ଶ୍ରୀଲିଙ୍ଗରାଜଙ୍କ ଜମି ଘରୋଇ ସଂସ୍ଥାକୁ ଦିଆଯିବା ପ୍ରସଙ୍ଗ: ୩ମାସ ଭିତରେ ବିଚାର କରିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ: ଶ୍ରୀଲିଙ୍ଗରାଜଙ୍କ ଜମି ଏକ ଘରୋଇ ସଂସ୍ଥାକୁ ଦିଆଯିବା ପ୍ରସଙ୍ଗ ବିରୋଧରେ ଦାୟର ମାମଲାର ଶୁଣାଣି କରି ହାଇକୋର୍ଟ ଏହି ସଂପର୍କରେ ୩ମାସ ମଧ୍ୟରେ ପୁଙ୍ଖାନୁପୁଙ୍ଖ ବିଚାର କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରସଙ୍ଗରେ ସରକାରଙ୍କ ବିଚାର ଶେଷ ନହେବା ପର୍ଯ୍ୟନ୍ତ ଦେବୋତ୍ତର କମିସନଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ ନାହିଁ ବୋଲି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ୍‌ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି। ନିରଂଜନ ମେକାପ ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାକୁ ବରିଷ୍ଠ ଆଇନଜୀବୀ ରମାକାନ୍ତ ମହାନ୍ତି, ଆଇନଜୀବୀ ଦେବାଶିଷ ନନ୍ଦ, ଆଇନଜୀବୀ ମହେଶ୍ୱର ଦାଶ ପରିଚାଳନା କରିଥିଲେ।

୨୦୧୩ ମସିହାରେ ଏକ ତ୍ରିପାକ୍ଷିକ ଚୁକ୍ତି ବଳରେ ଦେବୋତ୍ତର କମିସନ୍, ବିଡିଏ ଏବଂ ସାଧାରଣ ପ୍ରଶାସନର ସ୍ବତନ୍ତ୍ର ସଚିବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଜମିକୁ ଏକ ଘରୋଇ ସଂସ୍ଥାକୁ ସ୍ଥାନାନ୍ତରିତ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ଚାଲେଞ୍ଜ କରି ଜମିର ମାର୍ଫତଦାର ନିରଂଜନ ମେକାପ ଓ ଅନ୍ୟମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ଚୁକ୍ତିକୁ ୨୦୧୫ ମାର୍ଚ୍ଚ ୩ ତାରିଖରେ ଅନୈତିକ ବୋଲି କହିଥିଲେ। ଏହି ରାୟକୁ ଚାଲେଞ୍ଜ କରି ସଂପୃକ୍ତ ଘରୋଇ ସଂସ୍ଥା ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିଲା। ନ୍ୟାୟାଳୟ ଏହା ଉପରେ ରହିତାଦେଶ ଦେଇଥିବା‌ସତ୍ତ୍ବେ ୨୦୧୭ରେ ଦାୟିତ୍ବରେ ଥିବା ଅଧିକାରୀ ଲିଙ୍ଗରାଜଙ୍କ ଦେବୋତ୍ତର କମିସନଙ୍କ ପାଖରେ ଉକ୍ତ ଜମି ବିକ୍ରି କରାଇବାକୁ ଆବେଦନ କରିଥିଲେ। ୨୦୧୯ରେ ଦେବୋତ୍ତର କମିସନ୍‌ ଘରୋଇ ସଂସ୍ଥା ସପକ୍ଷରେ ୯୯ବର୍ଷ ଲିଜ୍‌ ସୂତ୍ରରେ ଜମିକୁ ଦେବା ପାଇଁ ସରକାରଙ୍କୁ ଅନୁମତି ଦେଇଥିଲେ। ଏହି ନିର୍ଦ୍ଦେଶକୁ ଚାଲେଞ୍ଜ କରି ନିରଂଜନ ମେକାପ ଓ ଅନ୍ୟମାନେ ପୁଣି ଥରେ ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର