ସିକେ ନାୟୁଡୁ ଟ୍ରଫି: ହିମାଚଳଠୁ ୧୦ ୱିକେଟ୍‌ରେ ହାରିଲା ଓଡ଼ିଶା

ସମ୍ବଲପୁର: ଭିଏସ୍‌ଏସ୍‌ ଷ୍ଟାଡିୟମ୍‌ଠାରେ ଚାଲିଥିବା ସିକେ ନାୟୁଡୁ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶା ମାତ୍ର ୧ ରନ୍‌ ପାଇଁ ପାଳି ପରାଜୟରୁ ବର୍ତ୍ତିଗଲା। ହିମାଚଳପ୍ରଦେଶ ପ୍ରଥମ ପାଳି ସ୍କୋର୍‌ ୫୦୬ ଜବାବରେ ଓଡ଼ିଶା ଉଭୟ ପାଳିରେ ମୋଟ ୫୦୬ (୩୧୩+୧୯୩) ରନ୍‌ କରିନେଇଥିଲା। ତେବେ ହିମାଚଳ ପ୍ରଦେଶ ମାତ୍ର ୧ ରନ୍‌ ପାଇଁ ଦ୍ବିତୀୟ ପାଳି ଖେଳିଥିଲା ବେଳେ ୧୦ ୱିକେଟ୍‌ରେ ମ୍ୟାଚ୍‌ ଜିତିନେଇଛି।

ପ୍ରଥମ ବଲ୍‌ରେ ୧ ରନ୍‌ କରି ଦଳ ବିଜୟ ହାସଲ କରିଥିଲା। ଓଡ଼ିଶା ଦ୍ବିତୀୟ ପାଳିରେ ଅଧିନାୟକ ସନ୍ଦୀପ ପଟ୍ଟନାୟକ ସର୍ବାଧିକ ୫୪ ରନ୍‌ (୯୨ ବଲ୍‌, ୮ ଚୌକା) କରିଥିଲେ। ଦିବେଶ ଶର୍ମା ପ୍ରଥମ ପାଳି ଭଳି ଓଡ଼ିଶା ଦ୍ବିତୀୟ ପାଳିରେ ମଧ୍ୟ ୫ ଵିକେଟ୍‌ ହାସଲ କରିଥିଲେ। ସେ ମ୍ୟାଚ୍‌ରେ ମୋଟ ୧୦ ଵିକେଟ୍‌ ହାସଲ କରିଛନ୍ତି। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍‌ ଜାନୁଆରି ୨୨ ତାରିଖରୁ ଟାଙ୍ଗୀର ଡ୍ରିମ୍‌ସ ଖେଳ ପଡ଼ିଆରେ ବରୋଦା ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର