ଏବେ ହଟିବନି ଗହମ, ଚାଉଳ ଓ ଚିନି ରପ୍ତାନି ଉପରେ ଲାଗିଥିବା କଟକଣା

ନୂଆଦିଲ୍ଲୀ: ଗହମ, ଚାଉଳ ଓ ଚିନି ରପ୍ତାନି ଉପରେ ଲାଗିଥିବା କଟକଣା ହଟାଇବା ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ ବୋଲି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି। ପୁଣି ଗହମ ଓ ଚିନି ଆମଦାନୀ କରିବାକୁ ଭାରତର କୌଣସି ପ୍ରସ୍ତାବ ନାହିଁ ବୋଲି ସେ କହିଛନ୍ତି।

ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି। ଦେଶର ଖୁଚୁରା ମୁଦ୍ରାସ୍ଫୀତି ଏବେ ବି ଆରବିଆଇର ଲକ୍ଷ୍ୟ ଠାରୁ ଅଧିକ ରହିଛି। ଏଣୁ ନିର୍ବାଚନ ପୂର୍ବରୁ  ମୁଦ୍ରାସ୍ଫୀତି ହ୍ରାସ କରିବା ପାଇଁ ସରକାରଙ୍କ ପ୍ରୟାସ ବୋଲି କୁହାଯାଉଛି ।

ଘରୋଇ ସ୍ତରରେ ବୃଦ୍ଧି ପାଉଥିବା ଦରକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ୨୦୨୨ ମେ ମାସରେ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଥିଲା। ଏହାପରେ ୨୦୨୩ ଜୁଲାଇ ମାସରୁ ଅଣ-ବାସମତୀ ଚାଉଳ ରପ୍ତାନି ଉପରେ ମଧ୍ୟ କଟକଣା ଲଗାଯାଇଛି। ୨୦୨୩ ଅକ୍ଟୋବରରେ ଚିନି ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସରକାର ନିର୍ଦ୍ଦେଶ ନାମା ଜାରି କରିଥିଲେ। ଗହମ ଓ ଚିନି ଆମଦାନୀ ପାଇଁ କୌଣସି ଯୋଜନା ନାହିଁ ଏବଂ ଏହାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।”

ଗୋୟଲ କହିଛନ୍ତି ଯେ ଅଣ-ବାସମତି ଚାଉଳର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବା ସତ୍ତ୍ୱେ ଭାରତ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ସେମାନଙ୍କ ଖାଦ୍ୟ ସୁରକ୍ଷା ଆବଶ୍ୟକତା ପାଇଁ ଚାଉଳ ଯୋଗାଉଛି। ଭାରତ ଇଣ୍ଡୋନେସିଆ, ସେନେଗାଲ ଓ ଗାମ୍ବିଆ ଭଳି ଦେଶକୁ ଚାଉଳ ଯୋଗାଇ ଦେଇଛି।

ସମ୍ବନ୍ଧିତ ଖବର