ମୟୂରଭଞ୍ଜ ଡିଏମ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ହଡ଼ପ ମାମଲା: ମଧ୍ୟପ୍ରଦେଶରୁ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ୍‌

ଭୁବନେଶ୍ବର/ବାଲେଶ୍ୱର: ଚେକ୍‌ର ଅବିକଳ ନକଲ କରୁଥିଲେ। ଜାଲ୍‌ ସଂସ୍ଥା କରି ମ୍ୟୁଲ୍‌ ଆକାଉଣ୍ଟରେ କୋଟି କୋଟି ଟଙ୍କା ଚୂନ ଲଗାଉଥିଲେ। ଏହି ଉପାୟରେ ମୟୂରଭଂଜ ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌ଟି)ରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ହଡ଼ପ କରିଥିବା ଗ୍ୟାଙ୍ଗକୁ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଠାବ କରିଛି। ଗ୍ୟାଙ୍ଗର ଜଣେ ସଦସ୍ୟକୁ ମଧ୍ୟପ୍ରଦେଶରୁ ଗିରଫ କରାଯାଇଛି। ସେ ହେଲା ମଧ୍ୟପ୍ରଦେଶ ବାଲ୍‌ଘାଟ୍‌ ଜିଲ୍ଲା କିର୍‌ନାପୁର ଅଞ୍ଚଳର ପୋମେଶ୍‌ ତେମ୍ଭାରେ ଓରଫ ପୋମେଶ୍‌ ତେମ୍‌ରେ। ତା’ଠାରୁ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଗିରଫ ପରେ ତାକୁ ମଧ୍ୟପ୍ରଦେଶ ସିଜେଏମ୍‌ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଅଣାଯାଇଥିଲା। ଭୁବନେଶ୍ବରରେ ପହଞ୍ଚିବା ପରେ ତାକୁ ଜେରା କରାଯାଇ ବାଲେଶ୍ବର ଓପିଆଇଡି କୋର୍ଟରେ ହାଜର କରାଯାଇଛି। ଜାମିନ୍‌ ନାମଞ୍ଜୁର ହେବାରୁ ତା’କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅନ୍ୟପଟେ ଗ୍ୟାଙ୍ଗ୍‌ର ମାଷ୍ଟର ମାଇଣ୍ଡ ସମେତ ୧୦ରୁ ଅଧିକଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ସମ୍ପର୍କରେ ଅଧିକ ତଥ୍ୟ ହା‌ତେଇବା ପାଇଁ ଇଓଡବ୍ଲ୍ୟୁ ପୋମେଶକୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ ବାରିପଦା ଶାଖାରେ ମୟୂରଭଞ୍ଜ ଜିଲ୍ଲା ଖଣିଜ ପାଣ୍ଠିର ଆକାଉଣ୍ଟ ଅଛି।

ଏପ୍ରିଲ୍‌ ୧୦ ଓ ୧୮ରେ ଦୁଇଟି କମ୍ପାନି ନାମରେ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ୪ଟି ଚେକ୍ ଜରିଆରେ ଟ୍ରାନ୍‌ସଫର୍‌ ହୋଇଥିଲା। ଲହାକୁ ନେଇ ସନ୍ଦେହ ହେବାରୁ ବ୍ୟାଙ୍କର ଚିଫ୍ ମ୍ୟାନେଜର ସୁଜାତା କାନୁନ୍‌ଗୋ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ। ପରେ ଇଓଡବ୍ଲୁ ମାମଲା ଖୋଳତାଡ଼ କରିବା ବେଳେ ପିଟି କନ୍‌ଷ୍ଟ୍ରକସନ୍‌ସ ଆଣ୍ଡ ସପ୍ଲାୟାର ଓ ଏସ୍‌କେ ଏଣ୍ଟରପ୍ରାଇଜର୍ସ ନାମକ ଦୁଇଟି ସଂସ୍ଥାକୁ ଡିଏମ୍‌ଏଫ୍‌ ଅର୍ଥ ଯାଇଥିବା ଜାଣିବାକୁ ପାଇଥିଲା। ପିଟି କନ୍‌ଷ୍ଟ୍ରକସନ୍ସ ଆଣ୍ଡ ସପ୍ଲାୟାରର ମାଲିକ ପୋମେଶ ତେମ୍ଭାରେଙ୍କ ଆକାଉଣ୍ଟକୁ ୨ କୋଟି ୬୮ ଲକ୍ଷ ଟଙ୍କା ଆସିଥିବା ବେଳେ ରାୟପୁରରେ ଏହି କମ୍ପାନିକୁ ଠାବ କରି ପୋମେଶଙ୍କୁ ଗିରଫ କରିଛି ଇଓଡବ୍ଲୁ। ସେହିପରି, ଏସ୍‌କେ ଏଣ୍ଟରପ୍ରାଇଜର୍ସ ବାବଦରେ ଖୋଳତାଡ଼ ଚାଲିଛି। ଟ୍ରାନ୍ସଫର‌୍ ହୋଇଥିବା ୫ କୋଟି ୪ ଲକ୍ଷ ୬ ହଜାର ୯୦୦ ଟଙ୍କାକୁ ବ୍ଲକ୍‌ କରାଯାଇଛି ଓ ଏହି ଦୁଇଟି ସଂସ୍ଥାର ୩୩ଟି ଆକାଉଣ୍ଟରେ ଥିବା ୧୩ ଲକ୍ଷ ୫୬ ହଜାର ୯୪୮ ଟଙ୍କାକୁ ଫ୍ରିଜ୍‌ କରାଯାଇଛି। ଏହି ଠକ ଗ୍ୟାଙ୍ଗ ଛତିଶଗଡ଼, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ସକ୍ରିୟ ଥିବା ସୂଚନା ମିଳିଛି। ୪ ବର୍ଷ ଧରି ଏହି ଗ୍ୟାଙ୍ଗ ଜାଲ୍‌ କମ୍ପାନି ଖୋଲି ଅର୍ଥନୈତିକ ଅପରାଧରେ ସାମିଲ ଥିଲେ। ଗ୍ୟାଙ୍ଗର ଅନ୍ୟମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଜି(ଇଓଡବ୍ଲ୍ୟୁ) ଜୟନାରାୟଣ ପଙ୍କଜ କହିଛନ୍ତି।

ସମ୍ବନ୍ଧିତ ଖବର