ପଳାତକ ଚାଳକ

ଦୁର୍ଘଟଣା ସ୍ଥଳରୁ ପଳାତକ ଗାଡ଼ି ଚାଳକମାନେ ଯଦି ପୀଡ଼ିତଙ୍କ କଷଣ ଦେଖିପାରନ୍ତେ, ତେବେ ହୁଏତ ସେମାନେ ଦୁର୍ଘଟଣାଗ୍ରସ୍ତମାନଙ୍କ ପ୍ରାଣ ବଞ୍ଚାଇବାର ପ୍ରୟାସ ମଧ୍ୟ କରନ୍ତେ। କିନ୍ତୁ ସେଥି ଲାଗି ସେମାନଙ୍କ ମନରୁ ଦୁର୍ଘଟଣା ପରବର୍ତ୍ତୀ ଭିଡ଼ତନ୍ତ୍ରର ଭୟ ଦୂରୀଭୂତ ହେବା ଜରୁରୀ। ଯଦି କୌଣସି ଆଇନ ଏତିକି ସମ୍ଭବ କରିପାରେ ତେବେ ‘ହିଟ୍‌ ଏଣ୍ଡ୍‌ ରନ୍‌’ ଭଳି ସ୍ଥିତି ହିଁ ଉପୁଜିବ ନାହିଁ।

ଗଲା ୨ ତାରିଖରୁ ଦିଲ୍ଲୀ ସମେତ ଅନ୍ୟ କେତେକ ରାଜ୍ୟରେ ଆରମ୍ଭ ହୋଇଥିବା ଟ୍ରକ-ଚାଳକ ଧର୍ମଘଟ ଗଲା ବୁଧବାର ଦିନ ପ୍ରତ୍ୟାହୃତ ହୋଇ ଆଶ୍ବସ୍ତିର କାରଣ ହୋଇଛି; ନଚେତ୍‌ ତଦ୍ଦ୍ବାରା ଅତ୍ୟାବଶ୍ୟକ ସାମଗ୍ରୀର ଉତ୍କଟ ଅଭାବ ଘଟି ଜନସାଧାରଣଙ୍କୁ ଅସହ୍ୟ ଭାବେ ହନ୍ତସନ୍ତ କରି ପକାଇଥାଆନ୍ତା। ପ୍ରକାଶ ଥାଉ କି ‘ହିଟ୍‌ ଏଣ୍ଡ ରନ୍‌’ ବା ‘ଗାଡ଼ି ଧକ୍କା ଲଗାଇ ପଳାୟନ’ ଭଳି ଅବାଂଛିତ ଘଟଣାଗୁଡ଼ିକୁ ରୋକିବା ଲାଗି ନୂତନ ଭାବେ ପ୍ରଣୀତ ‘ଭାରତୀୟ ନ୍ୟାୟ ସଂହିତା-୨’ରେ କଠୋର ଦଣ୍ଡର ପ୍ରାବଧାନ ବିରୋଧରେ ଟ୍ରକ୍‌ ଚାଳକମାନେ ତୀବ୍ର ପ୍ରତିବାଦର ସ୍ବର ଉଠାଇଥିଲେ। ଏଥିରେ ଦ୍ବିରୁକ୍ତି ନାହିଁ ଯେ କୌଣସି ସଡ଼କ ଦୁର୍ଘଟଣା ପରେ ତହିଁରେ ସଂପୃକ୍ତ ଅଥଚ ଅକ୍ଷତ ଗାଡ଼ି ଚାଳକଜଣକ ଯଦି ସେଠାରୁ ପଳାୟନ ନ କରି ଗୁରୁତର ଆହତମାନଙ୍କୁ ତତ୍‌କ୍ଷଣାତ୍‌ ଡାକ୍ତରଖାନା ନେବା ବା କୌଣସି ଚିକିତ୍ସା ସେବା ଯୋଗାଇବା ଦିଗରେ ପ୍ରଯତ୍ନ କରନ୍ତେ, ତେବେ ଅନେକ ମୂଲ୍ୟବାନ ଜୀବନ ବଞ୍ଚି ଯାଇପାରନ୍ତା। ତେଣୁ ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏଭଳି ଏକ ମହତ୍‌ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ଲାଗି ସୃଷ୍ଟ ଦଣ୍ଡବିଧି ଆଇନ ଏଭଳି ବିରୋଧର ସମ୍ମୁଖୀନ ହେଲା କାହିଁକି? ଅବଶ୍ୟ, ଏହି ପ୍ରଶ୍ନର ଉତ୍ତର ଧର୍ମଘଟକାରୀ ଟ୍ରକ୍‌ ଚାଳକମାନଙ୍କ ପକ୍ଷରୁ ଦିଆ ସରିଛି, ତଥାପି ଏ ସଂଦର୍ଭରେ ଏକ କ୍ଷୁଦ୍ର ସଂପ୍ରସାରିତ ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ପ୍ରକାଶ ଥାଉ କି ପୁରୁଣା ଦଣ୍ଡବିଧି ଆଇନ ଅନୁସାରେ ‘ହିଟ୍‌ ଏଣ୍ଡ ରନ୍‌’ ଭଳି ଘଟଣା ଲାଗି କୌଣସି ସ୍ବତନ୍ତ୍ର ପ୍ରାବଧାନ ନାହିଁ; ଆଇ.ପି.ସି. ଧାରା ୩୦୪-ଏ ଅନୁସାରେ କୌଣସି ବେପରୁଆ କାର୍ଯ୍ୟ ହେତୁ ସୃଷ୍ଟ ଦୁର୍ଘଟଣାରେ ପ୍ରାଣହାନି ଘଟିଲେ ଦୁଇ ବର୍ଷର କାରାବାସର ବ୍ୟବସ୍ଥା ଏବଂ ଆଇ.ପି.ସି.ର ଧାରା ୨୭୯ ଅନୁସାରେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକଙ୍କ ଲାଗି ସର୍ବାଧିକ ଛଅ ମାସର କାରାଦଣ୍ଡର ପ୍ରାବଧାନ ବ୍ୟତୀତ ଏଭଳି କ୍ଷେତ୍ରରେ ଅନ୍ୟ କୌଣସି ଅଙ୍କୁଶ ନାହିଁ। ସୁତରାଂ, ଆଇନ ପ୍ରଣେତାମାନଙ୍କ ମଧ୍ୟରେ ଧାରଣା ଜନ୍ମିଥିବ ଯେ ‘ହିଟ୍‌ ଏଣ୍ଡ ରନ୍‌’ ସଂଦର୍ଭରେ ଏହି ଦଣ୍ଡକୁ ଅତି କଠୋର ଅର୍ଥାତ୍‌ ୧୦ ବର୍ଷର କାରାବାସ ଏବଂ ୭ ଲକ୍ଷ ଟଙ୍କାକୁ ପରିବର୍ତ୍ତିତ କରିଦେଲେ ଦୁର୍ଘଟଣା ସଂଖ୍ୟାରେ ହ୍ରାସ ଘଟିବା ସହିତ ଗାଡ଼ି ଚାଳକମାନେ ଘଟଣାସ୍ଥଳରୁ ପଳାୟନ କରିବାକୁ ଭୟ କରିବେ! କିନ୍ତୁ, ସେମାନେ ଯେଉଁ ସାଧାରଣ ଜ୍ଞାନକୁ ପ୍ରୟୋଗ କରିପାରିଲେ ନାହିଁ, ତାହା ହେଲା ଦୁର୍ଘଟଣା ଘଟାଇ ପଳାୟନ କରିବା ପଛରେ ନିହିତ ଏକମାତ୍ର କାରଣ ହେଉଛି ଉତ୍‌କ୍ଷିପ୍ତ ଭିଡ଼ ହାତରୁ ନିଜର ପ୍ରାଣ ବଞ୍ଚାଇବା, ଯେଉଁ ଉଦ୍ୟମକୁ କୌଣସି କଠୋରତମ ଦଣ୍ଡ ମଧ୍ୟ ପ୍ରତିହତ କରି ପାରିବ ନାହିଁ। ଆଇନ ପ୍ରଣେତାମାନେ ଆଉ ଯାହା ହୃଦୟଙ୍ଗମ କରି ପାରିନାହାନ୍ତି, ତାହା ହେଲା ୧୦ ବର୍ଷର କାରାବାସ ଏବଂ ୭ ଲକ୍ଷ ଟଙ୍କାର ଜରିମାନା ଯେ କୌଣସି ପେସାଦାର ଟ୍ରକ୍ ବା ବସ୍‌ ଚାଳକଙ୍କ ପରିବାରକୁ ସଂପୂର୍ଣ୍ଣ ନିଃସ୍ବ ଓ ବିଧ୍ବସ୍ତ କରିଦେବ। ସୁତରାଂ, ଏଭଳି ବସ୍ତୁସ୍ଥିତି ପରିପ୍ରେକ୍ଷୀରେ ଟ୍ରକ୍‌ ଚାଳକମାନଙ୍କ ଦ୍ବାରା ଧର୍ମଘଟର ସୂତ୍ରପାତରେ ବିସ୍ମୟର ବିଶେଷ କାରଣ ନାହିଁ।
ତେବେ, ପ୍ରଶ୍ନ ଉଠିଥାଏ ଯେ ଛୋଟ-ବଡ଼ ଯେ କୌଣସି ଯାନ ଖଣ୍ଡିଏ ଧରି ସଡ଼କରେ ପ୍ରତ୍ୟହ ଆବିର୍ଭୂତ ହେଉଥିବା ପ୍ରତ୍ୟେକ ଭାରତୀୟଙ୍କ ମସ୍ତକ ଉପରେ ଯଦି ଏହି ନୂତନ ଦଣ୍ଡ ଝୁଲି ରହିବ, ତେବେ କେବଳ ଟ୍ରକ୍‌ ଚାଳକମାନେ ପ୍ରତିବାଦକୁ ଓହ୍ଲାଇଲେ କାହିଁକି? ଏହାର ଉତ୍ତର ହେଲା, ଯାନବାହନ ନିଘଞ୍ଚ ଭାରତୀୟ ସଡ଼କର ଚରିତ୍ର ହେଲା ଏଠାରେ ଯେ କୌଣସି ଦୁର୍ଘଟଣା ଘଟିଲେ ଦୁର୍ଘଟଣାରେ ଜଡ଼ିତ ଯାନ ଦ୍ବୟ ମଧ୍ୟରୁ ଅପେକ୍ଷାକୃତ ବଡ଼ ଗାଡ଼ିର ଚାଳକକୁ ହିଁ ଦୋଷୀ ରୂପେ ଧରି ନିଆଯାଏ, ଯେମିତି ବାଇକ୍‌ ଓ କାର୍‌ ମଧ୍ୟରେ ଧକ୍କା ହେଲେ ଖୁବ୍‌ ସମ୍ଭବ ଯେ କାର୍‌ ଚାଳକ ହିଁ ଜନରୋଷର ଶିକାର ହେବେ। ସେହି ଧାରା ଅନୁସାରେ ଟ୍ରକ୍‌ ବା ବସ୍‌ ଚାଳକମାନେ ଏଭଳି ସ୍ଥଳେ ନିସ୍ତାର ପାଇବାର ସମ୍ଭାବନା ଶୂନ୍ୟପ୍ରାୟ ହୋଇଯାଏ। କେବଳ ସେତିକି ନୁହେଁ, ଶିରା-ପ୍ରଶିରା ତୁଲ୍ୟ ବିଛେଇ ହୋଇ ରହିଥିବା ଭାରତୀୟ ସଡ଼କରେ ମନୁଷ୍ୟ ଏବଂ ଦ୍ରବ୍ୟ ପରିବହନ କରି ଅସୁମାରି ବସ୍‌ ଏବଂ ଟ୍ରକ୍‌ମାନ ରକ୍ତ କଣିକା ଭଳି ଚଳପ୍ରଚଳ କରିଥାଆନ୍ତି ଏବଂ ସେହି କାରଣରୁ ହିଁ ସର୍ବାଧିକ ସଂଖ୍ୟକ ଦୁର୍ଘଟଣାର ସମ୍ମୁଖୀନ ମଧ୍ୟ ହୁଅନ୍ତି। ଏଭଳି ସ୍ଥଳେ ଏହି ନୂତନ ପ୍ରାବଧାନ ସମସ୍ତଙ୍କ ଲାଗି ସମାନ ହୋଇଥିଲେ ସୁଦ୍ଧା ଭାରୀ ଯାନର ଚାଳକମାନେ ଏହା ଦ୍ବାରା ଅଧିକ ବିଚଳିତ ହୋଇପଡ଼ିବା ଅତ୍ୟନ୍ତ ସ୍ବାଭାବିକ।
ଏହି ପରିପ୍ରେକ୍ଷୀରେ ଟ୍ରକ୍‌ ଚାଳକ ସଂଘର ଅଭିଯୋଗ ଯେ ଏହି ନୂତନ ଆଇନ ସେମାନଙ୍କ ଜୀବନ-ଜୀବିକା ଉପରେ ସିଧାସଳଖ ଓ ଅତ୍ୟନ୍ତ ଗଭୀର ପ୍ରଭାବ ପକାଇବାର ଆଶଙ୍କା ରଖିଥିବା ସତ୍ତ୍ବେ ଆଇନ ଚୂଡ଼ାନ୍ତ ହେବା ପୂର୍ବରୁ ସେମାନଙ୍କ ସହିତ କୌଣସି ଆଲୋଚନା କରାଯାଇନାହିଁ। ଅବଶ୍ୟ, ଏହା ଏକ ବାସ୍ତବତା ଯେ ବିଭିନ୍ନ ନୂତନ ଓ ସଂସ୍କାରମୂଳକ ରୂପେ ପରିଭାଷିତ କେତେକ ଆଇନର ପ୍ରଣୟନ କାଳରେ କେନ୍ଦ୍ର ସରକାର ଏକ ଆକ୍ରମଣାତ୍ମକ ମୁଦ୍ରାରେ ରହନ୍ତି ଏବଂ ସେ ସଂଦର୍ଭରେ ସଂସଦ ଭିତରେ ବା ବାହାରେ କୌଣସି ବିସ୍ତୃତ ଆଲୋଚନା ସକାଶେ ପ୍ରସ୍ତୁତ ନ ଥାଆନ୍ତି। ତେଣୁ, ‘ନାଗରିକତା ସଂଶୋଧନ ଆଇନ’, ‘କୃଷି ଆଇନ’ ଏବଂ ବର୍ତ୍ତମାନ ଏହି ‘ହିଟ୍‌ ଏଣ୍ଡ ରନ୍‌’ ଆଇନ ସଂସଦରେ ଗୃହୀତ ହୋଇ ସାରିଥିଲେ ସୁଦ୍ଧା କାର୍ଯ୍ୟକାରୀ ହେବା ବେଳେ ତୀବ୍ର ବିରୋଧର ସାମନା କରିଛନ୍ତି ଏବଂ ସରକାରଙ୍କୁ ଅଗତ୍ୟା ପଛଘୁଞ୍ଚା ମଧ୍ୟ ଦେବାକୁ ପଡ଼ିଛି। ପ୍ରକାଶ ଥାଉ କି ଏହି ଆଇନ ସମ୍ବନ୍ଧରେ ସଂସଦରେ ଆଲୋଚନା କାଳରେ ବିରୋଧୀ ଦଳରୁ ୯୭ ଜଣ ସଦସ୍ୟ ନିଲମ୍ବିତ ହୋଇଥିବା କାରଣରୁ ସଂସଦ ବାହାରେ ଥିଲେ। ସୁତରାଂ, କୁହାଯାଇପାରେ ଯେ ହୁଏ’ତ ଅଧିକ ବିବିଧ ଏବଂ ବିସ୍ତୃତ ଆଲୋଚନା ଏଭଳି ଆଇନଗୁଡ଼ିକୁ ଅଯଥା ଅଧିକ ଆଦର୍ଶପନ୍ଥୀ ନ କରି ଭାରତର ବସ୍ତୁସ୍ଥିତି ଅନୁସାରେ ଅଧିକ ବ୍ୟାବହାରିକ କରନ୍ତା। ବେପରୁଆ ଗାଡ଼ି ଚାଳନା ଛଡ଼ା ଭାରତରେ ଘଟୁଥିବା ସଡ଼କ ଦୁର୍ଘଟଣା ଲାଗି ଅନେକ କାରଣ ବିଦ୍ୟମାନ, ଯେମିତି କି ଖରାପ ସଡ଼କ, ସଡ଼କ ଉପରେ ଜୀବଜନ୍ତୁଙ୍କ ଅବାଧ ରାଜୁତି, ଟ୍ରକ୍‌ ବା ବସ୍‌ ଡ୍ରାଇଭରମାନଙ୍କ ଦ୍ବାରା ଏକାଦିକ୍ରମେ ଦୀର୍ଘ ସମୟ ଧରି ଗାଡ଼ି ଚାଳନା, ନିଶାଗ୍ରସ୍ତ ଚାଳକଙ୍କ ପ୍ରାବଲ୍ୟ ଇତ୍ୟାଦି। ତେଣୁ ‘ହିଟ୍‌ ଏଣ୍ଡ ରନ୍‌’ ନେଇ କୌଣସି ପ୍ରାବଧାନ କଥା ଚିନ୍ତା କଲା ବେଳେ ଏହି ସବୁ କାରଣକୁ ଦୂର କରିବାର ଯତ୍ପରୋନାସ୍ତି ଉଦ୍ୟମ କରାଯିବା ଆବଶ୍ୟକ, ଯାହା ପ୍ରକାରାନ୍ତରେ ଦୁର୍ଘଟଣା ସଂଖ୍ୟା ହ୍ରାସ ଦିଗରେ କାର୍ଯ୍ୟ କରିବ।
ପ୍ରକାଶ ଥାଉ କି ୨୦୦୨ ମସିହାରେ ଘଟିଥିବା ଭାରତର ସର୍ବାଧିକ ଆଲୋଚିତ ‘ହିଟ୍‌ ଏଣ୍ଡ ରନ୍‌’ ଘଟଣାରେ ଚଳଚ୍ଚିତ୍ର ତାରକା ସଲମାନ ଖାଁ ଅତ୍ୟନ୍ତ ନିଶାଗ୍ରସ୍ତ ଅବସ୍ଥାରେ ତାଙ୍କ ଲ୍ୟାଣ୍ଡ୍‌ କ୍ରୁଜର୍‌ଟିକୁ ଅନିୟନ୍ତ୍ରଣକ୍ଷମ ବେଗରେ ଚଳାଉଥିବା ନେଇ ପ୍ରତ୍ୟକ୍ଷଦର୍ଶୀ ପ୍ରମାଣ ଥିଲେ ମଧ୍ୟ ମୁମ୍ବାଇ ଉଚ୍ଚ ଅଦାଲତ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେବାକୁ ବାଧ୍ୟ ହୋଇଥିଲେ; କାରଣ ଅଦାଲତ ସମକ୍ଷରେ ତାଙ୍କ ବ୍ୟକ୍ତିଗତ ଡ୍ରାଇଭର ଅଶୋକ ସିଂହ ନି‌େଜ ଗାଡ଼ି ଚଳାଉଥିବାର ସ୍ବୀକାରୋକ୍ତି ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅନେକ ମତ ଦିଅନ୍ତି ଯେ ମଦମତ୍ତ ଓ ଉଦ୍‌ଭ୍ରାନ୍ତ ଧନୀକ ଦୁଲାଳମାନେ ଏଭଳି ଦୁର୍ଘଟଣାମାନ ଘଟାଇ ସେମାନଙ୍କ ଡ୍ରାଇଭରମାନଙ୍କ ମୁଣ୍ଡ ଉପରେ ଦୋଷ ଲଦି ଦେବା ସହଜ; କାରଣ ନିଜ ପେସାରୁ କୌଣସିମତେ ଗୁଜରାଣ ମେଣ୍ଟାଉଥିବା ଏହି ଡ୍ରାଇଭରମାନଙ୍କୁ ଧମକଚମକ ବା ପ୍ରଚୁର ଧନର ଲାଭ ଦେଖାଇ ଏଭଳି କରାଯାଇପାରେ! ସୁତରାଂ, ଏହା ମଧ୍ୟ ଏକ ସମ୍ଭାବନା ଯାହା ଉପରେ ‘ହିଟ୍‌ ଏଣ୍ଡ ରନ୍‌’ ଆଇନର ସଫଳତା ନିର୍ଭର କରିବ। ତେବେ, ଏହି ଆଲୋଚନା ବେଳେ ଆଉ ଏକ ସମ୍ଭାବନା ମଧ୍ୟ ସ୍ମରଣକୁ ଆସିଥାଏ, ଯାହା ସପ୍ତମ ଦଶକରେ ନିର୍ମିତ ରାଜେଶ ଖାନ୍ନା ଏବଂ ମୀନା କୁମାରୀ ଅଭିନୀତ ‘ଦୁଶମନ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ତହିଁରେ ପ୍ରଦର୍ଶିତ ହୋଇଥିଲା କିଭଳି ନିଶାଗ୍ରସ୍ତ ଟ୍ରକ୍‌ ଚାଳକ (ସିନେମାର ନାୟକ)ଙ୍କ ଦ୍ବାରା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିବା ପରେ ଦାୟର ମାମଲାରେ ବିଚାରପତିଙ୍କ ନିର୍ଦ୍ଦେଶ କ୍ରମେ ଦଣ୍ଡ ସ୍ବରୂପ ତାଙ୍କୁ ଦୁର୍ଘଟଣାରେ ନିହତ ବ୍ୟକ୍ତିଙ୍କ ପରିବାରର ତତ୍ତ୍ବାବଧାନ ନେବାର ଦାୟିତ୍ବ ମିଳିଛି। ଏହି କ୍ରମରେ ସେ ଦୁର୍ଘଟଣାର ଶିକାର ହୋଇଥିବା ପରିବାରର ଦୁର୍ଦଶା ପ୍ରତ୍ୟକ୍ଷ କରିବା ସହିତ ଗଭୀର ଭାବେ ଅନୁତପ୍ତ ହୋଇ ସେହି ପରିବାର ସଦସ୍ୟଙ୍କ ମନରୁ ଆକ୍ରୋଶ ଦୂର କରି ପରିବାରର ଏକ ମିତ୍ରରେ ପରିଣତ ହେବାରେ ସଫଳ ହୋଇପାରିଛନ୍ତି। ଅନେକ କହି ପାରନ୍ତି ଯେ ଏଭଳି ଘଟଣା କେବଳ କାହାଣୀରେ ଘଟିଥାଏ। ଅବଶ୍ୟ ତାହା ସତ! କିନ୍ତୁ ଏହି ଚଳଚ୍ଚିତ୍ର ଯେଉଁ ସନ୍ଦେଶ ପ୍ରଦାନ କରିଥାଏ, ତାହା ପ୍ରଣିଧାନଯୋଗ୍ୟ; ଯାହା ହେଲା ଦୁର୍ଘଟଣା ସ୍ଥଳରୁ ପଳାତକ ଗାଡ଼ି ଚାଳକମାନେ ଯଦି ପୀଡ଼ିତଙ୍କ କଷଣ ଦେଖିପାରନ୍ତେ, ତେବେ ହୁଏତ ସେମାନେ ଦୁର୍ଘଟଣାଗ୍ରସ୍ତମାନଙ୍କ ପ୍ରାଣ ବଞ୍ଚାଇବାର ପ୍ରୟାସ ମଧ୍ୟ କରନ୍ତେ। କିନ୍ତୁ ସେଥି ଲାଗି ସେମାନଙ୍କ ମନରୁ ଦୁର୍ଘଟଣା ପରବର୍ତ୍ତୀ ଭିଡ଼ତନ୍ତ୍ରର ଭୟ ଦୂରୀଭୂତ ହେବା ଜରୁରୀ। ଯଦି କୌଣସି ଆଇନ ଏତିକି ସମ୍ଭବ କରିପାରେ ତେବେ ‘ହିଟ୍‌ ଏଣ୍ଡ୍‌ ରନ୍‌’ ଭଳି ସ୍ଥିତି ହିଁ ଉପୁଜିବ ନାହିଁ।

ସମ୍ବନ୍ଧିତ ଖବର