ଗୁଜରାଟ ବିଧାନସଭା ନିର୍ବାଚନ: କଂଗ୍ରେସ ଗଡ଼ରେ ମୋଦୀଙ୍କ ରାଲି

କ୍ଷମତାକୁ ଫେରିବାପାଇଁ ‘ଭାରତ ଯୋଡ଼ୋ ଯାତ୍ରା’

ଅହମଦାବାଦ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ଅଳ୍ପଦିନ ବାକିଥିବାବେଳେ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଗୁଜରାଟରେ ପ୍ରଚାର କାର୍ଯ୍ୟରେ ଲିପ୍ତ ଅଛନ୍ତି। ମୋଦୀ ସୋମବାର ଦିନ ଗୁଜରାଟରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ଭାରତ ଯୋଡ଼ୋ ଯାତ୍ରା’କୁ କଟାକ୍ଷ କରିଛନ୍ତି। ମୋଦୀ କହିଛନ୍ତି, ଯେଉଁମାନଙ୍କୁ କ୍ଷମତାରୁ ହଟାଇ ଦିଆଯାଇଛି ସେମାନେ କ୍ଷମତାକୁ ଫେରିବାପାଇଁ ଏବେ ଯାତ୍ରା କରୁଛନ୍ତି।

ସୁରେନ୍ଦ୍ରନଗରରେ ଏକ ରାଲିରେ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ଦେଶର ୮୦ ପ୍ରତିଶତ ଲୁଣ ଗୁଜରାଟରେ ପ୍ରସ୍ତୁତ ହେଉଛି। ରାଜ୍ୟରେ ପ୍ରସ୍ତୁତ ହେଉଥିବା ଲୁଣ ଖାଇ ମଧ୍ୟ କିଛି ଲୋକ ରାଜ୍ୟକୁ ଅପମାନିତ କରିଛନ୍ତି। ରାହୁଲଙ୍କ ନାମ ନନେଇ ମୋଦୀ କହିଛନ୍ତି, ଭାରତ ଯୋଡ଼ୋ ଯାତ୍ରା ଏକ ପଦଯାତ୍ରା ନୁ‌‌ହେଁ, ବରଂ କ୍ଷମତା ପାଇଁ ଏହି ଯାତ୍ରା ହେଉଛି। ଅନେକ ଦିନ ତଳୁ ଯେଉଁମାନଙ୍କୁ କ୍ଷମତାରୁ ହଟାଯାଇଛି ସେ‌ମାନେ କ୍ଷମତାକୁ ଫେରିବାପାଇଁ ଯାତ୍ରା କରୁଛନ୍ତି। କିନ୍ତୁ ସେମାନେ ୪୦ ବର୍ଷ ଧରି ନର୍ମଦା ଡ୍ୟାମ୍‌ ପ୍ରକଳ୍ପକୁ ଅଟକାଇଥିବା ବ୍ୟକ୍ତିଙ୍କ ସହ ଚାଲିଛନ୍ତି। ମେଧା ପାଟକର ନିକଟରେ ରାହୁଲ ଗାନ୍ଧିଙ୍କ ସହ ଭାରତ ଯୋଡ଼ୋ ଯାତ୍ରାରେ ଯୋଗ ଦେବାକୁ କଟାକ୍ଷ କରି ମୋଦୀ ଏହି ଟିପ୍ପଣୀ ଦେଇଛନ୍ତି। ମେଧା ପାଟକର ନର୍ମଦା ବଚାଓ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ମୋଦୀ କହିଛନ୍ତି, ଯେଉଁ ଲୋକମାନେ ୪୦ ବର୍ଷ ଧରି ନର୍ମଦା ଡ୍ୟାମ୍‌ ପ୍ରକଳ୍ପକୁ ଅଟକାଇଥିଲେ ଗୁଜରାଟର ଲୋକ ସେମାନଙ୍କୁ ଦଣ୍ଡ ଦେବାପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ମୋଦୀ ସୋମବାର ଦିନ ସୁରେନ୍ଦ୍ରନଗରରେ ଯେଉଁ ସ୍ଥାନରେ ରାଲି କରିଛନ୍ତି ତାହା ହେଉଛି କଂଗ୍ରେସ ଗଡ଼। ମୋଦୀ କଂଗ୍ରେସ ଗଡ଼‌ରେ ରାଲି କରି କଂଗ୍ରେସ ବିରୋଧରେ ବର୍ଷିଛନ୍ତି। ସୁରେନ୍ଦ୍ରନଗରରେ ଦୀର୍ଘ ବର୍ଷ ଧରି କଂଗ୍ରେସ ରହି ଆସିଛି। ମୋଦୀ କହିଛନ୍ତି, କଂଗ୍ରେସ ସୁରେନ୍ଦ୍ରନଗର ଲୋକଙ୍କୁ ଦୀର୍ଘ ୪୦ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳରୁ ବଞ୍ଚିତ କରିଛି।

ସମ୍ବନ୍ଧିତ ଖବର