ପୁରୀ: ରାତି ପାହିଲେ ଶିଶୁ ଦିବସ ପାଳନ ହେବ। ଶିଶୁଙ୍କୁ ନେଇ ଭାଷଣ ବାଜି ଚାଲିବ। ମାତ୍ର ଆଜି ବି ରାସ୍ତାକଡ଼ରେ ଶିଶୁମାନେ ସଂଘର୍ଷ କରୁଛନ୍ତି, କାଲି ମଧ୍ୟ କରୁଥିବେ। ବଡ଼ଶଙ୍ଖ, ବସଷ୍ଟାଣ୍ଡ ଓ ମେଡିକାଲ ଛକରେ କୋମଳମତିଙ୍କ ସଂଘର୍ଷର ଚିତ୍ର ଶିଶୁଦିବସ ନେଇ ଭିନ୍ନ ଭାବେ ଚିନ୍ତା କରିବାକୁ ବାଧ୍ୟ କରୁଛି। ପାରିବାରିକ ଅବହେଳା ଓ ଅଭାବୀ କିଛି ପିଲାଙ୍କ ଭବିଷ୍ୟତକୁ ଅନିଶ୍ଚିତତା ଆଡ଼କୁ ଠେଲି ଦେଇଛି। କ୍ଷୀର ଖାଉଥିବା ଶିଶୁକୁ କିଛି ମହିଳା କୋଳରେ ଧରି ଡହଡହ ଖରାରେ ଭିକ୍ଷାବୃତ୍ତି କରୁଛନ୍ତି। ଲୋକଙ୍କ ଭାବାବେଗ ସହ ଖେଳି ଅର୍ଥ ଉପାର୍ଜନର ମାଧ୍ୟମ କରିଛନ୍ତି। କିଛି ଅଭିଭାବକ ପିଲାମାନଙ୍କୁ ହାତବାରିସୀ କରି ଭିକ୍ଷା ବୃତ୍ତି କରାଉଛନ୍ତି। ଆଉ କିଛି ଶିଶୁ ପିତାମାତାମାନେ କାମ କରିବାକୁ ବାହାରକୁ ଚାଲିଯିବା ପରେ ଭିକ୍ଷାବୃତ୍ତିକୁ ଆପଣାଉଛନ୍ତି। କେବଳ ଭିକ୍ଷାବୃତ୍ତି ନୁହେଁ, ପରିବାର ହାଟ ହେଉ କି ମାଛ ହାଟ। ଜଳଖିଆ ଦୋକାନ ହେଉ ଅବା ହୋଟେଲ।
Sambad is now on WhatsApp
Join and get latest news updates delivered to you via WhatsApp
କୁନିକୁନି ପିଲାମାନଙ୍କ ଭାଗ୍ୟ ଏବେ ବନ୍ଧା ପଡ଼ିଯାଇଛି। ସରକାରୀ ଯୋଜନା ଓ ସହାୟତା ସେମାନଙ୍କ ପାଇଁ ସାତ ସପନ ହୋଇଯାଇଛି। ବଡ଼ଶଙ୍ଖ ପରିବା ହାଟରେ କିଛି ଶିଶୁ ବ୍ୟବସାୟ କରୁଥିଲେ। ପୋଖତ ବ୍ୟବସାୟୀ ଭଳି ଗ୍ରାହକଙ୍କୁ ବ୍ୟବହାର କରୁଥିଲେ। ପିଲାମାନଙ୍କୁ ଏହି ବୟସରୁ ରୋଜଗାରର ରାସ୍ତା ଦେଖାଇବା ଓ ପାଠକୁ ଅଗ୍ରାଧିକାର ନଦେବା ସେମାନଙ୍କ ମାନସିକତାକୁ ନିଶ୍ଚୟ ପ୍ରଭାବିତ କରିବ ବୋଲି ଶିଶୁ କର୍ମୀମାନେ କହିଛନ୍ତି। ଏ ଚିତ୍ର ଆଜିର ନୁହେଁ, ବରଂ ସବୁଦିନ ଏଭଳି ସମ୍ବେଦନଶୀଳ ଚିତ୍ର ଆଖି ସାମ୍ନାରେ ନାଚିଯାଏ। କେହି କେହି ମେଡିକାଲ ଛକରେ ପିଲାମାନେ ଡଟ୍ପେନ୍ ବିକ୍ରି କରୁଥିବା ଦେଖି ଦୟାରେ ସେମାନଙ୍କଠୁ କିଣିନିଅନ୍ତି, ଅବା ବଡ଼ଶଙ୍ଖ ବଜାରରୁ ପରିବା କିଣି ନିଅନ୍ତି। ଯେଉଁ ବୟସରେ ଖେଳିବୁଲି ମଜା କରିବା କଥା ସେ ବୟସରେ କାନ୍ଧରେ ବୋଝ ଲଦି ଦେବା ଯେ ଅନ୍ୟାୟ ଏହା ନା କେହି ବୁଝାନ୍ତି, ନା ଅଭିଭାବକମାନେ ଶୁଣିବାକୁ ପ୍ରସ୍ତୁତ ଥାଆନ୍ତି। ପରିବାରର ସଂଘର୍ଷ ଯେ ଶିଶୁମାନଙ୍କ ଉପଭୋଗ୍ୟ ଶୈଶବକୁ ବିଦାରି ଦେଉଛି ଏକଥା ଅଭିଭାବକମାନଙ୍କୁ ବୁଝାଇବ କିଏ?
ବଞ୍ଜାରା ପିଲାମାନଙ୍କ ସ୍ଥିତି ଅତ୍ୟନ୍ତ ଦୟନୀୟ। ମା’ ବାପା ସେମାନଙ୍କ କୁନିକୁନି ପିଲାମାନଙ୍କୁ ବେଲୁନ୍, ପେନ୍ ବିକ୍ରି ଓ ଭିକ୍ଷାବୃତ୍ତି ଭଳି କାର୍ଯ୍ୟରେ ନିୟୋଜିତ କରୁଛନ୍ତି। ଏଥିରୁ ସେମାନଙ୍କୁ ଦୂରେଇ ରଖିବା ପାଇଁ ବହୁବାର ଚାଇଲ୍ଡ ଲାଇନ୍ର କାର୍ଯ୍ୟକର୍ତ୍ତାମାନେ ସେମାନଙ୍କୁ ଯାଇ ସଚେତନ କରାଇଛନ୍ତି। ମାତ୍ର ଅଭିଭାବକମାନେ ସେମାନଙ୍କୁ ଦେଖିଲେ ଫଁ ଫଁ ଗର୍ଜନ୍ତି। ପିଲାମାନେ ସେମାନଙ୍କୁ ଏମିତି ଚିହ୍ନିଗଲେଣି ଯେ ସେ ସ୍ଥାନରେ ଚାଇଲ୍ଡ ଲାଇନ୍ର କର୍ମକର୍ତ୍ତାଙ୍କୁ ଦେଖିଲେ ଛତ୍ରଭଙ୍ଗ ଦିଅନ୍ତି। ଷ୍ଟେସନ ରୋଡ୍ଠୁ ନେଇ ତାଳବଣିଆ ହେଲିପ୍ୟାଡ୍ ଓ ଲୋକନାଥ ରୋଡ୍ରେ ତମ୍ଭୁ ଟାଣି ରହୁଥିବା ବଞ୍ଜାରାମାନଙ୍କ ପିଲାଙ୍କର ବିକଳ ମୁହଁ ହିଁ ସୂଚାଇ ଦିଏ ସେମାନେ କେତେ ନିଃସହାୟ। ଶ୍ରୀମନ୍ଦିର ସମ୍ମୁଖରେ ଯେତେବେଳେ ପିଲାମାନେ ଫିନ୍ଫିନ୍ ପୋଷାକ ପିନ୍ଧି ସ୍କୁଲ୍ ଯାଉଥାଆନ୍ତି, ସେତେବେଳେ ବଞ୍ଜାରା ପିତାମାତାମାନେ ନିଜ ପିଲାମାନଙ୍କ ହାତରେ ବେଲୁନ୍ ଧରେଇ ଦେଇ ବ୍ୟବସାୟର ହାତ ବାରିସି କରିଥାଆନ୍ତି। ଶିଶୁଙ୍କ କ୍ଷେତ୍ରରେ ସମସ୍ୟା ସମାଧାନ ତ ହେଉଛି, କିନ୍ତୁ ମୂଳପୋଛ ହୋଇପାରୁନାହିଁ। ଏବେ ବି ବହୁ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ୁଛନ୍ତି। ଶିଶୁମାନଙ୍କ ଲାଗି କାମ କରୁଥିବା ସନ୍ତୋଷ ରାଉତ କହିଛନ୍ତି, ଅଭିଭାବକମାନେ ପିଲାମାନଙ୍କୁ ଶିକ୍ଷା ମନସ୍କ କରିବା ଯେତିକି ମହତ୍ବପୂର୍ଣ୍ଣ, ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ସେତିକି ଗୁରୁତ୍ବପୂର୍ଣ୍ଣ।