‘ଓସା’ ସମ୍ମିଳନୀରେ ଓଡ଼ିଆ ପୁସ୍ତକ ପ୍ରଦର୍ଶନୀ

ଚିକାଗୋ: ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କ ପକ୍ଷରୁ ଆୟୋଜିତ ହେବାକୁ ଥିବା ଆଗାମୀ ୫୪ ତମ ‘ଓସା’ ସମ୍ମିଳନୀରେ ଓଡ଼ିଆ ବହିର ଏକ ବିଶାଳ ପ୍ରଦର୍ଶନୀ ଆୟୋଜନ କରିଛି ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ବ୍ଲାକ୍‌ ଇଗଲ ବୁକ୍ସ। ପ୍ରବାସରେ ରହୁଥିବା ଓଡ଼ିଆମାନଙ୍କୁ ନିଜର ମାତୃଭାଷା ଓ ମାତୃଭାଷାରେ ପ୍ରକାଶ ପାଉଥିବା ପୁସ୍ତକ ସହ ଯୋଡ଼ି ରଖିବା ଲକ୍ଷ୍ୟନେଇ ବ୍ଲାକ୍‌ ଇଗଲ ବୁକ୍ସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପୁସ୍ତକ ପ୍ରଦର୍ଶନୀରେ ବ୍ଲାକ୍‌ ଇଗଲ ବୁକ୍ସ ଦ୍ୱାରା ପ୍ରକାଶିତ ୩୮୫ଟି ପୁସ୍ତକ ବ୍ୟତୀତ ଅନ୍ୟ ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ପ୍ରାୟ ୨୦୦ରୁ ଅଧିକ ପୁସ୍ତକ ପ୍ରଦର୍ଶିତ ହେବ। ପ୍ରବାସୀ ଓଡିଆମାନଙ୍କୁ ସେମାନଙ୍କ ହାତ ପାଆନ୍ତାରେ ଓଡ଼ିଆ ବହିର ଏକ ବଡ଼ ସମ୍ଭାର ସହିତ ପରିଚିତ କରାଇ ଦେବା ଲକ୍ଷ୍ୟରେ ଏହି ପ୍ରଦର୍ଶନୀର ଆୟୋଜନ କରାଯାଇଛି ବୋଲି ପ୍ରଦର୍ଶନୀର ଉଦ୍ୟୋକ୍ତା କହିଛିନ୍ତି।

ତେବେ, ପ୍ରଦର୍ଶନୀରେ କୌଣସି ପ୍ରସ୍ତକ ସିଧାସଳଖ କ୍ରୟ କରିବା ପାଇଁ ଗ୍ରାହକମାନଙ୍କୁ ଉପଲବ୍ଧ ହେବ ନାହିଁ। ‘ପ୍ରଦର୍ଶନୀରେ ଆମେ ବହି ବିକ୍ରି କରିବୁ ନାହିଁ। ତେବେ ଯଦି କେହି ଆଗ୍ରହୀ ପାଠକ ରିହାତି ମୂଲ୍ୟରେ କୌଣସି ବହିର ଅଧିକ କପି କିଣିବାକୁ ଚାହିଁବେ; ତେବେ ସେମାନେ ଏକ ଅର୍ଡର ଫର୍ମ ପୂରଣ କରି ପ୍ରଦର୍ଶନୀର ଉଦ୍ୟେକ୍ତାଙ୍କ ସହ ସେୟାର କରିପାରିବେ। ଯାହାକୁ ପରବର୍ତ୍ତୀ ସମୟରେ ଆମାଜନ୍‌, ବାର୍ନେସ୍‌ ଏବଂ ନୋବେଲରୁ କ୍ରୟ କରି ସେମାନେ ଚାହୁଁଥିବା ପୁସ୍ତକକୁ ବ୍ଲାକ୍‌ ଇଗଲ ବୁକ୍ସ ପକ୍ଷରୁ ସେମାନଙ୍କୁ ଯୋଗାଇ ଦିଆଯିବ’ ବୋଲି କହିଛନ୍ତି ପ୍ରଦର୍ଶନୀର ଉଦ୍ୟୋକ୍ତା। ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ପୁସ୍ତକ ପ୍ରଦର୍ଶନୀ ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ରୁମ୍‌ ୱାଲନଟରେ ଚାଲିବ। ଏହି ପ୍ରଦର୍ଶନୀ ପରିଦର୍ଶନ କରିବାକୁ ଆମେରିକାରେ ରହୁଥିବା ବହୁ ସଂଖ୍ୟକ ପ୍ରବାସୀ ଓଡ଼ିଆ ଆସୁଛନ୍ତି।

ସମ୍ବନ୍ଧିତ ଖବର