ଭୁବନେଶ୍ବର : ସମୁଦ୍ରପତନଠାରୁ ୧୭,୯୮୨ ଫୁଟ୍‌ ଉଚ୍ଚରେ ଥିବା ବିଶ୍ବର ସର୍ବୋଚ୍ଚ ମୋଟୋରେବଲ୍ ପାସ୍‌ରେ ଅତିକ୍ରମ କରିବାର ଗୌରବ ଅର୍ଜନ କରିଛି ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍‌ ଆଡଭେଞ୍ଚର୍ କ୍ଲବ୍‌ (ବିସିଏସି)। ବରିଷ୍ଠ ଆଇପିଏସ୍ ସଂଜୀବ ପଣ୍ଡାଙ୍କ ନେତୃତ୍ବରେ ଯାଇଥିବା ୨୦ ଜଣିଆ ବିସିଏସି ଦଳ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଏମ୍‌ଏଲ୍‌କେ (ମନାଲି-ଲେହ-ଖାର୍ଦୁଙ୍ଗଲା) ପଥକୁ ଅତିକ୍ରମ କରିଥିଲେ। ବାୟୁମଣ୍ଡଳରେ ଦୁର୍ବଳ ସାନ୍ଧ୍ରତା ଏବଂ ଅମ୍ଳଜାନ ସ୍ତର କମ୍‌ ଥିବା ଏହି ପଥ ବିଶ୍ବର ସବୁଠାରୁ ଦୁଃସାହସିକ ସଡକ ଭାବେ ପରିଚିତ। ଅଗଷ୍ଟ ୮ ତାରିଖରୁ ମାନାଲିରୁ ବାହାରିଥିବା ବିସିଏସି ଦଳ ଅଗଷ୍ଟ ୧୭ ତାରିଖରେ ଖାର୍ଦୁଙ୍ଗଲାରେ ପହଞ୍ଚିଥିଲେ। ଶାନ୍ତି ଓ ଗୋଟିଏ ବିଶ୍ବର ବଂଧୁତ୍ବର ବାର୍ତା ପ୍ରଚାର କରିଥିବା ଏହି ଦଳ ଅଗଷ୍ଟ ୧୫ ତାରିଖ ଦିନ ଟାଙ୍ଗଲାଙ୍ଗଲା ପର୍ବତ ଶିଖରରେ ମଧ୍ୟ ତ୍ରିରଙ୍ଗା ଉଡ଼ାଇବା ସହ ଅନେକ ଭ୍ରମଣକାରୀଙ୍କ ଗହଣରେ ଜାତୀୟ ସଂଗୀତ ଗାଇଥିଲେ। ହିମାଳୟ ଅବବାହିକା ପଥରେ ଦୁଃସାହସିକ ଯାତ୍ରା କରି ବିସିଏସି ମଧ୍ୟ ସାଇକ୍ଲିଂର ସଚେତନତା ବଢ଼ାଇଥିଲା।

Advertisment

ପ୍ରତି ୪ ବର୍ଷରେ ଏମଏଲ୍‌କେ ଯାତ୍ରାରେ ବାହାରୁଥିବା ବିସିଏସିର ଏହା ତୃତୀୟ ସଫଳ ପ୍ରୟାସ। ୨୦୧୪ରେ ୧୦ ଜଣଙ୍କୁ ନେଇ ଯାତ୍ରା କରିଥିବା ବିସିଏସି ୨୦୧୮ରେ ୧୩ ଜଣଙ୍କୁ ନେଇ ମଧ୍ୟ ସଫଳ ହୋଇଥିଲା। ବିସିଏସି ଏହାର ବାର୍ଷିକ ପ୍ରତିଯୋଗିତା ସହିତ ଏକାଧିକ କାର୍ଯ୍ୟକ୍ରମ କରୁଛି ବୋଲି ଏହାର ସଭାପତି ଆଇପିଏସ୍‌ ସଂଜୀବ ପଣ୍ଡା ପ୍ରକାଶ କରିଛନ୍ତି। ବିସିଏସିର ଏହି ୨୦ ଜଣିଆ ଦଳରେ ସମ୍ପାଦକ ଅଜୟ ନନ୍ଦଙ୍କ ସହିତ ଶିବାଶିଷ ପଣ୍ଡା, ଗଙ୍ଗାଧର ନାୟକ, ଶ୍ରୀନିବାସ ସାହୁ, ବିଭୂ ପ୍ରସାଦ କର, ମନୋଜ କୁମାର ପୃଷ୍ଟି, ମାନସ ରଂଜନ ଗୌଡ଼, ଉଦୟନାଥ ମହାକୁଡ, ହରିଶ ଚନ୍ଦ୍ର, ଶିବ ଶଙ୍କର ସେନାପତି, ଡକ୍ଟର ଅକ୍ଷୟ କୁମାର ସାହୁ, ଡକ୍ଟର ରଂଜନ ପଟ୍ଟନାୟକ, ରଂଜିତ କୁମାର ସାହୁ, ପ୍ରଭାସ ରଂଜନ ଚିନାରା, ‌ରମେଶ କୁମାର ସାହୁ, କୁମାର ଦେବଦତ୍ତ, ଅକ୍ଷୟପଦ୍ମ ମହାପାତ୍ର, ସନ୍ଦୀପ ଦାସ, ସନ୍ତୋଷ କୁମାର ରାଉତ ଅଂଶଗ୍ରହଣ କରିଥିଲେ।