ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସିର ଡକ୍ୟୁମେଣ୍ଟାରି ଏବଂ ୨୦୦୨ ଗୁଜରାଟ ଦଙ୍ଗା ସହ ଜଡ଼ିତ ଅଭିଯୋଗକୁ ଭାରତରେ ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ କରାଯାଇଥିବା ଆବେଦନକୁ ଆଜି (ଶୁକ୍ରବାର) ସୁପ୍ରିମ୍କୋର୍ଟ ଖାରଜ କରି ଦେଇଛନ୍ତି।
ଭାରତରେ ବ୍ରିଟେନର ଜାତୀୟ ପ୍ରସାରଣ ସଂସ୍ଥା (ବିବିସି) ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ହିନ୍ଦୁ ସେନା ମୁଖ୍ୟ ବିଷ୍ଣୁ ଗୁପ୍ତାଙ୍କ ଦ୍ୱାରା ଆଗତ ଏହି ଆବେଦନକୁ ଖାରଜ କରି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି, ‘ଏକ ଡକ୍ୟୁମେଣ୍ଟାରି ଦେଶକୁ କିପରି ପ୍ରଭାବିତ କରିପାରିବ’? ‘ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଏପରି ଯୁକ୍ତି କିପରି କରାଯାଇ ପାରିବ? ଆପଣ ଚାହୁଁଛନ୍ତି ଆମେ ସମ୍ପୂର୍ଣ୍ଣ ସେନ୍ସରସିପ୍ ଲଗାଇବା? ଏହା କ’ଣ?’ ବୋଲି ଦୁଇ ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପିଙ୍କି ଆନନ୍ଦ ସୁପ୍ରିମ୍କୋର୍ଟର ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ ଯେ ବିବିସି ଜାଣିଶୁଣି ଭାରତର ଭାବମୂର୍ତ୍ତିକୁ ଖରାପ କରୁଛି। ଏହି ଡକ୍ୟୁମେଣ୍ଟାରି ପଛରେ ଥିବା ଷଡ୍ଯନ୍ତ୍ରର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଦ୍ୱାରା କରାଯାଉ। କାରଣ, ଏହି ଡକ୍ୟୁମେଣ୍ଟାରି ଭାରତ ଏବଂ ଏହାର ପ୍ରଧାନମନ୍ତ୍ରୀଙ୍କ ବିଶ୍ୱସ୍ତରରେ ହେଉଥିବା ଉତ୍ଥାନ ବିରୋଧରେ ଏକ ଗଭୀର ଷଡ଼ଯନ୍ତ୍ରର ପରିଣାମ ବୋଲି ଆଇନଜୀବୀ ପିଙ୍କି ଆନନ୍ଦ କହିଥିଲେ।
ଆଇନଜୀବୀ ପିଙ୍କି ଆନନ୍ଦଙ୍କ ଯୁକ୍ତି ଶୁଣିବା ପରେ ଖଣ୍ଡପୀଠର ବିଚାରପତିମାନେ କହିଥିଲେ, ‘ଆସନ୍ତୁ ଆଉ ସମୟ ନଷ୍ଟ କରିବା ନାହିଁ। ଆଗତ ରିଟ୍ ପିଟିସନ ସମ୍ପୂର୍ଣ୍ଣ ଭୁଲ ଧାରଣା ଉପରେ ଆଧାରିତ ଏବଂ ଏହାର କୌଣସି ଯୋଗ୍ୟତା ନାହିଁ। ତେଣୁ ଏହାକୁ ଖାରଜ କରି ଦିଆଯାଉଛି’।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିବିସିର ଦୁଇ ଭାଗ ବିଶିଷ୍ଟ ଏହି ବିବାଦୀୟ ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦ ମୋଦୀ କ୍ୱେଶ୍ଚେନ୍’କୁ ଗତ ମାସରେ ସାର୍ବଜନୀନ ପ୍ଲାଟଫର୍ମରୁ ହଟାଇ ଦିଆଯାଇଥିଲା। ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମ, ୨୦୨୧ ଅନୁଯାୟୀ ଜରୁରୀକାଳୀନ କ୍ଷମତା ବ୍ୟବହାର କରି କେନ୍ଦ୍ର ସରକାର ଗତ ଜାନୁଆରି ୨୧ ତାରିଖରେ ଏହି ବିବାଦୀୟ ଡକ୍ୟୁମେଣ୍ଟାରିର ଲିଙ୍କ ସେୟାର କରୁଥିବା ଏକାଧିକ ୟୁଟ୍ୟୁବ୍ ଭିଡିଓ ଏବଂ ଟ୍ଵିଟର ପୋଷ୍ଟକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ।