ ଏଡିସନ୍‌ ନଗରୀରେ ଥିବା ସେମାନଙ୍କ ବାସଭବନରେ ଏକ ଭାରତୀୟ-ଆମେରିକୀୟ ପରିବାର ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରିଛନ୍ତି।

ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଉକ୍ତ ଭାରତୀୟ-ଅମେରିକୀୟ ପରିବାର ରିଙ୍କୁ ଓ ଗୋପୀ ସେଠଙ୍କ ବାସଭବନ ଆଗରେ ପ୍ରାୟ ୬୦୦ ଜନତା ସମବେତ ହୋଇଥିଲେ। ଉଲ୍ଲେଖଯୋଗ୍ୟ ସଂଖ୍ୟକ ଭାରତୀୟ-ଆମେରିକୀୟ ବସବାସ କରୁଥିବାରୁ ଏଡିସନ୍‌ ନଗରୀକୁ ‘ଲିଟ୍‌ଲ୍‌ ଇଣ୍ଡିଆ’ ବା ‘କ୍ଷୁଦ୍ର ଭାରତ’ ବୋଲି କୁହାଯାଏ। ପ୍ରଖ୍ୟାତ କମ୍ୟୁନିଟି ନେତା ଆଲବର୍ଟ ଜସାନି ଉକ୍ତ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଆତସବାଜି ପ୍ରଦର୍ଶନ କରାଯିବା ସହ ସୁପରଷ୍ଟାର୍‌ ଅମିତାଭଙ୍କ ଫ୍ୟାନ୍‌ କ୍ଲବ୍‌ର ସଦସ୍ୟମାନେ ନୃତ୍ୟ ପରିବେଶଣ କରିଥିଲେ।

Image Courtesy of Newsdrum

ଅମିତାଭଙ୍କ ପ୍ରକୃତ ଉଚ୍ଚତା ସହ ସମକକ୍ଷ ତାଙ୍କ ପ୍ରତିମୂର୍ତ୍ତିକୁ ଗୋଟାଏ ବିରାଟ କାଚ ବାକ୍ସ ମଧ୍ୟରେ ସ୍ଥାପନା କରାଯାଇଛି। ଇଣ୍ଟର୍‌ନେଟ୍‌ ସିକ୍ୟୁରିଟି ଇଞ୍ଜିନିୟର୍‌ ଗୋପୀ ସେଠ୍‌ କହନ୍ତି, ମୋ ପାଇଁ ଓ ମୋ ପତ୍ନୀଙ୍କ ପାଇଁ ଅମିତାଭ ଈଶ୍ବରଙ୍କ ଅପେକ୍ଷା କୌଣସି ଗୁଣରେ କମ୍‌ ନୁହନ୍ତି। ବଡ଼ କଥା ହେଲା କେବଳ ତାଙ୍କ ଅଭିନୀତ ଚଳଚ୍ଚିତ୍ର ନୁହେଁ, ତାଙ୍କର ବାସ୍ତବ ଜୀବନଧାରା ମଧ୍ୟ ମୋତେ ପ୍ରେରିତ କରେ। ସର୍ବସାଧାରଣରେ ସେ କିଭଳି ଚଳନ୍ତି, କେମିତି ଭାବ ବିନିମୟ କରନ୍ତି; ଏ ସବୁଦ୍ବାରା ବି ମୁଁ ଉଦ୍‌ବୁଦ୍ଧ। ସେ ଖୁବ୍‌ ବିନୟୀ। ସେ ତାଙ୍କ ପ୍ରଶଂସକମାନଙ୍କୁ ସମ୍ମାନ ଦିଅନ୍ତି। ସେ ଅନ୍ୟ ଅଭିନେତାଙ୍କ ପରି ନୁହନ୍ତି। ସେଥିପାଇଁ ମୋ ଘର ସାମ୍ନାରେ ତାଙ୍କ ପ୍ରତିମୂର୍ତ୍ତି ରଖିବାକୁ ଚିନ୍ତାକଲି।

ବଚ୍ଚନ ମଧ୍ୟ ଉକ୍ତ ପ୍ରତିମୂର୍ତ୍ତି କଥା ଜାଣିଛନ୍ତି ବୋଲି ସେଠ୍‌ କହିଛନ୍ତି। ପ୍ରତିମୂର୍ତ୍ତି ପାଇଁ ଭାରତୀୟ ମୁଦ୍ରା ହିସାବରେ ସେଠ୍‌ଙ୍କୁ ୬୦ ଲକ୍ଷ ଟଙ୍କା ବ୍ୟୟ କରିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର