ନୂଆ ଆଶା, ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୪

ନୂଆଦିଲ୍ଲୀ: ନୂଆ ଆଶା ଓ ନୂଆ ଆକାଂକ୍ଷା ନେଇ ଆରମ୍ଭ ହେଲା ନୂଆବର୍ଷ ୨୦୨୪। ୨୦୨୩ରେ ଘଟିଥିବା ବିଭିନ୍ନ ଘଟଣା ଲକ୍ଷଲକ୍ଷ ଲୋକଙ୍କ ଘର ଓ ହୃଦୟ ଭାଙ୍ଗିଥିବା ବେଳେ ୨୦୨୪ ସେସବୁ ଆଘାତର କ୍ଷତକୁ ଭରିଦେବାର ଆଶା ନେଇ ଆଜି ବିଶ୍ବବାସୀ ନୂଆବର୍ଷକୁ ସ୍ବାଗତ କରିଛନ୍ତି। ଦେଶବିଦେଶରେ ‘ଜିରୋ ଆୱାର’ ପାଳନର ମୁହୂର୍ତ୍ତକ ପରେ ପୃଥିବୀରେ ପାଦ ରଖିଛି ନୂଆ ବର୍ଷ ୨୦୨୪।

୨୦୨୩ରେ ଭାରତ ସମେତ ବିଶ୍ବର ଅନେକ ଦେଶ କଠିନ ସମୟ ଦେଇ କରିଥିବା ଦେଖାଯାଇଥିଲା। ପ୍ରଥମେ ରୁଷ-ୟୁକ୍ରେନ୍ ଯୁଦ୍ଧ ଓ ତା’ପରେ ଇସ୍ରାଏଲ ଓ ହମାସ ମଧ୍ୟରେ ପାଲେଷ୍ଟାଇନ୍‌ରେ ଚାଲିଥିବା ଯୁଦ୍ଧରେ ଲକ୍ଷଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। ଅନେକଙ୍କ ସୁଖର ସଂସାର ଭାଙ୍ଗିଥିବା ବେଳେ ଭାରତରେ ଘଟିଥିବା ଅନେକ ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କଠାରୁ ସେମାନଙ୍କ ବଞ୍ଚିବାର ଆଶା ଛଢ଼ାଇ ନେଇଥିଲା। ତେବେ ୨୦୨୩ରେ ବହୁ ଦୁଃଖ ଦେବା ଭଳି ଘଟଣା ଘଟିଥିବା ବେଳେ ଖୁସି ହେବା ଭଳି ଅନେକ କାରଣ ମଧ୍ୟ ଦେଇଥିଲା। ଏବେ ୨୦୨୪ରେ ସବୁ କିଛି ଭଲ ହେବାର ଆଶା ନେଇ ଲୋକେ ନୂଆବର୍ଷକୁ ସ୍ବାଗତ କରିଛନ୍ତି।

୨୦୨୪ରେ ଘଟିବାକୁ ଥିବା ଅନେକ ବଡ଼ ବଡ଼ ଘଟଣା ମଧ୍ୟରୁ ଗୋଟାଏ ହେଉଛି ଭାରତରେ ହେବାକୁ ଥିବା ସାଧାରଣ ନିର୍ବାଚନ। ଭାରତୀୟ ରାଜନୀତିର ଗତିବିଧି କିଭଳି ରହିବ ଏବଂ କାହା ହାତକୁ ଦେଶର ଦାୟିତ୍ବ ଯିବ, ତାହା ଆଉ କିଛି ମାସ ପରେ ନିର୍ଦ୍ଧାରିତ ହେବ। ଯଦି ନୂଆବର୍ଷ ପାଳନକୁ ଦେଖିବାକୁ ଯିବା, ତେବେ ବିଭିନ୍ନ‌ ଦେଶରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ନୂଆବର୍ଷ ପାଳିଛନ୍ତି ଲୋକେ । କିଏ ଜିରୋ ନାଇଟ୍ ସେଲିବ୍ରେସନ୍ କରି ତ କିଏ ପରିବାର ସହ ସମୟ କଟାଇ ନବବର୍ଷ ପାଳନ କରିଛି। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ବିଭିନ୍ନ ହୋଟେଲରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମମାନର ଆୟୋଜନ କରାଯାଇଥିବା ବେଳେ ଲୋକେ ଖୁବ ଧୁମଧାମରେ ୨୦୨୪କୁ ସ୍ବାଗତ କରିଥିବା ଦେଖାଯାଇଛି।

ସୋସିଆଲ ମିଡିଆରେ ଅନେକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରେ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଦେଶବାସୀ କିଭଳି ପ୍ରସ୍ତୁତି କରିଥିଲେ, ତାହା ଦେଖାଯାଇଛି।

ଜମ୍ମୁ-କଶ୍ମୀରର ଗୁଲମର୍ଗକୁ ସୁନ୍ଦର ଭାବେ ସଜା ଯାଇଥିବା ବେଳେ ଶ୍ରୀନଗରର ଲାଲ୍ ଚୌକରେ ଲୋକେ ଗୀତ ବଜାଇ ନାଚୁଥିବାର ଦେଖାଯାଇଛି।

ଏହା ସହ ଅଷ୍ଟ୍ରେଲିଆରେ ବାଣ ଫୁଟାଇ ନୂଆବର୍ଷକୁ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଛି।

ନ୍ୟୁଜିଲାଣ୍ଡରେ ମଧ୍ୟ ବାଣ ଫୁଟାଇ ନବବର୍ଷକୁ ସ୍ବାଗତ କରାଯାଇଥିବା ଦେଖିବାକୁ ମିଳିଛି। ସର୍ବପ୍ରଥମେ ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡରେ ନବବର୍ଷ ପାଳନ କରାଯାଇଥିଲା।

ସମ୍ବନ୍ଧିତ ଖବର