ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ, ଯୌତୁକ ନିର୍ଯାତନା ଅଭିଯୋଗ

ଜୟପୁର:  କୋରାପୁଟ ନିଶାଣିମୁଣ୍ଡା ଅଂଚଳର ନିତୁ ହରିଜନଙ୍କୁ ତାଙ୍କ ସ୍ବାମୀ କୁଶ ହରିଜନ, ଦେଢ଼ଶୁର, ଦେଢ଼ଶାଶୁ ଶାରୀରିକ, ମାନସିକ ଓ ଯୌତୁକ  ନିର୍ଯାତନା ଦେବା ସହ ଦ୍ବିତୀୟ ସ୍ତ୍ରୀ ଆଣିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ନେଇ ମହିଳା ଥାନାରେ ଏକ ମାମଲା ରୁଜୁ ହୋଇଥିବା କହିଛନ୍ତି ଥାନା ଅଧିକାରୀ ଅନିତା କୁଜ୍ଜୁର।

ସୂଚନା ଅନୁଯାୟୀ, ଗତ ୧୦ବର୍ଷ ତଳେ ନିତୁ କୋରାପୁଟ ଟାଉନଥାନା ଅର୍ନ୍ତଗତ ନିଶାଣିମୁଣ୍ଡଠାର କୁଶକୁ ବାହା ହୋଇଥିଲେ। ବାହା ହେବାର ଅଳ୍ପ କିଛି ଦିନ ପର ଠାରୁ  ସ୍ବାମୀ କୁଶ, ଦେଢ଼ଶୁର ଲବ ଓ ଦେଢ଼ଶାଶୁ ଚମ୍ପା ଅଧିକା ଯୌତୁକ ଆଣିବାକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଗତ ଛଅ ମାସ ହେବ ନିର୍ଯାତନା ବୃଦ୍ଧି ପାଇଥିଲା। ଏହାରି ମଧ୍ୟରେ ସ୍ବାମୀ ସ୍ଥାନୀୟ ଅଂଚଳର ଆଉ ଗୋଟିଏ ଯୁବତୀକୁ ଦ୍ବିତୀୟ ସ୍ତ୍ରୀ ଭାବେ ଆଣିବାକୁ କହିଥିଲେ। ନିତୁ ମନା କରିବା ପରେ ସ୍ବାମୀ କୁଶ ଉକ୍ତ ଯୁବତୀକୁ ଧରି ଫେରାର ହୋଇଯାଇଛନ୍ତି।

ଅପରପକ୍ଷରେ ତାଙ୍କ ପୁଅକୁ ନେଇ ସେ ଚଳିବା ମୁସ୍କିଲ ହୋଇ ପଡ଼ିଛି। ଅପରପକ୍ଷରେ କୁଶ ଫେରାର ହେବା ପର ଠାରୁ  ଦେଢ଼ଶୁର, ଓ ଦେଢ଼ଶାଶୁ ତାଙ୍କୁ ଅଧିକା ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ମାମଲାର ତଦନ୍ତ କରି ମହିଳା ଥାନାରେ ଅଭିଯୁକ୍ତଙ୍କ ବିରୋଧରେ ୪୯୮(ଏ), ଓ ୪ ଯୌତୁକ ନିବାରଣ ଆଇନରେ ମାମଲା ରୁଜୁ କରାଯାଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ। ମାମଲାର ତଦନ୍ତ ଏଏସଆଇ ବିକାଶ ଚନ୍ଦ୍ର ନାୟକ କରୁଛନ୍ତି।

 

 

ସମ୍ବନ୍ଧିତ ଖବର