ପୁନରାବୃତ୍ତି ହେବ କି?

ଗଲା ୧୦ ତାରିଖରେ ଭାରତର ‘କଂପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ’ ବା ‘ସି.ଏ.ଜି.’ଙ୍କ ରିପୋର୍ଟ ପ୍ରକାଶ ପାଇବା ପରେ ପୁନର୍ବାର ଏକ କଂପନ ସୃଷ୍ଟି ହୋଇଛି, ଯଦନୁରୂପ ଘଟିଥିଲା ଆଜିକୁ ବାର ବର୍ଷ ତଳେ ଅର୍ଥାତ୍‌ ୨୦୧୧-୧୨ ମସିହାରେ ଏବଂ ଯଦ୍ଦ୍ବାରା ସେ ସମୟରେ କ୍ଷମତାସୀନ ୟୁ.ପି.ଏ. ସରକାର ଅବଲୀଳା କ୍ର‌େମ ଏହାର ତିନି ବର୍ଷ ପରେ ଅର୍ଥାତ୍‌ ୨୦୧୪ ମସିହାରେ ଭୂଲୁଣ୍ଠିତ ହୋଇଥିଲେ। ସମସ୍ତ ପାଠକପାଠିକାଙ୍କ ସ୍ମରଣରେ ଥିବ ଯେ ସେହି ସମୟର ‘ସି.ଏ.ଜି.’ ରିପୋ‌ର୍ଟ ‘ଟୁ-ଜି ସ୍ପେକ୍ଟ୍ରମ ଆବଣ୍ଟନ’ ଏବଂ ‘କୋଇଲା ବ୍ଲକ୍‌ ଆବଣ୍ଟନ’ରେ ହୋଇଥିବା ଅତ୍ୟନ୍ତ ବିଶାଳ ଦୁର୍ନୀତିର ଉଜାଗର କରିଥିଲା; ଏବଂ ତାହା ଏଭଳି ସରକାର ବିରୋଧୀ ଜନମତର ତରଙ୍ଗ ସୃଷ୍ଟି କରିଥିଲା ଯେ ତା’ ଉପରେ ଆରୋହଣ କରି ବିଜେପି ନେତୃତ୍ବାଧୀନ ଏନ୍‌.ଡି.ଏ. କେନ୍ଦ୍ରରେ ଶାସନ କ୍ଷମତା ଦଖଲ କରିଥିଲା। ସେହି ଦୃଷ୍ଟିରୁ ଏବେ ଯେତେବେଳେ ସାଧାରଣ ନିର୍ବାଚନ ଲାଗି ଆଉ ମାସ କେଇଟା ମାତ୍ର ବାକି ଅଛି, ସ୍ବାଭାବିକ ଭାବେ ପ୍ରଶ୍ନ ଉଠିଥାଏ ଯେ ଏହି ସଦ୍ୟ ପ୍ରକାଶିତ ରିପୋର୍ଟ ୨୦୧୪ ମସିହା ଭଳି ଏକ ରାଜନୈତିକ ଭୂଚଳନର ପୁନରାବୃତ୍ତି ଘଟାଇପାରେ କି?
ତେବେ ପ୍ରଥମେ ଏହି ପରିପ୍ରେକ୍ଷୀରେ ‘ସି.ଏ.ଜି.’ ରିପୋର୍ଟରେ ଦର୍ଶାଯାଇଥିବା କେତେକ ଅତିକାୟ ବିଚ୍ୟୁତି ବା ଅସଂଗତି ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ, ଯହିଁରୁ କେବଳ ଦୁର୍ନୀତି ନେଇ ନୁହେଁ; କେଉଁଭଳି ଭୟଶୂନ୍ୟତାର ସହିତ ଦୁର୍ନୀତି କରାଯାଇପାରେ, ତାହାର ଆଭାସ ମିଳି ପାରିବ: ଉଦାହରଣ ସ୍ବରୂପ ‘ଆୟୁଷ୍ମାନ ଭାରତ ଯୋଜନା’ରେ ୭ ଲକ୍ଷ ୫୦ ହଜାର ଏଭଳି ଆକାଉଣ୍ଟ ଅଛି, ଯେଉଁଗୁଡ଼ିକ ‌‌ଗୋଟିଏ ମୋବାଇଲ୍‌ ନମ୍ବର ସହିତ ସଂଯୁକ୍ତ, ଯାହା ହେଉଛି ଦଶଟି ‘୯’ ବିଶିଷ୍ଟ; ସେହି ଭଳି ମାତ୍ର ୭ଟି ଆଧାର କାର୍ଡ ଜରିଆରେ ପଂଜୀକୃତ ହୋଇଛନ୍ତି ୪୭୬୧ ଜଣ ହିତାଧିକାରୀ; ମଧ୍ୟପ୍ରଦେଶରେ ଏହି ଯୋଜନାରେ ୪୦୩ ମୃତ ବ୍ୟକ୍ତି ଚିକିତ୍ସା ଲାଗି ନେଇଛନ୍ତି ୧.୧ କୋଟି ଟଙ୍କା; ‘ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ରେ ୩୪୪୬ ଜଣ ମୃତ ବ୍ୟକ୍ତିଙ୍କ ନିକଟକୁ ଯାଇଛି ୬.୯୭ କୋଟି ଟଙ୍କା। ସେହିଭଳି ୨୦୨୦ ମସିହାରେ ପ୍ରାରମ୍ଭ କରାଯାଇଥିବା ଅତ୍ୟନ୍ତ ମହାତ୍ତ୍ବାକାଂକ୍ଷୀ ୨୯ କିଲୋମିଟର ଦୀର୍ଘ ଦିଲ୍ଲୀ-ଗୁଡ଼ଗାଓ ଦ୍ବାରକା ହାଇୱେ ପ୍ରକଳ୍ପ କାର୍ଯ୍ୟ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ସତ, କିନ୍ତୁ ଏହାର ବ୍ୟୟ ଅଟକଳ ଏକ ଅବିଶ୍ବାସ୍ୟ ୧୪ ଗୁଣ ହୋଇସାରିଛି, ଅର୍ଥାତ୍‌ କିଲୋମିଟର ପିଛା ଧାର୍ଯ୍ୟ ହୋଇଥିବା ୧୮.୨ କୋଟି ଟଙ୍କାର ବ୍ୟୟ ବର୍ତ୍ତମାନ କିଲୋମିଟର ପିଛା ୨୫୦ କୋଟିରେ ପହଞ୍ଚିଛି। ସେହି ଭଳି ଭାରତର କେବଳ ତିନିଟି ଟୋଲ ଗେଟ୍‌ରୁ ମିଳିଥିବା ହିସାବ ଅନୁସାରେ ୧୫୪ କୋଟି ଟଙ୍କା ଏଭଳି ସାଧାରଣ ଲୋକମାନଙ୍କ ଠାରୁ ଆଦାୟ କରାଯାଇଛି, ଯେଉଁମାନେ ଟୋଲ ଗେଟ୍‌ରେ ଅର୍ଥ ପଇଠ କରିବାର କୌଣସି ଆବଶ୍ୟକତା ନ ଥିଲା ଏବଂ ଟୋଲ୍‌ ଗେଟ୍‌ ନିୟମରେ ରହିଥିବା ଅସ୍ପଷ୍ଟତା କାରଣରୁ ‘ଜାତୀୟ ରାଜପଥ ପ୍ରାଧିକରଣ’ ବା ‘ଏନ୍‌.ଏଚ୍‌.ଏ.ଆଇ.’ ମଧ୍ୟ ବିପୁଳ କ୍ଷତି ସହିଛି। ପ୍ରକାଶ ଥାଉ କି ଏ ସବୁ ହେଉଛି ‘ସି.ଏ.ଜି.’ଙ୍କ ରିପୋର୍ଟରେ ଦର୍ଶାଯାଇଥିବା ହିସାବ ଅସଂଗତିର କିଛି ଦୃଷ୍ଟାନ୍ତ ମାତ୍ର, ଯାହା ଦୁର୍ନୀତିମୂଳକ କାର୍ଯ୍ୟକଳାପ ଏବଂ ପରିଚାଳନାଗତ ଅପାରଗତା ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥାଏ।
ଏହି ପରିପ୍ରେକ୍ଷୀରେ ଅନେକ ରାଜନୈତିକ ପର୍ଯ୍ୟବେକ୍ଷକ ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ନେତୃତ୍ବରେ ସଂଗଠିତ ବିଶାଳ ଓ ବୈଦ୍ୟୁତିକ ଆନ୍ଦୋଳନ ବିଷୟ ସ୍ମରଣ କରାଇ ଦିଅନ୍ତି, ଯାହା ଯଦିଓ ଜନ ଲୋକପାଳ ଆଇନ ପ୍ରଣୟନ ଦାବିରେ ଗଢ଼ି ଉଠିଥିଲା, ଏହା ପଛରେ ଏକ ଉତ୍‌ପ୍ରେରକ ତୁଲ୍ୟ କାର୍ଯ୍ୟ କରିଥିଲା ସେହି ସମୟରେ ପ୍ରକାଶିତ ‘ସି.ଏ.ଜି.’ ରିପୋର୍ଟ, ଯହିଁରେ ‘ୟୁ.ପି.ଏ.’ ସରକାର ଅମଳ‌େର ହୋଇଥିବା ମହାଦୁର୍ନୀତି ଆଡ଼କୁ ଇଙ୍ଗିତମାନ ରହିଥିଲା। ସେହି ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ଶାସନ କ୍ଷମତାରୁ ‘ୟୁ.ପି.ଏ.’କୁ ଅପସାରଣ କରି ‘ଏନ୍‌.ଡି.ଏ.’ ଦ୍ବାରା କ୍ଷମତା ଦଖଲକୁ ସମ୍ଭବ କରିବା ସକାଶେ ସ‌େତ ଅବା ଅଦୃଷ୍ଟର ଆଜ୍ଞା ଭଳି ଆନ୍ନା ହଜାରେଙ୍କ ଆନ୍ଦୋଳନର ଆବିର୍ଭାବ ଘଟିଥିଲା! ତେବେ, ପ୍ରଶ୍ନ ଉଠେ ବର୍ତ୍ତମାନ ସେଭଳି କିଛି ଦିଗ ପରିବର୍ତ୍ତନକାରୀ ପବନ ବହିବାର ସମ୍ଭାବନା ଅଛି କି?
ଏବେ ଏହି ପ୍ରଶ୍ନର ଉତ୍ତର ପାଇବାର ଉଦ୍ୟମ କରାଯାଉ। ଏହା ସ୍ବୀକାର୍ଯ୍ୟ ଯେ ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ଦାୟିତ୍ବ ଗ୍ରହଣ କଲା ବେଳେ ‘ଭ୍ରଷ୍ଟାଚାର ଏବଂ କଳା ଟଙ୍କାର ତୀବ୍ର ବିରୋଧୀ’ ଭାବେ ନରେନ୍ଦ୍ର ମୋଦୀ ଯେଉଁ ଭାବମୂର୍ତ୍ତି ଧାରଣ କରିଥିଲେ, ଇତିମଧ୍ୟରେ ତାହା ପ୍ରଶ୍ନାକୁଳ ହୋଇ ପଡ଼ିଲାଣି। ଗୌତମ ଆଦାନୀଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଂପର୍କକୁ ନେଇ କଂ‌େଗ୍ରସ ଦ୍ବାରା ସୃଷ୍ଟ ତୀବ୍ର ଅଭିଯୋଗ ହେଉ ବା ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ ଭାବେ ଅପଖ୍ୟାତ କର୍ଣ୍ଣାଟକର ମନ୍ତ୍ରୀ ଈଶ୍ବରାପ୍ପାଙ୍କ ପ୍ରତି କୋମଳ ମନୋଭାବର ପ୍ରଦର୍ଶନ ହେଉ ଅଥବା ପ୍ରଧାନମନ୍ତ୍ରୀଙ୍କ ନିଜ ବର୍ଣ୍ଣନା ଅନୁସାରେ ୭୦ ହଜାର କୋଟିର ଦୁର୍ନୀତି ସହିତ ସଂଶ୍ଳିଷ୍ଟ ‘ଏନ୍‌.ସି.ପି.’ର ସନ୍ଦିଗ୍‌ଧ ନେତା ଅଜିତ ପାୱାରଙ୍କୁ ବିଜେପି-ଶିବସେନା ମେଣ୍ଟରେ ଗ୍ରହଣ କରିବା ପାଇଁ ବିଜେପି ପକ୍ଷରୁ ପ୍ରକାଶିତ ଉଚ୍ଛ୍ବସିତ ଆଗ୍ରହ ହେଉ; ଏଭଳି କେତେକ ଉଦାହରଣରେ ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି‌େର ଦୁର୍ନୀତି ପ୍ରତି ଥିବା ଅସହିଷ୍ଣୁତାର ଔଜ୍ଜ୍ବଲ୍ୟ ମଳିନ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ସେହି ଦୃଷ୍ଟିରୁ ସଦ୍ୟ ପ୍ରକାଶିତ ‘ସି.ଏ.ଜି.’ ରିପୋର୍ଟ ନେଇ ସରକାରଙ୍କ ପ୍ରତିକ୍ରିୟା କିଭଳି ହେବ, ତାହା ଦେଖିବା ସକାଶେ ଏକ ସ୍ବାଭାବିକ ଉତ୍କଣ୍ଠା ସୃଷ୍ଟି ହୋଇଥାଏ। ତେବେ, ଏହା ନିଶ୍ଚିତ ଯେ ଆସନ୍ତା ସାଧାରଣ ନିର୍ବାଚନ ରାଷ୍ଟ୍ରର ଦ୍ବାର ଦେଶରେ ଉପନୀତ ହେବାକୁ ବସିଥିବା ବେଳେ ସରକାରଙ୍କ ପକ୍ଷରୁ ଭାବମୂର୍ତ୍ତି ପରିଷ୍କରଣର ଯତ୍‌ପରୋନାସ୍ତି ଉଦ୍ୟମ ପ୍ରାରମ୍ଭ କରାଯିବ। ଏଠାରେ ସ୍ମରଣଯୋଗ୍ୟ ଯେ ୨୦୧୧ ମସିହାରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ଆନ୍ଦୋଳନକୁ ତେଜୋଦୀପ୍ତ କରିବା ସହିତ ପରବର୍ତ୍ତୀ ତିନି ବର୍ଷ କାଳ ପରିବେଶକୁ ଉତ୍ତପ୍ତ କରି ରଖିବାରେ ଗଣମାଧ୍ୟମଗୁଡ଼ିକ ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିଥିଲେ। କିନ୍ତୁ, ସଂପ୍ରତି ଗଣମାଧ୍ୟମର ଏକ ବିଶେଷ ଅଂଶ ‘କୋଳାଶ୍ରିତ’ ହୋଇପଡ଼ିଥିବା କାରଣରୁ ତତ୍ତୁଲ୍ୟ ଉଚ୍ଚାଟ ସୃଷ୍ଟି ହେବାର ଆଶା କ୍ଷୀଣ; ଯଦିଓ ରବୀଶ କୁମାରଙ୍କ ଭଳି ମୁଷ୍ଟିମେୟ ସାମ୍ବାଦିକ ପୂର୍ବ ଭଳି ସରକାରଙ୍କୁ ଅହରହ ଅସହଜ ପ୍ରଶ୍ନମାନ ପଚାରି ଚାଲିଛନ୍ତି!
ଉଲ୍ଲେଖଯୋଗ୍ୟ ଯେ ଆନ୍ନା ହଜାରେଙ୍କ ଆନ୍ଦୋଳନର ଆଉ ଜଣେ ଅଗ୍ରଣୀ ପ୍ରତିଷ୍ଠାତା ପୁରୁଷ ଅରବିନ୍ଦ କେଜ୍ରିୱାଲ ସଂପ୍ରତି ଏକ ରାଜନୈତିକ ଦଳର ‘ସୁପ୍ରିମୋ’ ଏବଂ ତାଙ୍କ ଦଳଟି ଯେ ଅନ୍ୟ ରାଜନୈତିକ ଦଳଗୁଡ଼ିକ ଠାରୁ ଭିନ୍ନ, ଏଭଳି କୌଣସି ପ୍ରମାଣ ଏ ଯାବତ୍‌ ସେ ସ୍ଥାପନ କରି ପାରି ନାହାନ୍ତି! ତେଣୁ ଜନସାଧାରଣ ଏହା ପୂର୍ଣ୍ଣ ରୂପେ ହୃଦୟଙ୍ଗମ କରି ସାରିଲେଣି ‌େଯ ରାଜନୀତି ମଧ୍ୟକୁ ଲଂଫ ପ୍ରଦାନ କରି କର୍ଦ୍ଦମାକ୍ତ ନ ହୋଇ ରହିବା ଏକ ଅତ୍ୟନ୍ତ ଦୁରୂହ, ଏପରିକି ଅସମ୍ଭବ ବ୍ୟାପାର! ତେଣୁ ଏହି ‘ସି.ଏ.ଜି.’ ରିପୋର୍ଟକୁ ନେଇ ଆଉ ଜଣେ ଆନ୍ନା ହଜାରେଙ୍କ ଆବିର୍ଭାବର ସମ୍ଭାବନା ପ୍ରାୟ ନାହିଁ। କେବଳ ସେତିକି ନୁହେଁ, ଗଭୀର ଭାବେ ବିଭାଜିତ ସାଂପ୍ରତିକ ରାଜନୈତିକ ବାତାବରଣରେ ଯେତେବେଳେ ‘ଇ.ଡି.’ ଭଳି ଅନୁଷ୍ଠାନ ବା ‘ବୁଲଡୋଜର୍‌’ ଭଳି ପ୍ରାଣହୀନ ଯନ୍ତ୍ର ମଧ୍ୟ ଚକ୍ଷୁ ପ୍ରାପ୍ତ ହେଲା ଭଳି ନିର୍ଦ୍ଦିଷ୍ଟ ବ୍ୟକ୍ତି ବା ନିର୍ଦ୍ଦିଷ୍ଟ ଦଳ ବା ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଚିହ୍ନଟ କରି ଆକ୍ରମଣ କରିବାରେ ବ୍ୟାପୃତ, ସେତେବେଳେ ପ୍ରତିବାଦ ବା ବିରୋଧର ଶାଣିତ ସ୍ବର ଶୁଣାଯିବାର ଆଶା ମଧ୍ୟ ଶୂନ୍ୟ ପ୍ରାୟ!

ସମ୍ବନ୍ଧିତ ଖବର