ଆସନ ବୁଝାମଣା : ସିପିଆଇ କଂଗ୍ରେସକୁ ମାଗୁଛି ୭ ବିଧାନସଭା ଓ ଗୋଟିଏ ଲୋକସଭା ଆସନ; ଝୁଲିଛି ନିଷ୍ପତ୍ତି

ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ୭ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନ ଛାଡିବା ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସି.ପି.ଆଇ)ପକ୍ଷରୁ କଂଗ୍ରେସ ନିକଟରେ ଦାବି କରାଯାଇଛି।

ଆଜି କଂଗ୍ରେସ ଓ ସି.ପି ଆଇ ମଧ୍ୟରେ ଆସନ ବୁଝାମଣା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। । ବୈଠକରେ ସିପିଆଇ ପକ୍ଷରୁ ଛତ୍ରପୁର,ବୌଦ୍ଧ,ବ୍ରଜରାଜନଗର,ଏରସମା-ବାଲିକୁଦା,ସୁନ୍ଦରଗଡ,ଚିତ୍ରକୋଣ୍ଡା ଓ ଜୁନାଗଡ ବିଧାନସଭା ଆସନ ଏବଂ ଆସ୍କା ଲୋକସଭା ଆସନ ଦଳକୁ ଛାଡି ଦେବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ଆସ୍କା ଲୋକସଭା ଆସନ ସିପିଆଇକୁ ଛାଡ଼ିଦେବା ପାଇଁ ଆପାତତଃ ସ୍ଥିର ହୋଇଥିବା ବେଳେ ବିଧାନସଭା ନିର୍ବାଚନ ପାଇଁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇପାରିନାହିଁ ବୋଲି ସିପିଆଇ ରାଜ୍ୟ ସଂପାଦକ ଦିବାକର ନାୟକ କହିଛନ୍ତି। ଖୁବ୍‌ଶୀଘ୍ର ବିଧାନସଭା ଆସନ ବୁଝାମଣା ଚୂଡ଼ାନ୍ତ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ଡ଼ିସେମ୍ବର ୧୦ ତାରିଖ ଦିନ ସିପିଆଇ ପକ୍ଷରୁ ପ୍ରାରମ୍ଭିକ ଭାବେ ୧୭ ବିଧାନସଭା ଓ ୨ ଲୋକସଭା ଶାସନ ଛାଡ଼ିବା ଲାଗି କଂଗ୍ରେସକୁ ପ୍ରସ୍ତାବ ଦିଆଯାଇଥିଲା।ପରବର୍ତ୍ତୀ ଆଲୋଚନା ପରେ ସେହି ସଂଖ୍ୟା ୭ ବିଧାନସଭା ଏବଂ ୧ ଲୋକସଭା ଆସନକୁ ଖସି ଆସିଛି।

ବୈଠକରେ ଉପସ୍ଥିତ ଥିବା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,‘‘ସିପିଆଇ ସହ ଆଜି ଆସନ ବୁଝାମଣା ନେଇ ଆଲୋଚନା ହେଲା। ଆଜି ଯାହା ଆଲୋଚନା ହେଲା,ତାହା ଉଭୟ ଦଳ ନିଜ ନିଜ ଫୋରମ୍‌ରେ ଆଲୋଚନା କରିବେ। ତା’ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।’’

ପ୍ରକାଶ ଥାଉ କି ଆସନ୍ତାକାଲି ସିପିଆଇର ରାଜ୍ୟ କାର୍ଯ୍ୟ ନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହେଉଛି। ଏଥିରେ ଆସନ ବୁଝାମଣା ବିଷୟ ଆଲୋଚନା ହେବ। ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟି ମଧ୍ୟ ଆସନ୍ତା ୬ ଓ ୭ ତାରିଖରେ ବସିବ। ତା’ପୂର୍ବରୁ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ଚୂଡ଼ାନ୍ତ ହେବାର ସମ୍ଭାବନା କ୍ଷୀଣ । ଆସନ ବୁଝାମଣା ଆଲୋଚନାର ମନ୍ଥର ଗତି ନେଇ ସିପିଆଇ ନେତୃବୃନ୍ଦଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଆଜିକାର ବୈଠକରେ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ,କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ,ବରିଷ୍ଠ ନେତା ଜଗନ୍ନାଥ ପଟ୍ଟନାୟକ ଓ ଅନନ୍ତ ପ୍ରସାଦ ସେଠୀ ଏବଂ ସିପିଆଇ ପକ୍ଷରୁ ସଂପାଦକ ଦିବାକାର ନାୟକ,ଦଳର ବରିିଷ୍ଠ ନେତା ଆଶିଷ କାନୁନ୍‌ଗୋ, ରାମକୃଷ୍ଣ ପଣ୍ଡା, ଅଭୟ ସାହୁ ଏବଂ ପ୍ରଶାନ୍ତ ମିଶ୍ର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର