ଖଣ୍ଡଗିରି : ରବିବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥରୁ କମିସନରେଟ୍‌ ପୁଲିସ ୨ଜଣ ଅସାମାଜିକ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଗଞ୍ଜାମ ଆସ୍କା ଟୁଲୁକା ରୋଡ୍‌ର ଚିଣ୍ଟୁ ଜେନା(୨୦) ଓ ଖୋର୍ଧା କୁମ୍ଭିଲର ସଞ୍ଜୟ ବଡ଼ଜେନା(୨୪)। ସେମାନଙ୍କଠାରୁ ପୁଲିସ ଏକ ସେମି ଅଟୋମେଟିକ୍‌ ମାଉଜର୍‌ ଓ ୭ ରାଉଣ୍ଡ ଗୁଳି ଜବତ କରିଛି। ଆଜି ଉଭୟଙ୍କୁ ‌କୋର୍ଟ ଚାଲାଣ କରାଯାଇଥିବା ବେଳେ ବିଭିନ୍ନ ଥାନାରୁ ସେମାନଙ୍କ ବାବଦରେ ରେକର୍ଡ ସଂଗ୍ରହ କରାଯାଉଛି ବୋଲି ପୁଲିସ ସୂଚନା ଦେଇଛି।

Advertisment

publive-image

ସୂଚନାନୁସାରେ ଗତକାଲି ରାତି ପ୍ରାୟ ସାଢ଼େ ୨ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ପୁରୁଣା ଟୋଲଗେଟ୍‌ ନିକଟରେ ସଞ୍ଜୟ ଓ ଚିଣ୍ଟୁ ଠିଆ ହୋଇଥିଲେ। ପାଟ୍ରୋଲିଂ କରୁଥିବା ଯାଁଳା ଫାଣ୍ଡି ପୁଲିସ ସେମାନଙ୍କୁ ଏତେ ରାତିରେ ସନ୍ଦେହଜନକ ଅବସ୍ଥ‌ାରେ ଦେଖି ପଚରାଉଚରା କରିଥିଲା। କଥାବାର୍ତ୍ତାରୁ ସନ୍ଦେହ କରି ପୁଲିସ ସେମାନଙ୍କୁ ଯାଞ୍ଚ କଲାବେଳେ ଚିଣ୍ଟୁଠାରୁ ମାଉଜର୍‌ ଓ ଗୁଳି ମିଳିଥିଲା। ଥାନାରେ ସେମାନଙ୍କୁ ଯେତେ ପଚରାଉଚରା କରାଯାଇଥିଲେ ବି ସେମାନେ ପୁଲିସକୁ କୌଣସି ଠିକ୍‌ ତଥ୍ୟ ଦେଇ ନଥିଲେ। ବାରମ୍ବାର କଥା ବଦଳାଇ ପୁଲିସକୁ ଭୁଅାଁ ବୁଲାଇବାକୁ ଚେଷ୍ଟା କରିଥିଲେ। ତେଣୁ ସେମାନେ ବନ୍ଧୁକ ବେପାରୀ କି ହାଇୱେ ଲୁଟେରା ପୁଲିସ ଜାଣିପାରି ନଥିଲା। ସେମାନେ ଖୋର୍ଧା ତାପଙ୍ଗ ଅଞ୍ଚଳର ମୁଗୁନି ପଥର ମାଫିଆଙ୍କ ପାଇଁ କାମ କରୁଥିବା ନେଇ କିଛି ତଥ୍ୟ ମିଳିଛି। ତେବେ ଦାମୀ ମାଉଜର୍‌ ବ୍ୟବହାର କରୁଥିବାରୁ ଏମାନେ ଏକ ବଡ଼ ଡକାୟତ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ପୁଲିସ ସୁରାକ୍‌ ପାଇଥିବା ଜଣାପଡ଼ିଛି। ତଦନ୍ତକାରୀ ଅଧିକାରୀଙ୍କ ସୂଚନାନୁସାରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ସେମାନଙ୍କ ଆପରାଧିକ ପୃଷ୍ଠଭୂମି ବାବଦରେ ଅଧିକ ସୂଚନା ପାଇବା ପାଇଁ ବିଭିନ୍ନ ଥାନା ସହ ଯୋଗାଯୋଗ ଚାଲିଛି।