ନ୍ୟାୟ ବ୍ୟବସ୍ଥାରେ ଅସଂଗତି: ବିଚାରାଧୀନ ବନ୍ଦୀଙ୍କ ଦଶା

ସବ୍ୟସାଚୀ ପଣ୍ଡା

କହିବା ବାହୁଲ୍ୟ ଯେ, ୧୯୪୭ ଅଗଷ୍ଟ ୧୫ ପୂର୍ବରୁ ବ୍ରିଟିସ ଶାସନ କାଳରେ ଥିବା ଶାସନ-ପ୍ରଶାସନ ବ୍ୟବସ୍ଥା ଓ ନ୍ୟାୟ ବ୍ୟବସ୍ଥା ଇତ୍ୟାଦି ଆମେ ମୋଟାମୋଟି ଭାବେ ଉତ୍ତରାଧିକାର ସୂତ୍ରରେ ପାଇଛୁ। ଆମେ ଭାରତୀୟମାନେ ଅଧିକାଂଶ ହେଲୁ ପ୍ରଭୁ ଭକ୍ତ। ୧୯୪୭ ପୂର୍ବରୁ ପ୍ରଶାସନିକ ଅଧିକାରୀ ଓ ନ୍ୟାୟାଧୀଶମାନଙ୍କୁ ଆମର କେତେ ଜଣ ବାଧ୍ୟ ହୋଇ ‘ପ୍ରଭୁ’ ବା ଇଂରେଜୀରେ ‘ମାଇଁ ଲର୍ଡ’ ବୋଲି ସଂବୋଧନ କରୁଥିଲେ ତ ଆଉ କିଛି ଆନୁଗତ୍ୟରେ ‘ପ୍ରଭୁ’ ବୋଲି ସଂବୋଧନ କରୁଥିଲେ। ଏଇ କେତେ ବର୍ଷ ଆଗରୁ ଆମ ସର୍ବୋଚ୍ଚ ନ୍ୟାୟାଳୟ ‘ମାଇଁ ଲର୍ଡ’ ସଂବୋଧନକୁ ବାରଣ କରିଛନ୍ତି। ଏହାର ପୂର୍ବ ପର୍ଯ୍ୟନ୍ତ ଏଭଳି ପ୍ରଭୁଭକ୍ତିର ପ୍ରତୀକାତ୍ମକ ସଂବୋଧନଟି ଆମ ଦେଶର ନ୍ୟାୟାଳୟରେ ମଧ୍ୟ ବଳବତ୍ତର ଥିଲା। ବ୍ରିଟିସ୍ ସାମ୍ରାଜ୍ୟବାଦ ତା’ର ଶାସନ ଓ ଶୋଷଣକୁ ସୁହାଇବା ପରି ଅନେକ ଆଇନ ତିଆରି କରିଥିଲା। ଏପରି ପ୍ରାୟ ୧୮୫ଟି ଆଇନ ଆମ ପ୍ରଭୁ ଭକ୍ତିର ମାପକାଠି ସାଜି ଏ ଯାବତ୍ ବଳବତ୍ତର ରହିଛି। ମୂଳ ଆଇନରେ ସାମାନ୍ୟ ଏପଟ ସେପଟ କରି ଆମେ ଆହୁରି ଅନେକ ଆଇନ ଏ ଯାବତ୍ ଚଳାଇ ରଖିଛୁ। ନାମ ପରିବର୍ତ୍ତନ ପୂର୍ବରୁ ଓ ପରେ ଭାରତୀୟ ସାକ୍ଷ୍ୟ ଆଇନ, ଭାରତୀୟ ଦଣ୍ଡ ସଂହିତା ଓ ଫୌଜଦାରୀ ମାମଲା ପଦ୍ଧତି ନିୟମାବଳୀ (ଇଣ୍ଡିଆନ୍ ଏଭିଡେନ୍‌ସ ଆକ୍‌ଟ, ଇଣ୍ଡିଆନ୍ ପେନାଲ୍‌ କୋଡ୍ ଆଣ୍ଡ୍ କ୍ରିିମିନାଲ୍ ପ୍ରସ୍ୟୁଜର୍ କୋଡ୍) ମଧ୍ୟ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ।
ଅନ୍ୟ ପଟେ, ବ୍ରିଟିସ୍‌ ଶାସନ ବିରୋଧରେ ସଂଗ୍ରାମ କରି ଜେଲ୍ ମଧ୍ୟରେ ଥିବା ତଥା ସେଠାରେ ଥାଇ ବ୍ରିଟିସ ବିଚାର ବ୍ୟବସ୍ଥାର ନକାରାତ୍ମକ ପରିବେଶର ସମ୍ମୁଖୀନ ହୋଇଥିବା ସଂଗ୍ରାମୀମାନେ କିଛି ସଫଳତା ହାସଲ କରିଥିଲେ। ତାଙ୍କରି ଉପଲବ୍‌ଧି ଆଧାରରେ ୧୯୪୭ ମସିହାରେ ଭାରତ ସ୍ବାଧୀନ ହେବା ପରେ ସେମାନେ ଶାସକ ସାଜିଲେ ଏବଂ ବିଚାର ବ୍ୟବସ୍ଥାରେ କିଛି ସଂସ୍କାର ପାଇଁ ଏକ ନୂତନ ଆଇନ ଜନ୍ମ ନେଇଥିଲା; ଯାହା ଥିଲା ବନ୍ଦୀମାନଙ୍କ କୋର୍ଟରେ ଉପସ୍ଥିତି ଆଇନ, ୧୯୫୫- ‘ପ୍ରିଜନର୍ସ ଆଟେନ୍‌ଡାନସ୍ ଇନ୍ କୋର୍ଟ ଆକ୍‌ଟ-୧୯୫୫’। କିନ୍ତୁ ବିଡ଼ମ୍ବନା ହେଲା, ଏବେ ଏହି ଆଇନ ଖାଲି କାଗଜପତ୍ରରେ ଆଇନ ହୋଇ ରହିଯାଇଛି।
ଏ ଆଇନର ଭୂମିକାରେ ତା’ର ଉଦ୍ଦେଶ୍ୟଟି ଲିଖିତ ଅଛି। ତାହାର ସାରାଂଶ ହେଲା “ଜଣେ ବନ୍ଦୀକୁ କୋର୍ଟରେ ସାକ୍ଷ୍ୟ ପ୍ରଦାନ ପାଇଁ କିମ୍ବା ତା’ର ବିଚାର ପାଇଁ ଉପସ୍ଥିତ କରାଇବା ନିମନ୍ତେ ଥିବା ‘ବନ୍ଦୀମାନଙ୍କ ଆଇନ-୧୯୦୦’ର ନବମ ଭାଗରେ ସନ୍ନିବେଶିତ ନିୟମମାନ ଅସୁବିଧାଜନକ ଥିବାରୁ ଫୌଜଦାରୀ ମାମଲାର ବିଚାରରେ ଅନାବଶ୍ୟକ ବିଳମ୍ବ ଘଟିଚାଲିଛି ଏବଂ ବିଚାରାଧୀନ ବନ୍ଦୀମାନେ ଅନାବଶ୍ୟକ ଭାବେ ଅଟକ ରହିବାକୁ ବାଧ୍ୟ ହେଉଛନ୍ତି। ଯେଉଁ କାରଣରୁ ଏହି ପଦ୍ଧତିର ସରଳୀକରଣ ଆବଶ୍ୟକ ଏବଂ ସେଥି ଲାଗି ‘ବନ୍ଦୀମାନଙ୍କ କୋର୍ଟରେ ଉପସ୍ଥିତି’ ସଂକ୍ରାନ୍ତ ବିଲ୍‌ ଅଣାଗଲା।’’
ଏହା ଆଇନରେ ପରିଣତ ହେବା ପରେ ଏହା ଅନୁଯାୟୀ କୋର୍ଟ ଏକ ଉଲ୍ଲିଖିତ ଫର୍ମରେ ଜେଲ୍ ଅଫିସରଙ୍କୁ ନିର୍ଦ୍ଦେଶ ଦେଲା ପରେ ଜେଲ୍ ଅଫିସର ସଂପୃକ୍ତ ବନ୍ଦୀଙ୍କୁ ନେଇ କୋର୍ଟରେ ହାଜର କରାଇବେ। ସ୍ବାଧୀନତା ପୂର୍ବରୁ ଥିବା ବ୍ୟବସ୍ଥା ଅନୁଯାୟୀ କୋର୍ଟ, ତାଙ୍କ ନିର୍ଦ୍ଦେଶଟି କଲେକ୍ଟର କିମ୍ବା ସବ୍‌ କଲେକ୍ଟରଙ୍କ ପାଖକୁ ପଠାଉଥିଲେ। ଆଇନରେ ଉଲ୍ଲେଖ ନ ଥିଲେ ବି କଲେକ୍ଟରଙ୍କ ଦପ୍ତର ନିର୍ଦ୍ଦେଶଟିକୁ ଥାନାକୁ ପଠାଉଥିଲେ। ପୁଲିସ ସେ ନିର୍ଦ୍ଦେଶନାମା ଧରି ଜେଲ୍‌କୁ ଯାଇ ବନ୍ଦୀଙ୍କୁ କୋର୍ଟରେ ହାଜର କରିବାକୁ ନେଉଥିଲେ। ପୁରୁଣା ଆଇନରେ ତିନି ସେଣାରେ ପାଣି ଉଠୁଥିଲା। କୌଣସି କାରଣରୁ କଲେକ୍ଟର ଅଫିସରୁ ନିର୍ଦ୍ଦେଶ ପଠାଇବାରେ ବିଳମ୍ବ ହେଲେ କିମ୍ବା ଥାନାବାଲା ଅନ୍ୟ କାମରେ ବ୍ୟସ୍ତ ଥିଲେ ବା ବ୍ୟସ୍ତ ଥିବାର ଆଳ ଦେଖାଇ ସଂପୃକ୍ତ ବିଚାରାଧୀନ କଏଦୀଙ୍କୁ ଅଦାଲତରେ ନ ପହଞ୍ଚାଇଲେ ସ୍ବାଭାବିକ ଭା‌େ‌ବ ବିଚାର ହୋଇପାରୁ ନ ଥିଲା। ପୁଣି, ବିଚାର ପାଇଁ ଆଉ ଏକ ଦିନ ଧାର୍ଯ୍ୟ ହେଉଥିଲା। ତାରିଖ ପରେ ତାରିଖ ଗଡୁଥିଲା। ଏପରି ଭାବେ ଜଣେ ବିଚାରାଧୀନ ବନ୍ଦୀ ବିନା ବିଚାରରେ ଜେଲ୍‌ରେ ବର୍ଷ ବର୍ଷ ଶଢୁଥିଲା। ସେ ଦୋଷୀ ବୋଲି ପ୍ରମାଣିତ ନ ହୋଇ ବି ଏଭଳି ଦଣ୍ଡ ଭୋଗି ଚାଲୁଥିଲା।
ଦେଶ ସ୍ବାଧୀନ ହେବା ପରେ ଆମ ଆଇନ ପ୍ରଣେତାମାନେ ‘ବନ୍ଦୀମାନଙ୍କ (କୋର୍ଟରେ ଉପସ୍ଥିତି) ଆଇନ ୧୯୫୫’ ଦେଶକୁ ଭେଟି ଦେଲେ। ଏହି ଆଇନର ଧାରା ୫ରେ ଜଣେ ବନ୍ଦୀଙ୍କୁ କୋର୍ଟ ନିର୍ଦ୍ଦେଶ ମୁତାବକ ଜେଲ୍ କର୍ତ୍ତୃପକ୍ଷ କୋର୍ଟରେ ହାଜର କରାଇବା ନେଇ ସ୍ପଷ୍ଟ ଉଲ୍ଲେଖ ରହିଛି। କିନ୍ତୁ, ‘ସି.ଆର୍‌.ପି.ସି.’ର ସଂଶୋଧିତ ରୂପର ଭାଗ ୨୨ ଧାରା ୨୭୦ରେ ସେଇ ଏକା ପୁରୁଣା ନିୟମ ରହିଛି। ସୁତରାଂ, ଏଣିକି କୋର୍ଟରୁ ଜେଲ୍‌କୁ ନାଁକୁ ମାତ୍ର ନିର୍ଦ୍ଦେଶଟି ଗଲା ସିନା ଅସଲ କାର୍ଯ୍ୟକାରୀ କରିବାର ଦାୟିତ୍ବଟି ରହିଲା ସେଇ ପୁଲିସ ହାତରେ। ଯାହା ବଦଳିଲା, ତାହା ହେଉଛି ନିର୍ଦ୍ଦେଶଟି କଲେକ୍ଟରଙ୍କ ଦପ୍ତରକୁ ନ ଯାଇ ଜେଲ୍‌ ଦପ୍ତରକୁ ଗଲା। କିନ୍ତୁ ବନ୍ଦୀ କୋର୍ଟରେ ହାଜର ହେବ କି ନାହିଁ, ତାହା ପୁଲିସବାଲାଙ୍କ ଇଚ୍ଛା ଓ ସକ୍ରିୟତା ଉପରେ ନିର୍ଭର କଲା।
ବନ୍ଦୀମାନଙ୍କ କୋର୍ଟରେ ଉପସ୍ଥିତି ଆଇନ, ୧୯୫୫ର କିଛି ପ୍ରମୁଖ ବିଷୟ ଉପରେ ଚର୍ଚ୍ଚା କରାଯିବା ଦରକାର। ପ୍ରଥମ କଥା ହେଲା, ଜଣେ ଦୋଷ କରୁ ବା ନ କରୁ, ଅନ୍ୟ ଜଣେ ତା’ ଉପରେ ଅଭିଯୋଗ ଆଣିପାରିବ ସିନା ତାହା ସିଧାସଳଖ ଅଦାଲତୀ ମାମଲା ରୂପେ ଗୃହୀତ ହୁଏ ନାହିଁ। ସେ ଯିବ ପୁଲିସ ପାଖକୁ। ପୁଲିସ ତା’ ଅଭିଯୋଗ ଗ୍ରହଣ କରିପାରେ ବା ନ ପାରେ ମଧ୍ୟ। ଆମ ଫୌଜଦାରୀ ଆଇନ ଅନୁସାରେ କୌଣସି ବ୍ୟକ୍ତି ଅଭିଯୋଗ ନ କଲେ ମଧ୍ୟ, ପୁଲିସ ସିଧାସଳଖ ତା’ ପକ୍ଷରୁ ଅଭିଯୋଗ ପତ୍ରଟି ଲେଖି ଗ୍ରହଣ କରିପାରିବ। ଅର୍ଥାତ୍, ପ୍ରତ୍ୟକ୍ଷ ହେଉ ବା ପରୋକ୍ଷ ହେଉ, ପୁଲିସ ହିଁ ଅଭିଯୋଗକାରୀ ହୋଇ ରହିବ। ଅଭିଯୋଗ ଆଧାରରେ ପୁଲିସ ହିଁ ଅଭିଯୁକ୍ତକୁ ଗିରଫ କରିବ। ଥାନାରେ ବେଆଇନ ଭାବେ ମାର୍‌ପିଟ୍ କରି ତଥ୍ୟ ହାସଲ ଆଳରେ ନିର୍ଯାତନା ଦେବ। ନିର୍ଯାତନା ପରେ ଅଭିଯୁକ୍ତକୁ ଜେଲ୍ ପଠାଇ ଦିଆଯିବ। ଏଇଟା ବ୍ରିଟିସ ଷ୍ଟାଇଲ। କିନ୍ତୁ ଆମ ପୁଲିସ ଜାଣନ୍ତି ନାହିଁ ଯେ ବ୍ରିଟିସମାନେ ତାଙ୍କ ଦେଶରେ ଏ ଷ୍ଟାଇଲକୁ ନିଷେଧ କରି ସାରିଲେଣି। ବସ୍ତୁତଃ, କୋର୍ଟରେ ଅପରାଧ ନେଇ ବିଚାର ହେବା ପୂର୍ବରୁ ପୁଲିସ ଅଭିଯୁକ୍ତକୁ ଦୋଷୀ ରୂପେ ସଜାଇ ଅଧା ଦଣ୍ଡ ଦେଇ ସାରିଥାଏ। ଯଦିବା ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଇବା ବ୍ୟତୀତ ଆଇନ ପୁଲିସକୁ ଆଉ କୌଣସି ଅଧିକାର ଦେଇ ନାହିଁ।
ଏହା ପରେ ଅଭିଯୋଗପତ୍ର ଆଧାରରେ ତଦନ୍ତ ଚାଲେ। ଦୁଃଖର ବିଷୟ ଯେ ଆମ ଦେଶରେ ତଦନ୍ତ ଭାର ଅନ୍ୟ କୌଣସି ସଂସ୍ଥା ଉପରେ ନ୍ୟସ୍ତ କରି ଅଭିଯୋଗର ସତ୍ୟାସତ୍ୟ ଜାଣିବାର ଚେଷ୍ଟା କରାଯାଏନା। ପୁଲିସ ତଦନ୍ତ କରେ ଓ ସତ ମିଛ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରି ଅଭିଯୁକ୍ତ ବିରୋଧରେ କୋର୍ଟଙ୍କ ପାଖରେ ଅଭିଯୋଗ ଫର୍ଦ୍ଦ ଦାଖଲ କରେ। ତା’ରି ଆଧାରରେ କୋର୍ଟରେ ବିଚାର ଚାଲେ, ସାକ୍ଷୀ ଡକାଯାଏ, ସାକ୍ଷୀଙ୍କ ବୟାନ ଲିପିବଦ୍ଧ ହୁଏ ଓ ବିଚାର ପରେ ରାୟ ପ୍ରକାଶ ପାଏ।
ଏ ସମୁଦାୟ ପ୍ରକ୍ରିୟାରେ ମୂଳତଃ ପୁଲିସର ମାତ୍ରାଧିକ କ୍ଷମତା ଦୃଷ୍ଟିଗୋଚର ହୁଏ। ସେ ଏକାଧାରରେ ଅଭିଯୋଗକାରୀ (ପ୍ରତ୍ୟକ୍ଷ ବା ପରୋକ୍ଷ), ତଦନ୍ତକାରୀ। ତେଣୁ ଜଣେ ବିଚାରାଧୀନ ବନ୍ଦୀ ଜେଲ୍‌ରୁ କୋର୍ଟକୁ ଯିବା ନିର୍ଭର କରେ ପୁଲିସର ଇଚ୍ଛା, ଦୟା ଓ ସକ୍ରିୟତା ଉପରେ। କହିବା ନିଷ୍ପ୍ରୟୋଜନ ଯେ ଆଜିବି ଅଧିକାଂଶ ମାମଲାରେ ପୁଲିସ ବିଭାଗ ଇଚ୍ଛା କରି ଅସଂଖ୍ୟ ବିଚାରାଧୀନ ବନ୍ଦୀଙ୍କୁ କୋର୍ଟରେ ନିୟମିତ ହାଜର କରାଉନାହିଁ। ବନ୍ଦୀଟି ହାଜର ହୋଇଥିଲେ ମଧ୍ୟ ତଦନ୍ତକାରୀ ପୁଲିସ କର୍ମଚାରୀ ସାକ୍ଷୀଙ୍କୁ ଆଣନ୍ତି ନାହିଁ। ଅଦାଲତ ମଧ୍ୟ ସି.ଆର୍‌.ପି.ସି.ର ଧାରା ୩୦୯ ଅନୁଯାୟୀ ଫୌଜଦାରୀ ମାମଲାର ବିଚାର ପ୍ରତ୍ୟେକ ଦିନ କରି ତୁରନ୍ତ ମାମଲାର ପରିସମ‌ାପ୍ତି ଘଟାଇବାକୁ ଚେଷ୍ଟା କରନ୍ତିନି। ଧାରା ୩୦୯ରେ ଥିବା ବିକଳ୍ପ ନିୟମଟିର ଫାଇଦା ନେଇ ୧୪ ଦିନିଆ ବା ମାସିକିଆ ବିଚାର ଲାଗି ତାରିଖଟି ଧାର୍ଯ୍ୟ କରି ବିଚାର ପ୍ରକ୍ରିୟାରେ ଅହେତୁକ ବିଳମ୍ବ ଘଟାଇ ଚାଲନ୍ତି। ସତ୍ୟେନ୍ଦ୍ର କୁମ‌ାର ଅଣ୍ଡିଲ୍ ବନାମ ସି.ବି.ଆଇ ଆଣ୍ଡ୍ ଏ.ଏନ୍‌.ଆର୍, ୨୦୨୨ରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଧାରା ୩୦୯ର କାର୍ଯ୍ୟକାରିତା ନେଇ ନିର୍ଦ୍ଦେଶ ଦେବା ପରେ ମଧ୍ୟ ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଦ୍ବିତୀୟ ବିଷୟ ହେଲା ନିୟମ ଅନୁଯାୟୀ ପୁଲିସ ଦ୍ବାରା ଗିରଫ ଜଣେ ଅଭିଯୁକ୍ତକୁ ୨୪ ଘଣ୍ଟା ମଧ୍ୟରେ କୋର୍ଟରେ ହାଜର କରାଇବାକୁ ହେବ। ତାହା ନ କରି ଅଧିକ କାଳ ପୁଲିସ ତା’ ହେପାଜତରେ ଅଭିଯୁକ୍ତଙ୍କୁ ରଖି ପାରିବନି। ଅଧିକ ତଦନ୍ତ ଆବଶ୍ୟକ ହେଲେ ପୁଲିସ ତାକୁ କୋର୍ଟରେ ହାଜର କରାଇ ରିମାଣ୍ଡ ମାଗିବ। କିନ୍ତୁ, ଏହି ରିମାଣ୍ଡ ଅବଧି ମଧ୍ୟ ୧୪ ଦିନରୁ ଅଧିକ ହୋଇ ପାରିବନାହିଁ। ଅର୍ଥାତ୍, ଜଣେ ଅଭିଯୁକ୍ତକୁ କୋର୍ଟରେ ହାଜର କରାଇ ଜେଲ୍ ପଠାଇବା ପରେ ନିୟମତଃ ସେ ବିଚାର ବିଭାଗର ତତ୍ତ୍ବାବଧାନରେ ରହିବା କଥା। ଜେଲ୍ ହେଉଛି ବିଚାର ବିଭାଗର ତତ୍ତ୍ବାବଧାନରେ ଥିବା ଜାଗା। ସି.ଆର୍‌.ପି.ସି.ର ଧାରା ୫୭ ଓ ୧୬୭ ଅନୁସା‌େର, ଗିରଫ ହେବାର ପ୍ରଥମ ସର୍ବାଧିକ ୧୪ ଦିନ ମଧ୍ୟରେ କେବଳ ପଚରାଉଚୁରା ପାଇଁ ପୁଲିସ ଅଦାଲତଙ୍କ ଅନୁମତିରେ ତାଙ୍କୁ ରିମାଣ୍ଡରେ ନେଇ ନିଜ ତତ୍ତ୍ବାବଧାନରେ ରଖିପାରିବ। ଏଇ ପ୍ରଥମ ୧୪ ଦିନ ପରେ କୌଣସି ଅଭିଯୁକ୍ତକୁ ବିଚାର ବିଭାଗୀୟ ହେପାଜତ/ଜେଲ୍‌ରୁ ନେଇ ପୁଲିସ ହାତରେ ସମର୍ପିବାର କୌଣସି ନିୟମ ନାହିଁ। କିନ୍ତୁ ଏହି କଟକଣାକୁ ଭାଙ୍ଗି ଜେଲ୍‌ (ବିଚାର ବିଭାଗ ହେପାଜତ)ରୁ ବିଚାରାଧୀନ ବନ୍ଦୀମାନକୁ କୋର୍ଟରେ ହାଜର କରାଇବା ଆଳରେ ନିୟମିତ ଭାବେ ପୁଲିସ ହାତରେ ସମର୍ପି ଦିଆଯାଉଛି, ଯାହା ଆଇନଗତ ବ୍ୟବସ୍ଥା ବାହାରେ। କିନ୍ତୁ ପୁଲିସ ଅଭିଯୁକ୍ତକୁ ଧମକ ଦେଇ ବା ମାଡ଼ ମାରି ତା’ ଇଚ୍ଛା ମୁତାବକ ତଥ୍ୟ ହାସଲ କରୁଛି, ମିଛ ଗୁଳି ବିନିମୟର ନାଟକ ରଚନା କରି ତାକୁ ହତ୍ୟା ବି କରୁଛି। ଏଭଳି ଅନେକ ଘଟଣା ଘଟୁଛି।
ଦୁଃଖର ବିଷୟ, ‌ଜେଲ୍ ବିଭାଗର କର୍ମଚାରୀ ଅଭାବ ବା ଭିତ୍ତିଭୂମିର ଅଭାବ ଭଳି ଆଳ ଦେଖାଇ ଏ ଆଇନକୁ ଓଡ଼ିଶା ସମେତ ଅନେକ ରାଜ୍ୟ କାର୍ଯ୍ୟକାରୀ କରୁ ନାହାନ୍ତି। ସୂଚନା ଅଧିକାର ଆଇନ ଆଧାରରେ ସଂଗୃହୀତ ତଥ୍ୟ ଅନୁଯାୟୀ କେରଳ, ପଞ୍ଜାବ, ଗୋଆ, ଚଣ୍ଡିଗଡ଼, ପଣ୍ଡିଚେରୀ ଓ ତେଲେଙ୍ଗାନା ଆଦି ରାଜ୍ୟକୁ ବାଦ୍ ଦେଲେ ଅନ୍ୟ ସବୁ ରାଜ୍ୟରେ ଏହି ଆଇନର ଉଲ୍ଲଂଘନ କରାଯାଉଛି ଏବଂ ବିଚାରାଧୀନ ବନ୍ଦୀମାନଙ୍କୁ କୋର୍ଟରେ ହାଜର କରିବା ଆଳରେ ପୁଲିସ ହାତରେ ସମର୍ପି ଦିଆଯାଉଛି। ୧୯୫୫ ମସିହାରେ ଅଣାଯାଇଥିବା ଆଇନର ଅନୁପାଳନରେ ଏହି ବିଡ଼ମ୍ବନା ଦୃଶ୍ୟମାନ, ଯହିଁରେ ନାଗରିକ ଅଧିକାରର ଖୋଲା ଉଲ୍ଲଂଘନ ବଳବତ୍ତର ହୋଇ ରହିଛି।
(ବ୍ରହ୍ମପୁର ମଣ୍ଡଳ କାରାଗାରରୁ)

ସମ୍ବନ୍ଧିତ ଖବର