ଚାରିମାସ ହେଲା ମିଳିନି ଖାଉଟି ସାମଗ୍ରୀ: ବ୍ଲକ୍‌ ଅଫିସ୍‌ ଘେରିଲେ ହିତାଧିକାରୀ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ ବଡ଼ଦୋହେଲ ପଞ୍ଚାୟତର ପଖାନସର ଗ୍ରାମର ଶତାଧିକ ଗରିବ ହିତାଧିକାରୀଙ୍କୁ ଚାରି ମାସ ହେଲା ଖାଉଟି ସାମଗ୍ରୀ ମିଳିନାହିଁ। ଫଳରେ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ସୋମବାର ଶତାଧିକ ଗ୍ରାମବାସୀ ଖଡ଼ିଆଳ ବ୍ଲକ୍‌ ଅଫିସ୍‌ ଘେରାଉ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ୪ ମାସ ହେଲା ସେମାନଙ୍କୁ ଚାଉଳ ମିଳି ନାହିଁ। ପଞ୍ଚାୟତର ଯୋଗାଣ ସହାୟକଙ୍କୁ ବାରମ୍ବାର ଚାଉଳ ଦେବା ପାଇଁ କହିଲେ ଆଜି ଦେବି କାଲି ଦେବି କହି ଦିନ ଗଡ଼ାଇ ଚାଲୁଛନ୍ତି। ଫଳରେ ଗରିବ ହିତାଧିକାରୀମାନେ ବହୁ କଷ୍ଟରେ ଚଳୁଛନ୍ତି। ଯୋଗାଣ ସହାୟକ ଚାଉଳ ଉଠାଇ ନିଜେ ଆତ୍ମସାତ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଆସନ୍ତା ୭ ଦିନ ମଧ୍ୟରେ ସମସ୍ତ ହିତାଧିକାରୀଙ୍କୁ ସେମାନଙ୍କ ଚାଉଳ ଯୋଗାଇ ଦିଆ ନଗଲେ ବ୍ଲକ୍‌ ଅଫିସ୍‌ ସମ୍ମୁଖରେ ଜୋରଦାର ଆନ୍ଦୋଳନ ହେବ ବୋଲି ଶ୍ରୀ ତାଣ୍ଡି ଚେତାବନୀ ଦେଇଛନ୍ତି। ପୂର୍ଣ୍ଣଚନ୍ଦ୍ର ବାଗ, ବୃନ୍ଦା ତାଣ୍ଡି, ଅର୍ଜୁନ ତାଣ୍ଡି, ଶୋଭା ବାଗ, ସୀମା ତାଣ୍ଡି, ଦୀନବନ୍ଧୁ ବାଗ, ବବଲୁ ତାଣ୍ଡି, ନିର୍ମଳ ତାଣ୍ଡି, ମନୁ ତାଣ୍ଡି ପ୍ରମୁଖଙ୍କ ସମେତ ଶତାଧିକ ଗ୍ରାମବାସୀ ଏହି ଘେରାଉରେ ସାମିଲ ଥିଲେ। ଏନେଇ ଖଡ଼ିଆଳ ବିଡିଓ ବୀରସେନ ବେହେରାଙ୍କୁ ଅବଗତ କରିବାରୁ ମଙ୍ଗଳବାର ଖାଉଟି ସାମଗ୍ରୀ ପାଇ ନଥିବା ହିତାଧିକାରୀଙ୍କୁ ଚାଉଳ ବଣ୍ଟନ କରାଯିବ। ଯଦି ସମ୍ପୃକ୍ତ ଯୋଗାଣ ସହାୟକ କୌଣସି ଭୁଲ କରିଛନ୍ତି ତା’ ହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର