ଭାରତ ମାତା କି ଜୟ କହିବାକୁ ଖଡଗେଙ୍କୁ ଅନୁମତି ମାଗିଲେ କଂଗ୍ରେସ ବିଧାୟକ

ବାଙ୍ଗାଲୋର : କଂଗ୍ରେସ ବିଧାୟକ ଲକ୍ଷ୍ମଣ ସାବଦିଙ୍କୁ ନେଇ ବିବାଦ ସୃଷ୍ଟି ହୋଇଛି । ସେ ଚଳିତ ସପ୍ତାହରେ ଭାରତ ମାତା କି ଜୟ ସ୍ଲୋଗାନ ଦେବା ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେଙ୍କ ଠାରୁ ‘ମଞ୍ଜୁରୀ’ ମାଗିବା ପରେ ଏହି ବିବାଦ ଦେଖାଦେଇଛି । ଲୋକସଭା ନିର୍ବାଚନର କିଛି ଦିନ ପୂର୍ବରୁ କର୍ଣ୍ଣାଟକର କଲବୁର୍ଗି ଅଞ୍ଚଳରେ ଏକ ନିର୍ବାଚନୀ ରାଲି ବେଳେ ଏହି ଘଟଣା ଘଟିଛି।

ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ସାବଦି ବିଜେପି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଏକ ଭିଡିଓରେ କଂଗ୍ରେସ ବିଧାୟକ କହୁଥିବା ଶୁଣିବାକୁ ମିଳୁଛି, “ମୁଁ ଆଶା କରୁଛି ଖଡଗେ ସାହେବ ଏହାକୁ ଭୁଲ ଭାବେ ବୁଝିବେ ନାହିଁ। ମୁଁ ଆପଣ ସମସ୍ତଙ୍କୁ ଏହା କହିବାକୁ ଚାହୁଁଛି । ମୁଁ ‘ବୋଲୋ ଭାରତ ମାତା କି ଜୟ’ କହିବି ଏବଂ ଆପଣମାନେ ସମସ୍ତେ ଏହାକୁ ମୋ ପଛରେ ଦୃଢ଼ ଭାବରେ ଦୋହରାଇବାକୁ ପଡ଼ିବ।

ଏହି ଭିଡିଓକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଛି । କର୍ଣ୍ଣାଟକ ବିଜେପି ମୁଖ୍ୟ ବି ୱାଇ ବିଜୟେନ୍ଦ୍ର ଏହାକୁ ଅତ୍ୟନ୍ତ ଦୟନୀୟ ଓ ବିପଜ୍ଜନକ ବୋଲି କହିଛନ୍ତି। ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଏପ୍ରିଲ ୨୬ ଓ ମେ ୭ତାରିଖରେ ଲୋକସଭା ନିର୍ବାଚନର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ହେବ। ଦେଶପ୍ରେମ ପ୍ରକାଶ କରି ଭାରତ ମାତା କି ଜୟ ସ୍ଲୋଗାନ ଦେବାକୁ ଚେଷ୍ଟା କରୁଥିବା ଜଣେ କଂଗ୍ରେସ ନେତା ନିଜକୁ ଦୋଷୀ ମନେ କରିବା କ’ଣ ଅତ୍ୟନ୍ତ ଦୟନୀୟ ଓ ବିପଜ୍ଜନକ ନୁହେଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

 

ସମ୍ବନ୍ଧିତ ଖବର