ପ୍ରାଚୀନ ଗଡ଼ର ସନ୍ଧାନ: ଗଙ୍ଗବଂଶ ରାଜତ୍ବ ସମୟରେ ନିର୍ମାଣ ହୋଇଥିବା ଆକଳନ

ପୁରୀ: କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ନିର୍ମିତ ପ୍ରାଚୀନ ଗଡ଼ର ସନ୍ଧାନ ମିଳିଛି। ପୁରୀ ଜିଲ୍ଲା ଗୋପ ବ୍ଲକ୍‌ ଖାଲକାଟାପାଟଣା ଗ୍ରାମର ଗରୁଡ଼େଶ୍ବର ମନ୍ଦିର ନିକଟରୁ ପୂର୍ବ ଗଙ୍ଗବଂଶ ଶାସନ ସମୟର ଏକ ଗଡ଼ର ଭଗ୍ନାବଶେଷ ଠାବ ହୋଇଛି। କାଳ ଗର୍ଭରେ ଲୁପ୍ତ ହୋଇଯାଇଥିବା ଏକ ସାମୁଦ୍ରିକ ବନ୍ଦର ଓ ଏହା ସହ ଜଡ଼ିତ କୀର୍ତିରାଜିର ଅବଶେଷ ପ୍ରାପ୍ତ ହୋଇଛି। ଇଣ୍ଡିଆନ ନ୍ୟାସନାଲ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ କଲଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍‌) କଟକ ଶାଖା ପକ୍ଷରୁ ହୋଇଥିବା ପ୍ରତ୍ନତାତ୍ତ୍ବିକ ଅନୁସନ୍ଧାନ ସମୟରେ ମିଳିଥିବା ଭଗ୍ନାବଶେଷ ଗଡ଼ର ଅବସ୍ଥିତିକୁ ପ୍ରମାଣିତ କରିଛି।

କୁଶଭଦ୍ରା ନଦୀ ମୁହାଣରୁ ଅନତି ଦୂରରେ ଅବସ୍ଥିତ ଏହି ସ୍ଥାନରୁ ମିଳିଥିବା ବହୁ ପୁରାତନ କୀର୍ତିରାଜି ଐତିହାସିକ ତଥ୍ୟ ଉନ୍ମୋଚନ କରିଛି। ଇନଟାକ୍‌ର ୫ ଜଣିଆ ଐତିହ୍ୟ ଅନୁସନ୍ଧାନକାରୀ ଦଳରେ ଦୀପକ କୁମାର ନାୟକ, ଅନିଲ ଧୀର, ସତ୍ୟଜିତ ସ୍ୱାଇଁ, ବିକ୍ରମ କୁମାର ନାୟକ ଓ ସୁମନ ସ୍ୱାଇଁ ସାମିଲ ହୋଇଥିଲେ। ଅନୁସନ୍ଧାନର ନେତୃତ୍ବ ନେଇଥିବା ଇନ୍‌ଟାକ୍‌ କଟକ ଶାଖାର ସହ ଆବାହକ ଦୀପକ କୁମାର ନାୟକ କହିଛନ୍ତି, କୁଶଭଦ୍ରା ନଦୀ ମୁହାଣ ସଂଲଗ୍ନ ଖାଲକାଟାପାଟଣା ୧୧ଶହରୁ ୧୫ଶହ ଶତାବ୍ଦୀ ମଧ୍ୟରେ ଏକ ନୌବାଣିଜ୍ୟ ବନ୍ଦର ଥିବାର ପ୍ରମାଣ ପୂର୍ବରୁ ମଧ୍ୟ ମିଳିସାରିଛି। ସ୍ଥାନୀୟ ଲୋକଉକ୍ତି ଅନୁସାରେ ଏହି ସ୍ଥାନର ପୂର୍ବ ନାମ ଥିଲା ଡିହପାଟଣା। ଗଙ୍ଗବଂଶ ରାଜତ୍ବ ସମୟରେ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ୧୬ଟି ଗଡ଼ ଗଢ଼ି ଉଠିଥିଲା। ଡିହପାଟଣା ଥିଲା ଗଡ଼ରୂପାସ ଗଡ଼ର ଅଂଶବିଶେଷ। ଏଠାରେ ଥିବା ଗରୁଡ଼େଶ୍ବର ମହାଦେବଙ୍କ ଭିନ୍ନ ନାମ ଗଡ଼ଗଡ଼େଶ୍ବର। ଗଡ଼ଗଡ଼େଶ୍ବର ଥିଲେ ଗଡ଼ରୂପାସ ଗଡ଼ର ମୁଖ୍ୟ ଦେବତା। ସୂର୍ଯ୍ୟ ମନ୍ଦିରର ଆୟବ୍ୟୟ ଓ ଗଠନ ପ୍ରକ୍ରିୟା ସମ୍ପର୍କିତ ପ୍ରାଚୀନ ତାଳପତ୍ର ପୋଥି ତଥା ଗ୍ରନ୍ଥ ବାୟାଚକଡ଼ାର ତଥ୍ୟ ମୁତାବକ, ଗଡ଼ରୂପାସରେ ସୂର୍ଯ୍ୟ ମନ୍ଦିର ନିର୍ମାଣ ଲାଗି କାରିଗରଙ୍କର ଶିବିର କରାଯାଇଥିଲା। ଡିହପାଟଣାରେ ଗଙ୍ଗବଂଶ ରାଜ ପରିବାର ସାମୟିକ ରହଣି ଲାଗି ରାଜପ୍ରାସାଦ ଥିଲା। ପ୍ରତିବର୍ଷ ଶାମ୍ବଦଶମୀ ଓ ମାଘସପ୍ତମୀ ଅବସରରେ ସୂର୍ଯ୍ୟପୂଜା ଓ ଚନ୍ଦ୍ରଭାଗା ସ୍ନାନ ନିମନ୍ତେ ଗଙ୍ଗବଂଶର ରାଜପରିବାର ଡିହପାଟଣାସ୍ଥିତ ଗଡ଼ରେ ନିବାସ କରୁଥିଲେ। ଏହି ତଥ୍ୟ ଆଧାରରେ ଅନୁସନ୍ଧାନ କରିବା ବେଳେ ବହୁ ଐତିହାସିକ ତଥ୍ୟ ଉନ୍ମୋଚନ ହୋଇଛି। ଗଡ଼ର ପାଚେରି, ମନ୍ଦିର କୀର୍ତ୍ତିରାଜି ଶିଳାଖଣ୍ଡ, ପଥର ସ୍ତମ୍ଭ, ବଡ଼ବଡ଼ କୁଣ୍ଡାପଥର, ପୁରାତନ ଭଗ୍ନ ମୂର୍ତ୍ତି, କିଛି ମାଟି ନିର୍ମିତ କୂଅ ନନ୍ଦ ମିଳିଛି। ଏ ସମସ୍ତ ଅବଶେଷର ପ୍ରାଚୀନତା, କୀର୍ତ୍ତିରାଜି, ନିର୍ମାଣ କୌଶଳ ଗଡ଼ର ଅବସ୍ଥିତି ଥିବା ନେଇ ସୂଚନା ଦେଉଛି ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ସ୍ଥାନର ପ୍ରତ୍ନତାତ୍ତ୍ବିକ ଖନନ ହେଲେ ଆହୁରି ଅନେକ ଐତିହାସିକ ତଥ୍ୟ ଲୋକଲୋଚନକୁ ଆସିପାରିବ ବୋଲି ସେ କହିଛନ୍ତି।

ଇନ୍‌ଟାକ ଓଡ଼ିଶାର ସହ ଆବାହକ ଅନିଲ ଧୀରଙ୍କ ମତ ଅନୁଯାୟୀ, ଖାଲକାଟାପାଟଣାରେ ବନ୍ଦର ସମ୍ପର୍କିତ ଗବେଷଣା ପୂର୍ବରୁ ମଧ୍ୟ କରାଯାଇଛି। ଅଶି ଦଶକରେ ଏହି ସ୍ଥାନରେ କିଛି ପ୍ରତ୍ନତାତ୍ତ୍ବିକ ଖନନ ହୋଇଥିଲା। ନିକଟରେ ହୋଇଥିବା ଅନୁସନ୍ଧାନ ବେଳେ ଗୁରୁତ୍ବପୂର୍ଣ୍ଣ ଅବଶେଷ ମିଳିଛି। ଏସବୁ କୁଶଭଦ୍ରା ନଦୀ ଓ ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କିତ ଗବେଷଣା ଦିଗରେ ସହାୟକ ହେବ। ମିଳିଥିବା ପୁରାତନ ପାତ୍ରର ଭଗ୍ନାଂଶ ବିଦେଶର ବୋଲି ଅନୁମାନ କରାଯାଉଛି। ଚୀନ, ଆଫ୍ରିକା, ରୋମାନ୍‌ ସାମ୍ରାଜ୍ୟ, ଦକ୍ଷିଣ ପୂର୍ବ ଦେଶ ସମୂହ ସହ ଓଡ଼ିଶାର ନୌବାଣିଜ୍ୟ ସମ୍ପର୍କରେ ଏହା ସୂଚନା ଦେଉଛି। ନଦୀ କୂଳରୁ ଦୁଇଟି ନଙ୍ଗର ମଧ୍ୟ ମିଳିଥିଲା। ସେଗୁଡ଼ିକ ଡଙ୍ଗା ବାନ୍ଧି ରଖିବା କାର୍ଯ୍ୟରେ ବିନିଯୋଗ ହେଉଥିଲା ବୋଲି ସେ କହିଛନ୍ତି। ଇନ୍‌ଟାକର ଇଂଜିନିୟର ଗୋପାଳକୃଷ୍ଣ ବେହେରା କହିଛନ୍ତି, ଗରୁଡ଼େଶ୍ବର ନିକଟରେ ଥିବା ପୁରାତନ ଗଡ଼ର ପ୍ରତ୍ନତାତ୍ତ୍ବିକ ଖନନ ପାଇଁ ଇନ୍‌ଟାକ୍‌ ପକ୍ଷରୁ ଖୁବଶୀଘ୍ର ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବ।

ସମ୍ବନ୍ଧିତ ଖବର