ସରକାରୀ ଡାଏରିରେ ତ୍ରୁଟି: ମୁଦ୍ରଣ ପ୍ରମାଦ ଲାଗି କ୍ଷମା ମାଗିଲା ସାଧାରଣ ପ୍ରଶାସନ ବିଭାଗ

ଭୁବନେଶ୍ୱର: ସରକାରୀ ଡାଏରିରେ ତ୍ରୁଟି ଦେଖାଯିବା ପରେ ପ୍ରମାଦ ଲାଗି ରାଜ୍ୟ ସରକାର ବୁଧବାର କ୍ଷମା ମାଗିଛନ୍ତି। ଡାଏରିର ତ୍ରୁଟି ପାଇଁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଦୁଃଖ ପ୍ରକାଶ କରିଛି। ତ୍ରୁଟି ଅନଚ୍ଛାକୃତ  ଏବଂ ପ୍ରାକ ମୁଦ୍ରଣ ସଂଶୋଧନ ଜନିତ ବୋଲି ସାଧାରଣ ପ୍ରଶାସନ ବିଭାଗ କହିଛି।

ସୂଚନାଯୋଗ୍ୟ ରାଜ୍ୟ ସରକାରଙ୍କ ଡାଏରିରେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁଙ୍କ ଲେଖା କବିବର ରାଧାନାଥ ରାୟଙ୍କ ନାଁରେ ପ୍ରକାଶ ପାଇଥିଲା। ତ୍ରୁଟି ଯୋଗୁଁ ରାଜ୍ୟସାରା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ବିଭାଗୀୟ ଅତିରିକ୍ତ ଶାସନ ସଚିବ ଅବନୀ କାନ୍ତ ପଟ୍ଟନାୟକ ଭୁଲ ସ୍ୱୀକାର କରିଥିଲେ। ସେ କହିଥିଲେ, ଭୁଲ ତ ଛପା ହୋଇଯାଇଛି, କଣ କରିହେବ, ପରବର୍ତ୍ତୀ ଅବସ୍ଥାରେ ବିଚାର କରାଯିବ।

ସରକାରୀ ଡାଏରି ପ୍ରକାଶ କରିବା ସାଧାରଣ ପ୍ରଶାସନର ବିଭାଗର ଦାୟିତ୍ୱ। ବାଣିଜ୍ୟ ଓ ପରିବହନ ବିଭାଗ ଏହାକୁ ଛାପିଥାଏ। ଏବେ ଭୁଲଟି ଖୋଦ ସାଧାରଣ ପ୍ରଶାସନ ବିଭାଗରେ ହୋଇଛି । ଗୋପବନ୍ଧୁଙ୍କ ନାଁ ବଦଳରେ ରାଧାନାଥ ରାୟ ଲେଖିବା ତ୍ରୁଟିଟି ସାଧାରଣ ପ୍ରଶାସନ ବିଭାଗ କରିଛି। ଏପଟେ ବାଣିଜ୍ୟ ଓ଼ ପରିବହନ ସଚିବ ଜି ଶ୍ରୀନିବାସ କହିଥିଲେ, ଆମକୁ ଯାହା ଦିଆଯାଏ, ତାହା ଆମେ ଛାପିଥାଉ। ଏବେ ଯଦି ତ୍ରୁଟି ହୋଇଛି, ସାଧାରଣ ପ୍ରଶାସନ ବିଭାଗ ଶୁଦ୍ଧିପତ୍ର ଦେଲେ, ଆମେ ତାକୁ ବଳକା ଡାଏରିରେ ସଂଶୋଧନ କରି ପ୍ରକାଶ କରିବୁ।

 

ସମ୍ବନ୍ଧିତ ଖବର