ଆମେରିକାରେ ଟ୍ରକ ଡ୍ରାଇଭରଙ୍କ ରୋଜଗାର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ନ୍ୟୁୟର୍କ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି | ଆଉ ଏବେ ସେ ଏକ ଟ୍ରକରେ ୱାସିଂଟନରୁ ନ୍ୟୁୟର୍କ ପାଖାପାଖି ୧୯୦ କିଲୋମିଟର ଯାତ୍ରା କରିଛନ୍ତି | ଏହି ସମୟରେ ସେ ଟ୍ରକ ଡ୍ରାଇଭର ତେଜିନ୍ଦର ଗିଲଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ | ରାହୁଲ ଏହି ଆଲୋଚନା ସମୟର ଭିଡିଓ ମଧ୍ୟ ସେୟାର କରିଛନ୍ତି | ଆଲୋଚନା ସମୟରେ ରାହୁଲ ବିଦେଶରେ ଟ୍ରକ ଡ୍ରାଇଭର ଓ ଭାରତର ଟ୍ରକ ଡ୍ରାଇଭରଙ୍କ ସମସ୍ୟାକୁ ନେଇ କହିଥିଲେ | ତେବେ ଟ୍ରକରେ ଯାତ୍ରା ସମୟରେ ରାହୁଲ ଯେତେବେଳେ ତେଜିନ୍ଦରଙ୍କର ଦରମା ଜାଣିଥିଲେ ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ଭାରତରେ ଟ୍ରକ ଯାତ୍ରା କରିଥିଲେ |

ସେ ପଞ୍ଜାବରେ ଏକ ଟ୍ରକରେ ଯାତ୍ରା କରି ଟ୍ରକ ଡ୍ରାଇଭରଙ୍କର ବିଭିନ୍ନ ସମସ୍ୟା ବାବଦରେ ବୁଝିଥିଲେ | ଏଥର ଆମେରିକାରେ ମଧ୍ୟ ଟ୍ରକ ଡ୍ରାଇଭରଙ୍କ ପାଖରେ କ୍ୟାବିନରେ ବସି ଯାତ୍ରା କରିଥିଲେ | ଏହି ସମୟରେ ଡ୍ରାଇଭର ତେଜିନ୍ଦର ରାହୁଲଙ୍କୁ କହିଥିଲେ ଯେ ଏଠାରେ ଟ୍ରକରେ ବହୁତ ସୁରକ୍ଷା ବ୍ୟବସ୍ଥା ରହିଛି | କୌଣସି ପୁଲିସ କର୍ମଚାରୀ ହଇରାଣ କରନ୍ତି ନାହିଁ | ଅଧିକ ବେଗରେ ଟ୍ରକ ଚଳାଇଲେ ଚାଲାଣ କଟିଥାଏ | ଏହାପରେ ରାହୁଲ ପଚାରିଥିଲେ ଯେ ମାସକୁ କେତେ ଟଙ୍କା ରୋଜଗାର କରୁଛ | ଟ୍ରକ ଡ୍ରାଇଭର କହିଥିଲେ ଯେ ସେ ମାସକୁ ୪ରୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି | ଯଦି ଆଉ ଟିକେ ପରିଶ୍ରମ କରିବେ ତେବେ ମାସକୁ ୮ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରିପାରିବେ | ଯାହା ଶୁଣି ରାହୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ |

ସମ୍ବନ୍ଧିତ ଖବର