ବଣ୍ଡାଘାଟିର ଦୁର୍ଗମ ଗାଁରେ ଶିକ୍ଷାର ବିକଳ ଚିତ୍ର: ସ୍କୁଲ ଗୃହ ନାହିଁ, ଶିକ୍ଷକ ଆସୁନାହାନ୍ତି

ଗ୍ରାମବାସୀ ନିଜସ୍ବ ଖର୍ଚ୍ଚରେ ଘର ତିଆରି ଓ ଶିକ୍ଷକ ନିଯୁକ୍ତି କଲେ

ମାଲକାନଗିରି(ପ୍ରେମେନ୍ଦ୍ର ପରିଚ୍ଛା): ଜିଲ୍ଲାର ଦୁର୍ଗମ ଅଂଚଳରେ କିପରି ଶିକ୍ଷା ବ୍ୟବସ୍ଥା ଚାଲିଛି ତାହା ନଦେଖିଲେ ବିଶ୍ବାସ କରି ହେବ ନାହିଁ। ସ୍କୁଲ ଥିଲେ ଶିକ୍ଷକ ନାହାନ୍ତି, ଆଉ ଶିକ୍ଷକ ଥିଲେ ସ୍କୁଲ ଗୃହ ନାହିଁ। ଜିଲ୍ଲାର ବହୁ ଗାଁରେ ଏଭଳି ସ୍ଥିତି ରହିଛି, ଯାହାକୁ ବିଭାଗ ଜାଣି ଅଜଣା ସାଜିଛି। ଏଭଳି ଏକ ଗ୍ରାମ ହେଉଛି  ଖଇରପୁଟ ବ୍ଲକର ବଣ୍ଡାଘାଟିର ଅଣ୍ଡ୍ରାହାଲ ପଞ୍ଚାୟତର ଖାଲଗୁଡା ଗ୍ରାମ। ଏହି ଗ୍ରାମରେ ପ୍ରାୟ ୮୦ ପରିବାର ବସବାସ କରନ୍ତି। ସମସ୍ତେ ଆଦିମ ଜନଜାତି ଡିଡାଇ ସଂପ୍ରଦାୟର ଲୋକେ।
ଗାଁରେ ୨୦୦୮ ମସିହାରେ ଏକ ପ୍ରାଥମିକ ସ୍କୁଲ ଖୋଲିଲା। ଗ୍ରାମବାସୀଙ୍କ ଖୁସି କହିଲେ ନସରେ। କିନ୍ତୁ ସେହି ଖୁସି କିଛି ଦିନ ପାଇଁ ହିଁ ରହିଲା। ଗାଁରେ ସ୍କୁଲ ଗୃହ ନଥବାରୁ ଶିକ୍ଷକମାନେ ନିୟମିତ ଆସିଲେ ନାହିଁ। ପିଲାମାନେ ପାଠପଢ଼ିବାକୁ ଯାଇ ଘରକୁ ଖାଲି ହାତରେ ଫେରୁଥିଲେ। ତେବେ ୨୦୧୩-୧୪ ମସିହାରେ ଏକ ସ୍କୁଲ ଗୃହ ନିର୍ମାଣ ପାଇଁ ନିର୍ଦେଶ ହେବା ପରେ କାମ ଆରମ୍ଭ ହେଲା ସତ କିନ୍ତୁ ତାହା ଅଧପନ୍ତରିଆ ହୋଇ ରହିଗଲା। ଏବେ ସେହି ଅଧପନ୍ତରିଆ ସ୍କୁଲ ଗୃହରେ କୁତ୍ରିମ ଜଂଗଲ ସୃଷ୍ଟି ହୋଇଛି।ସ୍କୁଲ ଗୃହ ନଥିବାରୁ ଆଜି ବି ଶିକ୍ଷକମାନେ ସ୍କୁଲକୁ ଆସନ୍ତି ନାହିଁ। ଏହି ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଶିକ୍ଷାଦାନ କରିବା ପାଇଁ ନିଯୁକ୍ତି ପାଇଛନ୍ତି। କିନ୍ତୁ କେବେ ମଧ୍ୟ ତାଂକର ଦେଖା ମିଳେ ନାହିଁ।
ତେବେ ଏନେଇ ବ୍ଲକ ଅଧିକାରୀମାନେ ଜାଣି ବି ଅଜଣା ସାଜିଛନ୍ତି। କାଳ ବେଳ ଦେଖି କେବେ ଯଦି ତିନି ଜଣଙ୍କ ମଧ୍ୟରୁ ଜଣେ ଆସି ଗାଁ ବାଲା ସହ ମିଶି ସ୍କୁଲ ଖୋଲିବା ବାହାନା କରି ମଧ୍ୟାହ୍ନ ଭୋଜନ ଦେଇ ପୁଣି ମାସ ମାସ ଦେଖା ମିଳେ ନାହିଁ। ଗାଁରେ ପ୍ରାୟ ୬୭ ଜଣ ପିଲା ଅଛନ୍ତି। ପ୍ରଥମରୁ ପଞ୍ଚମ ପର୍ଯ୍ୟନ୍ତ ଶ୍ରେଣୀ ରହିଥିବା ବେଳେ କେଉଁ ପିଲା କେତେ ପଢୁଛି ନା ଶିକ୍ଷକ ଜାଣିଛନ୍ତି ନା ପିଲାମାନେ ଜାଣିଛନ୍ତି। ଅଭିଭାବକମାନେ ଏନେଇ ବହୁବାର ଅଭିଯୋଗ କରିଥିଲେ ମଧ୍ୟ ତୁ ଗୁହାରି କରିବୁ ଯାହାକୁ ମୁଁ ଟଂକା ଦେଉଛି ତାହାକୁ ସଦୃଶ୍ୟ ହୋଇଛି।
ଗ୍ରାମବାସୀ ବାରମ୍ବାର ଅଭିଯୋଗ ପରେ କିଛି ନହେବାରି ପିଲାଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ସମସ୍ତେ ମିଶି ଏକ ଛୋଟିଆ କୁଡିଆ ଘର କରି ଟିଣ ଛପର କଲେ। ତେବେ ପିଲାଙ୍କୁ ପାଠ ପଢାଇବା ପାଇଁ କୋରାପୁଟ ଜିଲ୍ଲାର ଲମତାପୁର ଏବଂ ଅନକାଡେଲି ଅଂଚଳର ଦୁଇ ଯୁବକକଙ୍କୁ ମାସିକ ୩ ହଜାର ଟଂକା ଦେଇ ଶିକ୍ଷକ ନିଯୁକ୍ତି କଲେ। ଏବେ ସେହି ଦୁଇ ଜଣ ଗାଁରେ ରହି ପିଲାଙ୍କୁ ପାଠ ପଢାଉଛନ୍ତି। ସକାଳୁ ଆସିବେ ଦିନ ଚାରିଟା ପର୍ଯ୍ୟନ୍ତ ପାଠ ପଢାଇବେ। ଗ୍ରାମବାସୀଙ୍କର ଏହି ଉଦ୍ୟମ ପ୍ରଶଂସନୀୟ।
ସୋମବାର ଦିନ କାଳ ବୈଶାଖୀରେ ସେହି ଘରର ଛାତ ମଧ୍ୟ ଉଡିଯାଇଥଇବାରୁ ଗ୍ରାମବାସୀ ଚିନ୍ତାରେ ପଡିଛନ୍ତି। ଗ୍ରାମରେ ସ୍କୁଲ ଥାଇ ମଧ୍ୟ ସ୍କୁଲ ନଚାଲିବା ଦୁଃଖର ବିଷୟ।ମାସ ମାସ ଧରି ସ୍କୁଲ ନଆସି ଶିକ୍ଷକମାନେ ଦରମା କିପରି ନେଉଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଭାଗୀୟ ଅଧିକାରୀ ଏନେଇ ଅବଗତ ରହିଛନ୍ତି କି ନାହିଁ ତାହା ମଧ୍ୟ ସଂଦେହ ସୃଷ୍ଟି କରୁଛି।
ଏନେଇ ଜିଲ୍ଲା ଶିକ୍ଷାଧିକାରୀ ବଶ୍ବନାଥ ସାହୁଙ୍କୁ ପଚାରିବାରୁ ସେ ଏନେଇ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି। ଏହି ଶିକ୍ଷକମାନଙ୍କୁ ଘଣ୍ଟ ଘୋଡାଉଛି କିଏ ବୋଲି ପ୍ରଶ୍ନ କରାଯାଇଛି। ଖଇରପୁଟରେ ରହିବେ ଆଉ ଦୁର୍ଗମ ସ୍କୁଲ ବୋଲି ସ୍କୁଲକୁ ଯିବେ ନାହିଁ। ତାହା ବ୍ଲକ ଶିକ୍ଷାଧିକାରୀ କିପରି ଜାଣିପାରୁନାହାନ୍ତି ତାହାକୁ ନେଇ ସାଧାରଣରେ ବେଶ ଚର୍ଚ୍ଚା। ଶିକ୍ଷା ବିଭାଗ ଏହାକୁ ଗୁରୁତ୍ବର ସହ ନେଇ ଶିକ୍ଷକମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ସମ୍ବନ୍ଧିତ ଖବର