ଇଟିକିଲି ମିଟିକିଲି ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନେଶ୍ବର: ଇଟିକିଲି ମିଟିକିଲି ଅନୁଷ୍ଠାନ ପକ୍ଷରୁ ପଠାଣି ସାମନ୍ତ ପ୍ଲା‌ନେଟାରିୟମ୍‌ରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରଥମରୁ ଚତୁର୍ଥ, ପଞ୍ଚମରୁ ଅଷ୍ଟମ ଏବଂ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କୁ ତିନୋଟି ବିଭାଗରେ ବିଭକ୍ତ କରାଯାଇ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ‘ଆଜାଦି କା ଅମୃତ ମହୋତ୍ସବ’ ବିଷୟବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଚିତ୍ରାଙ୍କନ କାର୍ଯ୍ୟକ୍ରମ ଶେଷ ହେବା ପରେ ଅଂଶଗ୍ରହଣ କରିଥିବା ସବୁ ପିଲାଙ୍କୁ ଅନୁଷ୍ଠାନ ପକ୍ଷରୁ ପ୍ଲାନେଟାରିୟମ୍‌ରେ ସ୍ବତନ୍ତ୍ର ସୋ’ ଦେଖିବାର ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ ଅନୁଷ୍ଠାନର ସଭାପତି ଦାଶ ବେନହୁର, ସଚିବ ଶରତ କୁମାର ନାୟକ, ଉପସଭାପତି ଚିତ୍ତ ମହାପାତ୍ର, ସହ ସଚିବ ଜୟପ୍ରକାଶ ମିଶ୍ର, ସାଂସ୍କୃତିକ ସଂପାଦିକା ଅନିତା ରଥ, ସଂଗଠନ ସଂପାଦକ ପ୍ରିୟଦର୍ଶୀ ଶୁଭକାନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଗାମୀ ଡିସେମ୍ବର ୨୪ରୁ ୨୭ତାରିଖ ପର୍ଯ୍ୟନ୍ତ ଉତ୍ସବର ଦ୍ବିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ଭୁବନେଶ୍ବରସ୍ଥିତ ରୟାଲ ହାୟର ସେକଣ୍ଡାରି ସ୍କୁଲ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜିର ଅଡିଟୋରିୟମ୍‌ଠାରେ ଅନୁଷ୍ଠିତ ହେବେ। ଏଥିରେ ବକ୍ତୃତା ପ୍ରତିଯୋଗିତା ମୁଁ ବି କହିପାରେ, ଓଡ଼ିଆ କବିତା ଆବୃତ୍ତି, ଓଡ଼ିଆ ସମ୍ବାଦପାଠ, କଣ୍ଠ ସଙ୍ଗୀତ, ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଭତ୍ତିକ ନୃତ୍ୟ ଓ ନୃତ୍ୟର ବିଶେଷ କାର୍ଯ୍ୟକ୍ରମ ନାଦମ୍ବିକା ଆଦି ପରିବେଷିତ ହେବ। ଶେଷ ପର୍ଯ୍ୟାୟରେ ଜୟଦେବ ଭବନଠାରେ ପୁରସ୍କାର ଓ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହେବ ବୋଲି ଅନୁଷ୍ଠାନର ସଚିବ ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର