ପୋଲାଭରମ୍‌ ବିବାଦ: ମୁଖ୍ୟମନ୍ତ୍ରୀମାନେ ତଥାପି ଏକାଠି ବସିପାରିଲେନି

ସୁପ୍ରିମକୋର୍ଟରେ କେନ୍ଦ୍ରର ସତ୍ୟପାଠ

ନୂଆଦିଲ୍ଲୀ: ବିବାଦୀୟ ପୋଲାଭରମ୍‌ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ମାମଲାରେ କେନ୍ଦ୍ର ଜଳଶକ୍ତି, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ମାମଲାର ସାମଧାନ ନେଇ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ହୋଇପାରି ନଥିବା ସୁପ୍ରିମକୋର୍ଟଙ୍କୁ ସତ୍ୟପାଠରେ ଅବଗତ କରାଯାଇଛି। ଚାରିଟି ରାଜ୍ୟ ଯଥା ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼କୁ ଆପୋସ ଆଲୋଚନା ଜରିଆରେ ବିବାଦୀୟ ପ୍ରସଙ୍ଗଗୁଡ଼ିକର ସମାଧାନ ସୂତ୍ର ବାହାର କରିବା ପାଇଁ ସୁପ୍ରିମକୋର୍ଟ ୬ ସେପ୍ଟେମ୍ବର ୨୦୨୨ରେ କେନ୍ଦ୍ର ସରକାରଙ୍କୁ ଅଗ୍ରଣୀ ଭୂମିକା ନେବାକୁ ନି‌ର୍ଦ୍ଦେଶ ଦେଇଥିଲେ। ତଦନୁସାରେ ମନ୍ତ୍ରାଳୟ ପକ୍ଷରୁ ସଚିବ, ବୈଷୟିକ ବିଶେଷଜ୍ଞ ଓ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ କରାଯିବା ପାଇଁ ପ୍ରୟାସ କରାଯାଇଥିଲା। କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର କ୍ରମାଗତ ପ୍ରଚେଷ୍ଟା ପରେ ସଂବନ୍ଧିତ ରାଜ୍ୟମାନଙ୍କ ମୁଖ୍ୟ ଶାସନ ସଚିବ ଓ ବୈଷୟିକ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ହୋଇପାରିନଥିଲା। ଏଥିସହିତ ମାମଲାରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପାଇଁ ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି।

ପୋଲାଭରମ୍‌ ପ୍ରକଳ୍ପ ମାମଲାର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଗତବର୍ଷ ସେପ୍ଟେମ୍ବର ମାସରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ସରକାରଙ୍କ ସହିତ ସଚିବସ୍ତରୀୟ ବୈଠକ କରାଯାଇଥିଲା। ଏହାପରେ କେନ୍ଦ୍ର ଜଳ ଆୟୋଗ ସଚିବଙ୍କ ଅଧ୍ୟକ୍ଷତାରେ ଅକ୍ଟୋବର-ନଭେମ୍ବର ୨୦୨୨ରେ ଚାରି ରାଜ୍ୟର ବୈଷୟିକ ବିଶେଷଜ୍ଞସ୍ତରୀୟ ତିନି ପର୍ଯ୍ୟାୟ ବୈଠକ ହୋଇଥିଲା। ବୈଠକରେ ପଛୁଆ ବନ୍ୟାଜଳ ସମସ୍ୟାର ସମାଧାନ ପାଇଁ ଆଲୋଚନା ହୋଇଥିଲା। ଏହାର ନିଷ୍କର୍ଷ ବାହାରି ପାରିନଥିଲା। ଏହାପରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ବିଚାରବିମର୍ଶ ଆରମ୍ଭ କରାଯାଇଥିଲା। ଏହି କ୍ରମରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ତରଫରୁ ଜାନୁଆରି ୧୫,୨୦୨୩ରେ ଉପରୋକ୍ତ ଚାରି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ବୈଠକ ଡକାଯାଇଥିଲା। ହେଲେ ବୈଠକରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ପାଖରୁ କୌଣସି ଉତ୍ତର ମିଳିପାରିନଥିଲା। ଆଗକୁ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ପୁଣିଥରେ ପ୍ରଚେଷ୍ଟା କରାଯିବା ଦୃଷ୍ଟିରୁ ମାମଲାର ଶୁଣାଣିକୁ ୩ ମାସ ସ୍ଥଗିତ ରଖିବା ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟଙ୍କୁ ମାର୍ଚ୍ଚ ୨୦୨୩ରେ ପତ୍ର ଲେଖାଯାଇଥିଲା। ‌ହେଲେ ମନ୍ତ୍ରାଳୟ ପ୍ରୟାସରେ ପୁଣିଥରେ ବିଫଳ ହୋଇଥିଲା। ଏହାପରେ ମନ୍ତ୍ରାଳୟ ପକ୍ଷରୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ଆଡ଼କୁ ଯାଉଥିବା ଏବଂ କେନ୍ଦ୍ର ସରକାରଙ୍କ ଦ୍ବାରା ସତ୍ୟପାଠ ଦାଖଲ କରାଯିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇନଥିବା ପ୍ରକଳ୍ପ ଉପରେ ଆପତ୍ତି ରହିଥିବା ଓଡ଼ିଶା ସମେତ ତିନି ରାଜ୍ୟ ପାଇଁ ଅନିଶ୍ଚିତତା ସୃଷ୍ଟି କରିଛି।‌ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ‌ପୋଲାଭରମ୍‌ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିକୁ ନେଇ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ସଦ୍ୟତମ(ଅକ୍ଟୋବର ୨୦୨୩)ର ତଥ୍ୟ ଅନୁସାରେ ପ୍ରକଳ୍ପର ‌ହେଡ୍‌ ୱାର୍କସ୍, ଡାହାଣ ପଟ ମୁଖ୍ୟ କେନାଲ ଓ ବାମ ପଟ ମୁଖ୍ୟ କେନାଲ କାର୍ଯ୍ୟରେ ଯଥେଷ୍ଟ ଅଗ୍ରଗତି ହୋଇଛି। ଏହି ପ୍ରକଳ୍ପକୁ ‌୨୦୨୫ ସୁଦ୍ଧା ଶେଷ କରିବାକୁ ଆନ୍ଧ୍ର ପ୍ରଦେଶ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୋଲାଭରମ ପ୍ରକଳ୍ପ ଉପରେ ଆପତ୍ତି ଦର୍ଶାଇ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନା ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଅରିଜିନାଲ ସୁଟ୍‌ ବିଚାରାଧୀନ ରହିଛି।

ସମ୍ବନ୍ଧିତ ଖବର