ସିଲି ପଏଣ୍ଟ୍‌: ନଟି ଆଟ୍ ସିକ୍ସଟି

ଗୁର୍‌ବାଜଙ୍କୁ ବ୍ୟାଟ୍‌ ଉପହାର ଦେଲେ ଧୋନି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ସବୁବେଳେ ଚର୍ଚ୍ଚାରେ ରହିବାକୁ ଭଲ ପା’ନ୍ତି। ବିଳମ୍ବ ପାଇଁ ସୌରଭ ଗାଙ୍ଗୁଲିଙ୍କୁ ଦଳୀୟ ବସ୍‌ରେ ବସିବାରେ ରୋକିବା ହେଉ କିମ୍ବା ବିରାଟ କୋହଲିଙ୍କୁ ନେଇ ବିତର୍କିତ ମନ୍ତବ୍ୟ ଦେବା, ଅନେକ ସମୟରେ ନଚାହି ବି ବିବାଦ ଘେରକୁ ପଶି ଆସନ୍ତି ସେ। ଏବେ କିନ୍ତୁ ଶାସ୍ତ୍ରୀ ତାଙ୍କ ବାଥ୍‌ ରୋବ୍‌ ଲୁକ୍ ପାଇଁ ବେଶ୍ ଚର୍ଚ୍ଚିତ ହୋଇଛନ୍ତି। ସାମାଜିକ ଗଣମାଧ୍ୟମ ପୃଷ୍ଠାରେ ପକାଇଥିବା ଫଟୋରେ ଶାସ୍ତ୍ରୀ କାଠ ସିଲିଂ ହୋଇଥିବା ଷ୍ଟିମ୍‌ ବକ୍ସ କାନ୍ଥ ଆଗରେ ଘନ ନୀଳ ରଙ୍ଗର ବାଥ୍‌ ରୋବ୍‌ ପିନ୍ଧିଥିବା ଦେଖିବାକୁ ମିଳୁଛି। ଖାଲି ସେତିକି ନୁହେଁ ବାମ୍ ରୁମ୍ ଷ୍ଟିମ୍‌ ବକ୍ସ ଭିତରେ ଏହି ସୁଟ୍ ପିନ୍ଧି ବିଭିନ୍ନ ଭଙ୍ଗୀରେ ଉଠାଇଥିବା‌ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଛନ୍ତି ସେ। ତେବେ ଫଟୋ ତଳେ ସେ ଲେଖିଥିବା ପଂକ୍ତି ହିଁ ପ୍ରଶଂସକଙ୍କର ସବୁଠୁ ବେଶି ଧ୍ୟାନ ଆକର୍ଷଣ କରିଛି। ‌ଶାସ୍ତ୍ରୀ ଲେଖିଛନ୍ତି, ‘ଆଇ ଆମ ହକି, ଆଇ ଆମ୍ ନଟି, ଆଇ ଆମ ସିକ୍ସଟି..’। ପ୍ରଶଂସକ ତାଙ୍କ ଲେଖା ଉପରେ ପ୍ରତିକ୍ରିୟା ରଖି ସତରେ ଆପଣ ନଟି ବୋଲି ଲେଖିଛନ୍ତି। ତେବେ ତାଙ୍କର ଏହି ଅବତାର ଏକ କଂପାନିର ବିଜ୍ଞାପନ ପଚାର ପାଇଁ ବୋଲି ପରେ ଜଣାପଡ଼ିଛି। ଶାସ୍ତ୍ରୀଙ୍କ ସହ ବୀରେନ୍ଦ୍ର ସେହବାଗ ମଧ୍ୟ ଏହି ବିଜ୍ଞାପନରେ ଅଛନ୍ତି।

ଗୁର୍‌ବାଜଙ୍କୁ ବ୍ୟାଟ୍‌ ଉପହାର ଦେଲେ ଧୋନି

ଚେନ୍ନାଇ ସୁପରକିଙ୍ଗ୍ସ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ତାଙ୍କ ମହାନତାର ପରିଚୟ ଦେଇଛନ୍ତି। ସୋମବାର କୋଲକାତା ନାଇଟ୍‌ ରାଇଡର୍ସ ବିପକ୍ଷ ମ୍ୟାଚ୍‌ରେ ଚେନ୍ନାଇ ବିଜୟୀ ହେବା ପରେ ଡ୍ରେସିଂ ରୁମ୍‌ରେ ଧୋନିଙ୍କ ସହିତ ଏକାଧିକ ଯୁବ ଖେଳାଳି ଆଲୋଚନା କରିବାକୁ ଆସିଥିଲେ। ତେବେ ଆଫଗାନ୍‌ ବ୍ୟାଟର୍‌ ରହମାନୁଲ୍ଲା ଗୁର୍‌ବାଜଙ୍କ ପାଇଁ ଏହି କ୍ଷଣଟି ସ୍ମରଣୀୟ ହୋଇଯାଇଛି। କାରଣ ଧୋନିଙ୍କଠୁ ଅନେକ ଉପାଦେୟ ପରାମର୍ଶ ଗ୍ରହଣ କରିବା ପରେ ତାଙ୍କ ଅଟୋଗ୍ରାଫ୍‌ ସମ୍ବଳିତ ଏକ ବ୍ୟାଟ୍‌ ଉପହାର ସୂତ୍ରରେ ପାଇଥିଲେ ସେ। ବ୍ୟାଟ୍‌ ଓ ଧୋନିଙ୍କ ସହିତ ଗୁରବାଜ ଫଟୋ ଉଠାଇବା ସହ ଧୋନିଙ୍କ ପରାମର୍ଶକୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ଏଥିରେ ଲେଖିଛନ୍ତି, ‘ଅତୀତ ବିଷୟରେ ବ୍ୟସ୍ତ ହେବା ବନ୍ଦ କର। ଭବିଷ୍ୟତ ଉପରେ ଚିନ୍ତା କରିବା ବନ୍ଦ କର। କେବଳ ବର୍ତ୍ତମାନରେ ବଞ୍ଚ ଓ ଖୁସିରେ ରୁହ।’

ପ୍ରଶଂସକଙ୍କ ସହ କଳିକଲେ ରୋଡ୍‌ସ

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ଦକ୍ଷିଣ ଆଫ୍ରିକୀୟ କ୍ଷେତ୍ରରକ୍ଷଣ ପ୍ରଶିକ୍ଷକ ଜଣ୍ଟି ରୋଡ୍‌ସ ସାମାଜିକ ଗଣମାଧ୍ୟମରେ ଜଣେ ପ୍ରଶଂସକଙ୍କ ସହ କଳି କରି ବିବାଦ ଘେରକୁ ଆସିଛନ୍ତି। ଆଇପିଏଲ୍‌କୁ ନେଇ ଅନଲାଇନ୍ କଥୋପକଥନ ଭିତରେ ରୋଡ୍‌ସ ସଂପୃକ୍ତ ପ୍ରଶଂସକଜଣକ ଉପରେ କୌଣସି କାରଣକୁ ନେଇ ଭୀଷଣ ରାଗି ଯାଇଥିଲେ। ପରେ ‘ତୁମର କୌଣସି କାମ ଧନ୍ଦା ନାହିଁ; ବେକାର ବସିଛ, ସେଥିପାଇଁ ଏମିତି ହେଉଛ’ ବୋଲି କହିଥିଲେ। ଯାହାକୁ ପ୍ରଶଂସକଜଣକ ସହଜରେ ଗ୍ରହଣ କରି ନଥିଲେ। ରୋଡସ୍‌ଙ୍କୁ ସେ ପଦେ ହେଲେ ବି ଆପତ୍ତିଜନକ କଥା କହି ନଥିଲେ, ତଥାପି ସେ କାହିଁକି ରାଗି ଯାଇଥିଲେ ବୋଲି ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ର ‘ଏକ୍ସ’ ପୃଷ୍ଠାରେ ପ୍ରତ୍ୟୁତ୍ତର ଦେଇ ଲେଖିଥିଲେ। ଏହା ପରେ ରୋଡ୍‌ସ ଶାନ୍ତ ପଡ଼ିବା ସହ ପ୍ରଶଂସକଜଣକୁ କ୍ଷମା ମାଗି ନେଇଥିଲେ। ନିଜେ ଲେଖିଥିବା କଥାକୁ ମଧ୍ୟ ଡିଲିଟ୍ କରି ଦେଇଥିଲେ।

ସମ୍ବନ୍ଧିତ ଖବର