ମାସକରେ ୧୪୨ ଲୁଟେରା ଗିରଫ

ଲକ୍ଷେରୁ ଊର୍ଧ୍ବ ଟଙ୍କା, ୨୫ଲକ୍ଷର ଗହଣା, ୨୯ ଗାଡ଼ି ଜବତ

ଭୁବନେଶ୍ବର: ଗତ ମାସରେ କମିସନରେଟ୍‌ ପୁଲିସ ରାଜଧାନୀରେ ଉତ୍ପାତ କରୁଥିବା ୧୪୨ଜଣ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ୧୬ଜଣ କୁଖ୍ୟାତ ଲୁଟେରାଙ୍କୁ ରିମାଣ୍ଡରେ ଅଣାଯାଇଥିବା ବେଳେ ୧୮ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ସିଆରପିସି ୧୧୦ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଲୁଟେରାମାନଙ୍କ ଠାରୁ ନଗଦ ଏକ ଲକ୍ଷ ୩୧ହଜାର ୪ଶହ ଟଙ୍କା, ୫୫୩ ଗ୍ରାମ୍‌ ଓଜନର ସୁନା ଓ ୫୦୦ ଗ୍ରାମ୍‌ର ରୁପା ଗହଣା ମଧ୍ୟ ଜବତ କରାଯାଇଛି। ସେହିପରି ସେମାନଙ୍କଠାରୁ ୨୯ଟି ଗାଡ଼ି, ୯୦ଟି ମୋବାଇଲ ଫୋନ, ୭ଟି ଲାପଟପ୍ ଜବତ କରାଯାଇଛି।

ଏହାବ୍ୟତୀତ ବିଭିନ୍ନ ଥାନାରେ ମୋଟ ୪ଟି ବେଆଇନ ନିଶା କାରବାର ଜନିତ ମାମଲା ରୁଜୁ ହୋଇଥିବା ବେଳେ ୮ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କଠାରୁ ୪୨ଗ୍ରାମ୍‌ ବ୍ରାଉନ୍‌ସୁଗାର ଓ ୧୭ଶହ ଟଙ୍କା ଜବତ କରାଯାଇଛି। ସୂଚନାଯୋଗ୍ୟ ଯେ ଲୋକମାନେ ମୋବାଇଲ, ଗାଡ଼ି, ଗହଣା ଚୋରି, ଛିନ୍‌ତାଇ ଓ ନିଶା କାରବାର ବିଷୟରେ ସୂଚନା ଦେବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ହ୍ୱାଟସ୍‌ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଛି। ଏଭଳି କୌଣସି ଅପରାଧ ବିଷୟରେ ଜାଣିଲେ କିମ୍ବା ଲୁଟେରାଙ୍କ ଶିକାର ହେଲେ, ଏହି ନମ୍ବରରେ ସୂଚନା ଦେବାକୁ ଡିସିପି ପ୍ରତୀକ ସିଂ କହିଛନ୍ତି।

ସମ୍ବନ୍ଧିତ ଖବର