ରାଉରକେଲାର ‘କଏନ୍‌ ମ୍ୟାନ୍‌’ କବିଚନ୍ଦ୍ର, ସଂଗ୍ରହ କଲେଣି ସାଢ଼େ ୪ ହଜାର ପ୍ରକାରର ମୁଦ୍ରା-ନୋଟ୍‌

ବହୁ ରାଜା, ସମ୍ରାଟ, ସୁଲତାନଙ୍କ ଅମଳର ମୁଦ୍ରା

ରାଉରକେଲା: ପେଶା ଆରଏସପି ଚାକିରୀ, ନିଶା କିନ୍ତୁ ମୁଦ୍ରା ସଂଗ୍ରହ। ତାଙ୍କ ପାଖରେ କେବଳ ସ୍ବାଧୀନ ଭାରତର ମୁଦ୍ରା ନୁହେଁ ବରଂ ରାଜାରାଜୁଡ଼ା ଅମଳର ମୁଦ୍ରା ରହିଛି। ଭାରତର ସ୍ବାଧୀନତା ପୂର୍ବର ୮୬ ଟି ରାଜା ରାଜୁଡା ଶାସିତ ରାଜ୍ୟରେ ପ୍ରଚଳିତ ମୁଦ୍ରା ଓ ୧୩୫ ରୁ ଉର୍ଦ୍ଧ୍ୱ ଦେଶର ନୂଆ, ପୁରୁଣା, ପ୍ରାଚୀନ ଓ ଦୁର୍ଲଭ ମୁଦ୍ରା ସଂଗ୍ରହ କରିସାରିଲେଣି। ଏହି ମୁଦ୍ରା, ନୋଟ୍‌ର ସଂଖ୍ୟା ୫ ହଜାର ଟପିବ। ଏବେ ତାଙ୍କ ବାସଭବନ ଏକ ମିନି ମୁଦ୍ରା ସଂଗ୍ରହାଳୟ କହିଲେ ଅତ୍ୟୁକ୍ତି ହେବନାହିଁ।ଦେଶର ବିଭିନ୍ନ ସହରରେ ମୁଦ୍ରା ପ୍ରଦର୍ଶନୀ କରି ‘ପ୍ରାଚୀନ ଗୌରବମୟ ଇତହାସକୁ ବଞ୍ଚେଇ ରଖିବାର ମଙ୍ଗ ଧରିଛନ୍ତି। ସେ ହେଉଛନ୍ତି ସେକ୍ଟର-୧୪ରେ ରହୁଥିବା ମୁଦ୍ରାଶାସ୍ତ୍ରୀ ଓ ପୁରାତନତତ୍ତ୍ବିବିତ କବିଚନ୍ଦ୍ର ମହନ୍ତ।

ବଣାଇଁ ଶରଧାପୁରରେ ଜନ୍ମଗ୍ରହଣ କରିଥିବା କବିଚନ୍ଦ୍ର ପିଲାଟି ଦିନରୁ ମୁଦ୍ରା ପ୍ରତି ଆକୃଷ୍ଟ ହୋଇଥିଲେ। ବି‌ଶେଷକରି ପୁରୁଣା ମୁଦ୍ରା ଦେଖିବାକୁ ଭଲ ପାଉଥିଲେ। ମାତ୍ର ସେ ସମୟରେ ଏହା ସମ୍ଭବ ହେଉନଥିଲା। ଏଣୁ ପାଠପଢ଼ି ଆର୍‌ଏସ୍‌ପିରେ ନିଯୁକ୍ତି ପାଇବାପରେ ମୁଦ୍ରା ସଂଗ୍ରହ ପ୍ରତି ରୁଚି ଜାଗ୍ରତ ହୋଇଥିଲା। ୨୦୦୬ ମସିହାରେ ସେ ଏହି ମୁଦ୍ରା ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲେ। ଇତିମଧ୍ୟରେ ପ୍ରାୟ ୧୫ ବର୍ଷ ବିତିଗଲାଣି, ଅନବରତଭାବେ ମୁଦ୍ରା ସଂଗ୍ରହ କରିଚାଲିଛନ୍ତି। ଦେଶର ଯେ କୌଣସି ସହରରେ ମୁଦ୍ରା ପ୍ରଦର୍ଶନୀ ହେଲେ ପହଞ୍ଚିଯାଆନ୍ତି।

‘ମୁଦ୍ରା ସୁରକ୍ଷା, ଐତିହ୍ୟ ସୁରକ୍ଷା’ ମନ୍ତ୍ରକୁ ନେଇ ଆଗେଇ ଚାଲିଛନ୍ତି। ସେ କେବଳ ପ୍ରଦର୍ଶନ‌ୀ ଉପଭୋଗ କରିବାକୁ ଯାଆନ୍ତି ନାହିଁ, ବରଂ ପୁରାତନ ଯୁଗର ମୁଦ୍ରା ସଂଗ୍ରହ ବି କରନ୍ତି। ଇତିମଧ୍ୟରେ ଶତାଧିକ ପ୍ରଦର୍ଶନରେ ସେ ଭାଗନେଇ ନିଜର ସଂଗୃହୀତ ମୁଦ୍ରାକୁ ପ୍ରଦର୍ଶନ କରିଛନ୍ତି। ଏମିତିକି ଓଡ଼ିଶାରେ ପ୍ରଥମଥର ପାଇଁ ମୁଦ୍ରା ପ୍ରଦର୍ଶନ ଆୟୋଜନ କରିବାର ରେକର୍ଡ ସୃଷ୍ଟି କରିଛନ୍ତି। ମୁଦ୍ରା ସଂଗ୍ରହ ସମେତ ମୁଦ୍ରାକୁ ଚିହ୍ନଟ କରିବା, ମୁଦ୍ରାରେ ଉଲ୍ଲେଖ ବିଷୟରେ ଜ୍ଞାନ ଆହରଣ କରିବାକୁ ୨୦୧୩-୧୫ ମସିହାରେ ମୁମ୍ବାଇ ବିଶ୍ବବିଦ୍ୟାଳୟରୁ ‘ନ୍ୟୁମିସମାଟିକ୍‌ସ ଆଣ୍ଡ୍‌ ଆର୍କିଓଲୋଜି’ରେ ସ୍ନାତକୋତ୍ତର ଶିକ୍ଷା ଗ୍ରହଣ କରିଥିଲେ।

କବିଚନ୍ଦ୍ର ଲଣ୍ଡନ ସ୍ଥିତ ‘ଓରିଏଣ୍ଟାଲ ନିୟୁମିସମାଟିକ୍‌ସ ସୋସାଇଟି’ ଏବଂ କୋଲକାତାସ୍ଥିତ ‘ନିୟୁମିସ୍‌ମାଟିକ୍‌ସ ସୋସାଇଟି’ର ସଦସ୍ୟ ଅଛନ୍ତି। ଏତଦ୍‌ବ୍ୟତୀତ ସ୍କୁଲ, କଲେଜ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ମୁଦ୍ରା ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ପ୍ରକିୟା, ଏ ସଂପର୍କୀତ ଜ୍ଞାନ ପ୍ରଦାନ କରୁଛନ୍ତି। ଆଗକୁ ଏନେଇ ଉପାଦେୟ ପୁସ୍ତକ ପ୍ରକାଶ କରିବାକୁ ମଧ୍ୟ ସେ ଯୋଜନା ରଖିଛନ୍ତି। ଇତିମଧ୍ୟରେ ପ୍ରାୟ ୮ ଟି ପୁସ୍ତକ ଲେଖିସାରିଛନ୍ତି। ମାତ୍ର ଅର୍ଥାଭାବ ଯୋଗୁଁ ପୁସ୍ତକ ପ୍ରକାଶିତ ହୋଇପାରୁନି। ଶ୍ରୀ ମହନ୍ତ କହିଲେ, ମୁଦ୍ରା ସଂଗ୍ରହରେ ବିଜ୍ଞାନ, ପ୍ରାଚୀନ ପରମ୍ପରା, ଐତିହ୍ୟ, ସାହିତ୍ୟ ଓ ଇତିହାସ ଲୁଚି ରହିଛି। ଅଧିକ ଗବେଷଣା ମାଧ୍ୟମରେ ଏହାକୁ ଲୋକଲୋଚନକୁ ଆଣିବା ଉଚିତ। ଏହାଦ୍ବାରା ଆଗାମୀ ପିଢ଼ି ନିଜର ସ୍ବର୍ଣ୍ଣିମ ଇତିହାସ ବିଷୟରେ ଅବଗତ ହୋଇପାରିବେ। ବ୍ୟକ୍ତିଗତ ସ୍ତରରେ ମୁଁ ପ୍ରୟାସ ଜାରି ରଖିଛି। ତେବେ ଏନେଇ ସ୍ତରରେ ଉପଯୁକ୍ତ ପ୍ରୋତ୍ସାହନ ମିଳିଲେ ବହୁମାତ୍ରାରେ ସହାୟକ ହୋଇପାରନ୍ତାବୋଲି କହିଛନ୍ତି।

ସାଢ଼େ ୪ ହଜାର ପ୍ରକାରର ମୁଦ୍ରା, ନୋଟ୍‌

କବିଚନ୍ଦ୍ରଙ୍କ ପାଖରେ ଷଷ୍ଠ ଶତାବ୍ଦୀଠାରୁ ଆରମ୍ଭକରି ଆଜି ପର୍ଯ୍ୟନ୍ତ ପ୍ରାୟ ସାଢ଼େ ହଜାର ପ୍ରକାରର ମୁଦ୍ରା, ନୋଟ୍‌ ରହିଛି। ତେବେ ବିଭିନ୍ନ ରାଜାରାଜୁଡ଼ା ଅମଳର ମୁଦ୍ରା, ସ୍ବାଧୀନ ଭାରତର ମୁଦ୍ରା, ନୋଟ୍‌ ତଥା ବିଭିନ୍ନ ରାଷ୍ଟ୍ରର ମୁଦ୍ରା, ନୋଟ୍‌କୁ ମିଶାଇଲେ ମୋଟ୍‌ ପରିମାଣ ୫ ହଜାରରୁ ଉର୍ଦ୍ଧ୍ବ ହେବ। ସ୍ବାଧୀନତା ପୂର୍ବବର୍ତ୍ତୀ ଭାରତର ୮୬ଟି ରାଜ୍ୟର ସ୍ବର୍ଣ୍ଣ ମୁଦ୍ରା, ରୌପ୍ୟ ମୁଦ୍ରା ସମେତ ମୋଗଲ ମୁଦ୍ରା, ପଞ୍ଚମାର୍କ ମୁଦ୍ରା, ବ୍ରିଟିଶ ଇଣ୍ଡିଆ ସମୟରେ ତିଆରି ପ୍ରଥମ ସ୍ବର୍ଣ୍ଣମୁଦ୍ରା, ଓଡ଼ିଆ ଭାଷାରେ ଲେଖାଥିବା ଜାହାଙ୍ଗୀରଙ୍କ ରୌପ୍ୟ ମୁଦ୍ରା, ଆଫ୍ରିକୀୟ ଦେଶ ଟୁଭାଲୁର ଦ୍ବାରା ନିର୍ମିତ ତଥା ମହାରାଣା ପ୍ରତାପଙ୍କ ଛବି ଥିବା ୧ କେଜି ଶହେ ଗ୍ରାମର ‌‌ରୌପ୍ୟ ମୁଦ୍ରା, ଇଣ୍ଡୋନେସିଆରେ ପ୍ରଚଳିତ ଭଗବାନ ଗଣେଶଷଙ୍କ ଫଟୋ ଥିବା ୨୦ ହଜାର ଟଙ୍କିଆ ନୋଟ୍‌ ଆଦି ବିଭିନ୍ନ ପ୍ରକାରର ମୁଦ୍ରା, ଚନ୍ଦ୍ରଗୁପ୍ତଙ୍କ ସ୍ବର୍ଣ୍ଣମୁଦ୍ରା ତନ୍ମଧ୍ୟରୁ ଅନ୍ୟତମ।

ଖ୍ରୀଷ୍ଟପୂର୍ବ, ମଧ୍ୟଯୁଗର ବି ମୁଦ୍ରା

କବିଚନ୍ଦ୍ର କେବଳ ସ୍ବାଧୀନ ଭାରତ ପୂର୍ବ ସମୟର ମୁଦ୍ରା ସଂଗ୍ରହ କରିନାହାନ୍ତି, ବରଂ ଖ୍ରୀଷ୍ଟପୂର୍ବ, ମଧ୍ୟଯୁଗରେ ପ୍ରଚଳିତ ମୁଦ୍ରାକୁ ମଧ୍ୟ ସଂଗ୍ରହ କରିବାରେ ସଫଳ ହୋଇଛନ୍ତି। ଖ୍ରୀଷ୍ଟପୂର୍ବ ଦ୍ବିତୀୟରୁ ଷଷ୍ଠ ଜନପଦ ଅମଳର ମୁଦ୍ରା ରହିଛି। ଗାନ୍ଧାର ଜନପଦ, କୋଶଳ ଜନପଦ, ମହାକୋଶଳ ଜନପଦ, କଳିଙ୍ଗ ଜନପଦ ସମୟର ମୁଦ୍ରା ରଖିଛନ୍ତି। ଏତଦ୍‌ବ୍ୟତୀତ ମଧ୍ୟଯୁଗ ସମୟର ଏକାଧିକ ରାଜାଙ୍କ ଶାସନରେ ପ୍ରଚଳିତ ମୁଦ୍ରା ଅଛି। ଛତ୍ରପତି ଶିବାଜୀଙ୍କ ଅମଳରେ ପ୍ରଚଳିତ ୮୦ଟି ମୁଦ୍ରା ସମେତ ପୃଥ୍ବୀରାଜ, ଆକବର, ଜାହାଙ୍ଗୀର, ଔରଙ୍ଗଜେବ, ଆଲ୍ଲାଉଦ୍ଦି ଖିଲଜୀ, ସେର୍‌ ଶାହା ସୁରୀ, ଇସ୍‌ଲାମ ଶାହା ସୁରୀଙ୍କ ସମୟର ମୁଦ୍ରା ରହିଛି। ଏତଦ୍‌ବ୍ୟତୀତ ସ୍ବାଧୀନତା ପୂର୍ବ ଭାରତର ବିଭିନ୍ନ ରାଜା, ଯଥା- ଗ୍ବାଲିଅର, ଜୟପୁର, ରତନମ୍‌, ଯୋନପୁର, ଇନ୍ଦୋର, ବସ୍ତର, ଜୁନାଗଡ଼, ଗଡ଼ୱାଲ, ଅଲମୋଡ଼ା, କିଶାନଗଡ଼, ବିକାନେର, ଜୟସାଲମେର, ରନ୍ଥାମ୍ଭର, ଜମ୍ମୁ ଓ କଶ୍ମୀର, କୁଚବିହାର, ଓହମ, ତ୍ରିପୁରା, ସିକ୍କିମ, ଲୁନାବେଡ଼ା, ମଦୁରାଇ, କାଞ୍ଚି, ମହୀଶୂର, ହାଇଦ୍ରାବାଦ, ପଟିଆଲ, ରତଲାମ, ବାହାଦୂରଗଡ଼ ଆଦି ଏକାଧିକ ରାଜ୍ୟର ମୁଦ୍ରା ରହିଛି।

ସମ୍ବନ୍ଧିତ ଖବର