ରୋଡ୍‌ ସୋ’ ବେଳେ ପଥର ମାଡ଼ରେ ଆହତ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ; ଆଶୁ ଆରାଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ ନିର୍ବାଚନ ପ୍ରଚାର ସମୟରେ କିଛି ଲୋକଙ୍କ ପଥର ମାଡ଼ରେ ଆହତ ହୋଇଛନ୍ତି।

ୱାଇଏସଆରସିପି ସଭାପତି ତାଙ୍କ ରୋହ୍‌ ସା କାଳରେ ବସରେ ଯାତ୍ରା କରୁଥିବା ସମୟରେ ଟେକା ମାଡ଼ର ସମ୍ମୁଖୀନ ହୋଇଥିଲେ। ମେ ୧୩ ତାରିଖରେ ରାଜ୍ୟର ୧୭୫ ଆସନ ବିଶିଷ୍ଟ ବିଧାନସଭା ଓ ୨୫ ଲୋକସଭା ଆସନ ପାଇଁ ମତଦାନ ପୂର୍ବରୁ ରେଡ୍ଡୀଙ୍କ ୨୧ ଦିନିଆ ନିର୍ବାଚନ ପ୍ରଚାରର ୧୪ତମ ଦିନରେ ଏହି ଅଘଟଣ ଘଟିଥିଲା।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ବିଜୟୱାଡ଼ାର ସିଂହ ନଗରରେ ଥିବା ବିବେକାନନ୍ଦ ସ୍କୁଲ୍‌ ସେଣ୍ଟରରେ ମୁଖ୍ୟମନ୍ତ୍ରୀ ତାଙ୍କ ବସ୍‌ ଉପରୁ ଜନତାଙ୍କୁ ସମ୍ବୋଧନ କରୁଥିବା ବେଳେ ତାଙ୍କ ଉପରେ ଏହି ପଥର ମାଡ଼ ହୋଇଥିଲା।

ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଚିକିତ୍ସା ପାଇଁ ବିଜୟୱାଡା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା, ଯାହା ପରେ ସେ ରବିବାର ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଏନଟିଆର ଜିଲ୍ଲାର କେସରାପଲ୍ଲୀସ୍ଥିତ ନାଇଟ୍‌ ହଲ୍‌ଟ ଷ୍ଟେସନକୁ ଫେରିଥିଲେ।

ଜଣେ ପ୍ଲାଷ୍ଟିକ ସର୍ଜନ ରେଡ୍ଡୀଙ୍କ କ୍ଷତରେ ୨ରୁ ୩ଟି ଷ୍ଟିଚ୍‌ ଲଗାଇଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମୁହଁମାଡ଼ି ନ ଶୋଇବାକୁ ପରାମର୍ଶ ଦିଆଯାଇଛି ବୋଲି ଜଣେ ଡାକ୍ତର ଗଣମାଧ୍ୟମକୁ କହିଛନ୍ତି। ପ୍ରାୟ ଅଧଘଣ୍ଟା ଧରି ତାଙ୍କର ଚିକିତ୍ସା ଚାଲିଥିଲା ବୋଲି ଡାକ୍ତର କହିଛନ୍ତି।

ୱାଇଏସଆରସିପି ଏକ ବିବୃତିରେ କହିଛି ଯେ ଆସନ୍ତାକାଲି ବସ୍‌ ଯାତ୍ରା ବିରତି ନେବ ବୋଲି ଦଳ ଘୋଷଣା କରିଛି। ରବିବାର ଦିନ ଦଳ ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରକାଶ କରିବ ବୋଲି ରାତି ପ୍ରାୟ ୧ଟାରେ ଜାରି ବିବୃତିରେ କୁହାଯାଇଛି।

ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଆଘାତ ଯାଞ୍ଚ କରିଥିଲେ ଏବଂ କ୍ଷତ ସିଲେଇ କରିବା ପୂର୍ବରୁ ସ୍ଥାନୀୟ ଆନେସ୍ଥେସିଆ ଦେଇଥିଲେ।ଡାକ୍ତରମାନେ ତାଙ୍କୁ କିଛି ସମୟ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ହସ୍ପିଟାଲ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇବା ପରେ ମୁଖ୍ୟମନ୍ତ୍ରୀ ଜଗନ କେଶରାପାଲ୍ଲେ ଷ୍ଟେ ପଏଣ୍ଟ (ନାଇଟ୍‌ ହଲ୍‌ଟ)କୁ ଯାଇଥିଲେ।

ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ ମୋହନ ରେଡ୍ଡୀଙ୍କ ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ସେହିପରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ ଏହି ଘଟଣାକୁ ନିନ୍ଦା କରିଛନ୍ତି। ରାଜନୈତିକ ମତଭେଦ କେବେ ବି ହିଂସାରେ ପରିଣତ ହେବା ଉଚିତ ନୁହେଁ। ଆସନ୍ତୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିୟୋଜିତ ହେବା ସମୟରେ ସଭ୍ୟତା ଏବଂ ପାରସ୍ପରିକ ସମ୍ମାନ ବଜାୟ ରଖିବା। ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ବୋଲି ସେ କହିଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ କହିଛନ୍ତି, ଜଗନଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ଶୁଣି ମୁଁ ସ୍ତବ୍ଧ। ତାଙ୍କ ଆଶୁ ଆରୋଗ୍ୟ କାମନା କରୁଛି।

ସମ୍ବନ୍ଧିତ ଖବର