କରୌଲି ହିଂସା ପରେ କର୍ଫ୍ୟୁ ଲାଗୁ, ଇଣ୍ଟରନେଟ୍ ସେବା ବନ୍ଦ

କରୌଲି: ରାଜସ୍ଥାନର କରୌଲିଠାରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ଏକ ଧାର୍ମିକ ଶୋଭାଯାତ୍ରା ଉପରକୁ ପଥରମାଡ଼ ଘଟଣାକୁ ନେଇ ଶନିବାର ସନ୍ଧ୍ୟାରେ ସାମ୍ପ୍ରଦାୟିକ ହିଂସା ଦେଖାଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି। ଏଥି ସହ ଲୋକଙ୍କର ଇଣ୍ଟରନେଟ୍ ଯୋଗାଯୋଗକୁ ମଧ୍ୟ ଅଚଳ କରିଦିଆଯାଇଛି।

ସୂଚନାଯୋଗ୍ୟ ଏକ ମୁସଲିମ-ବହୁଳ ଅଞ୍ଚଳରେ ମୋଟରସାଇକେଲ ଶୋଭାଯାତ୍ରା ଉପରକୁ ଟେକାପଥର ମାଡ଼ କରାଯିବା ଘଟଣାରେ ପ୍ରାୟ ୪୨ ଜଣ ଲୋକ ଆହତ ହୋଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକମାନେ ଦୋକାନବଜାର ଓ ଯାନବାହନ ପୋଡ଼ାଜଳା କରିଥିଲେ। ଏହି ଘଟଣାରେ ଏପର୍ଯ୍ୟନ୍ତ ୩୦ ଜଣ ଲୋକଙ୍କୁ ଅଟକ ରଖାଯାଇଥିବା ଅତିରିକ୍ତ ପୁଲିସ ଡିଜି (ଆଇନ-ଶୃଙ୍ଖଳା) ହାୱା ସିଂହ ଘୁମାରିୟା କହିଛନ୍ତି। ଟେକାପଥର ମାଡ଼ରେ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି ଏବଂ ୧୦ ଜଣ ସାମାନ୍ୟ ଗୁରୁତର ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ବ୍ୟକ୍ତିଙ୍କ ଅବସ୍ଥା ସଂକଟଜନକ ଥିବାରୁ ତାଙ୍କୁ ଜୟପୁରସ୍ଥିତ ଏସ୍‌ଏମ୍‌ଏସ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

କରୌଲିରେ ଶାନ୍ତିରକ୍ଷା ପାଇଁ ଡିଏସ୍‌ପି ଓ ଏସ୍‌ପି ପାହ୍ୟାର ୫୦ ପୁଲିସ ଅଧିକାରୀଙ୍କ ସମେତ ୬୦୦ ପୁଲିସଙ୍କୁ ନିଯୁକ୍ତ କରାଯାଇଛି। ଏଥି ସହ କର୍ଫ୍ୟୁ ଜାରି କରାଯାଇଛି। ଦଙ୍ଗା ସୃଷ୍ଟିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଆଦେଶ ଦେଇଛନ୍ତି। ବିଜେପି ରାଜ୍ୟ ସଭାପତି ସତୀଶ ପୂନିଆ କହିଛନ୍ତି ଯେ ଏହି ଦଙ୍ଗା ହେଉଛି କଂଗ୍ରେସ ସରକାରର ତୁଷ୍ଟୀକରଣ ନୀତିର ଫଳ। ଏ ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ହିନ୍ଦୁ ଶୋଭାଯାତ୍ରାକାରୀଙ୍କ ଉପରେ ଏହା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି ପୂନିଆ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର