କଂଗ୍ରେସ ପାଇଁ ଅଡ଼ୁଆ: ଆସାମ ‘ଭାରତ ଯୋଡ଼ୋ’ ଯାତ୍ରାରେ ଅନେକ ଦଳୀୟ ନେତା ଅନୁପସ୍ଥିତ

ଗୁଆହାଟୀ : କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରାର ଆସାମ ସଂସ୍କରଣକୁ ମାସେ ପୂରିଲା। ଧୁବ୍ରି ଜିଲ୍ଲାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୮୩୪ କିମି କଭର କରିବ ଓ ଡିସେମ୍ବର ମଧ୍ୟଭାଗରେ ସାଦିୟାଠାରେ ଶେଷ ହେବ। ନଭେମ୍ବର ପହିଲାରେ ଭାରତ-ବାଂଲାଦେଶ ସୀମାନ୍ତ ଧୁବ୍ରି ଜିଲ୍ଲାର ଗୋଲକଗଞ୍ଜଠାରୁ ରାଜ୍ୟ ନେତାମାନେ ଏହି ଯାତ୍ରା ଆରମ୍ଭ କରିଥିଲେ।

ତେବେ ପ୍ରଶ୍ନ ଉଠୁଛି, ଯେଉଁ କଂଗ୍ରେସ ଦଳ ରାଜ୍ୟରେ ଦିନକୁ ଦିନ କ୍ଷୟପ୍ରାପ୍ତ ହେବାରେ ଲାଗିଛି, ଏହି ଭାରତ ଯୋଡ଼ୋ ଯାତ୍ରା କ’ଣ ସେହି ଦଳର କର୍ମୀଙ୍କୁ ସାଧାରଣ ଜନତାଙ୍କ ସହ ଯୋଡ଼ିପାରିବ?

ଯାତ୍ରା ଆରମ୍ଭ ହେବା ପୂର୍ବରୁ ଦଳର ତୃଣମୂଳ ସ୍ତରର କର୍ମୀଙ୍କ ମଧ୍ୟରେ କୌଣସି ଉତ୍ସାହ ଦେଖିବାକୁ ମିଳି ନ ଥିଲା। ଦଳୀୟ କ୍ୟାଡରମାନଙ୍କ ଭିତରେ ଯାତ୍ରାକୁ ନେଇ ସନ୍ଦେହ ଦେଖାଦେଇଥିଲା ଏବଂ ଦଳର ରାଜ୍ୟ ଶାଖା ସେମାନଙ୍କୁ ପ୍ରଚୋଦିତ କରିବାରେ ବିଫଳ ହୋଇଥିଲା।

ଯଦିଚ କେତେକ ସ୍ଥାନରେ ଯାତ୍ରାରେ ଅଧିକ ଲୋକ ସାମିଲ ହେବାର ଦେଖାଯାଇଥିଲା, ତଥାପି ଆଗାମୀ ନିର୍ବାଚନରେ ବିଜେପି ବିରୋଧରେ ଲଢ଼ିବା ପାଇଁ ଦଳ ଯେତିକି ସମର୍ଥନ ଆଶା କରୁଥିଲା ତାହା ପାଇନାହିଁ। ସବୁଠାରୁ ବିଡ଼ମ୍ବନାର ବିଷୟ ହେଉଛି , ଅନେକ ଦଳୀୟ ନେତା ଅଭିଯାନଠାରୁ ନିଜକୁ ଦୂରେଇ ରଖିଛନ୍ତି। ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା ଏହି ସତ୍ୟକୁ ସ୍ବୀକାର କରିଛନ୍ତି। ସେ କହିଛନ୍ତି: ଆମେ ଲକ୍ଷ୍ୟ କରିଛୁ ଯେ ବହୁ ଦଳୀୟ କର୍ମୀ ଓ ନେତା ଯାତ୍ରାରେ ଯୋଗ ଦେଇ ନାହାନ୍ତି। ଅତି କମ୍‌ରେ ୩୦ ପ୍ରତିଶତ ନେତା ଯାତ୍ରାରୁ ଦୂରେଇ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅନେକ ବରିଷ୍ଠ ନେତା ଓ ବିଧାୟକ। ଦଳ ଭିତରେ ଏହା ଏକ ଅସ୍ବସ୍ତିକର ପରିସ୍ଥିତି ସୃଷ୍ଟି କରିଛି। ଯେତେବେଳେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ଅଲୱାର ରାଜ୍ୟକୁ ଆସୁଛନ୍ତି, କେବଳ ସେତିକି ବେଳେ ଅନେକ ଦଳୀୟ କର୍ମୀ ବୈଠକରେ ଯୋଗ ଦେଉଛନ୍ତି।

ସମ୍ପ୍ରତି କଂଗ୍ରେସ ସାଧାରଣ ସମ୍ପ‌ାଦକ ତଥା ଆସାମ ପ୍ରଭାରୀ ଅଲୱାର କେଉଁ ନେତାମାନେ ଯାତ୍ରାରେ ଯୋଗ ଦେଇନାହାନ୍ତି ସେମାନଙ୍କର ଏକ ତାଲିକା କରିବାକୁ ରାଜ୍ୟ କଂଗ୍ରେସ ସଭାପତି ବୋରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନେତାମାନଙ୍କ ବିରୋଧରେ ହୁଏତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କୁହାଯାଉଛି।

ଏ ପରିସ୍ଥିତିରେ ବିଜେପି ଖୁସି ବ୍ୟକ୍ତ କରିବା ସହ ଦାବି କରିଛି ଯେ ରାଜ୍ୟର ଅନେକ କଂଗ୍ରେସ ନେତା ବିଜେପିରେ ଯୋଗ ଦେବା ପାଇଁ ଗୋଡ଼ ଟେକି ବସିଛନ୍ତି।

ସମ୍ବନ୍ଧିତ ଖବର