କାଲିରାତି ଖୁସିରେ ଥିଲେ ଯୁବକ, ଆଜି ସକାଳୁ ୧୧କେଭି ବିଦ୍ୟୁତ୍‌ ତା’ରରେ ଜୀବନ ହାରିଲେ

ସିଙ୍ଗଡ଼ା (ମୟୂରଭଂଜ) ୧୧ କେଭି ବିଦ୍ୟୁତ ତା’ର ସଂସ୍ପର୍ଶରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୟୂରଭଂଜ ଜିଲ୍ଲା ରରୁଆ ଥାନା ସିଙ୍ଗଡ଼ା ନିକଟ ବଡ଼ବିଲ ଗାଁର ଜଣେ ଯୁବକ ଜିଅନ୍ତା ଜଳି ଯାଇଛନ୍ତି। ମୃତ ବ୍ୟକ୍ତି ହେଲେ ନରହରି ମହାନ୍ତ(୨୭)।

ସିଙ୍ଗଡ଼ା ଫାଣ୍ଡି ଅଧିକାରୀଙ୍କ ସୂଚନା ଅନୁସାରେ ବଡ଼ବିଲ ଗାଁର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ନରହରି ଆଜି ସକାଳ ପ୍ରାୟ ୬ଟାରେ ୧୧କେଭି ବିଦ୍ୟୁତ ଖୁଣ୍ଟକୁ ଚଢ଼ିଥିଲେ। ଏହା ପରେ ସେ ବିଦ୍ୟୁତ ତା’ର ସଂସ୍ପର୍ଶରେ ଆସି ଜଳିଯାଇଥିଲେ। ତେବେ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଉଦ୍ଧାର କରିଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧/୨ ବର୍ଷ ହେବ ନରହରିଙ୍କ ବାହାଘର ହୋଇଥିଲା। ଗତକାଲି (ଶୁକ୍ରବାର) ନରହରିଙ୍କ ଶ୍ବଶୁର ଘର ଲୋକେ ତାଙ୍କ ଘରକୁ ଆସିଥିଲେ। ଏଥି ପାଇଁ ରାତିରେ ସେ ଖୁସିରେ ଥିଲେ। ରାତ୍ରି ଭୋଜନରେ ମାଂସ-ଭାତ ଖାଇଥିଲେ। ନରହରି ଆଜି ଭୋର ସକାଳୁ ଉଠିଥିଲେ। ପ୍ରାୟ ୪କିମି ସାଇକେଲ ଚଳାଥିଲେ। ଶେ‌ଷର ଜଙ୍ଗଲିଆ ରାସ୍ତାରେ ଯାଇଥିବା ୧୧କେଭି ବିଦ୍ୟୁତ ଖୁଣ୍ଟକୁ ଚଢ଼ି ଜୀବନ ହାରିଥିଲେ।

 

ସମ୍ବନ୍ଧିତ ଖବର