ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଲା ଭାରତ, ୩-୦ରେ ସିରିଜ୍ ବିଜୟୀ

ଇନ୍ଦୋର : ଇନ୍ଦୋରର ହୋଲକାର ଷ୍ଟାଡିୟମଠାରେ ଖେଳାଯାଇଥିବା ୩ୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇଦେଇଛି ଭାରତ । ଆଜିର ମ୍ୟାଚ ଜିତି ଭାରତ ସିରିଜକୁ ୩-୦ରେ ପୋଛିନେଇଛି ।

ଭାରତ ପକ୍ଷରୁ ରଖାଯାଇଥିବା ୩୮୬ ରନର ବିଜୟ ଲକ୍ଷ୍ୟର ଜବାବରେ ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ୨୯୫ ରନ କରି ଅଲଆଉଟ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଦେଓ୍ବନ କନଓ୍ବେ ୧୩୮ ରନ କରିଥିବାବେଳେ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ ।

ରୋହିତ ଶର୍ମା ୧୦୧ ରନ କରି ଆଉଟ ହୋଇଥିବାବେଳେ ଶୁଭମନ୍ ୧୧୨ ରନ କରି ଆଉଟ ହୋଇଛନ୍ତି । ରୋହିତ ୮୫ଟି ବଲ ଖେଳି ୧୦୧ କରିଥିବାବେଳେ ଶୁଭମନ ୧୧୨ ରନ କରିବା ପାଇଁ ୭୮ଟି ବଲ ଖେଳିଥିଲେ ।  ତେବେ ଦୁଇ ଓପନର ଆଉଟ ହେବା ପରେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିପାରିନଥିଲେ । ବିରାଟ କୋହଲି ୩୬ ରନ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୪ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୮୫ ରନ କରିଥିଲା ।

ସମ୍ବନ୍ଧିତ ଖବର