ସଙ୍କଟରେ ଇବ୍‌ନଦୀର ଅସ୍ତିତ୍ବ: ପାଣି ଶୋଷୁଛି ଛତିଶଗଡ଼, ବାଲି ବୋହୁଛନ୍ତି ମାଫିଆ

ଡମ୍ବରୁଧର ନାୟକ
ସୁନ୍ଦରଗଡ଼: ସୁନ୍ଦରଗଡ଼ର ଜୀବନରେଖା ଇବ୍‌ନଦୀର ଅସ୍ତିତ୍ବ ଏବେ ସଂକଟରେ। ପ‌ଡ଼ୋଶୀ ଛତିଶଗଡ଼ ଉପରମୁଣ୍ଡରୁ ପାଣି ଶୋଷି ନେଉଥିବାବେଳେ ନଦୀର ବିଶାଳ ଶଯ୍ୟାରୁ ଶହଶହ ଟ୍ରକ୍‌ ବାଲି ଉଠାଇ ନେଉଛନ୍ତି ସୁନ୍ଦରଗଡ଼ ଅଞ୍ଚଳର ମାଫିଆ। ଫଳରେ, ନଦୀର ସ୍ଥିତି ଓ ଗତିକୁ ନେଇ ଚିନ୍ତାଜନକ ପରିସ୍ଥିତି ସୃଷ୍ଟିହୋଇଛି। ଛତିଶଗଡ଼ର କୁନ୍‌କୁରିରୁ ବାହାରିଥିବା ଇବ୍‌ନଦୀ ସୁନ୍ଦରଗଡ଼ ଦେଇ ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ନିକଟରେ ମହାନଦୀ (ହୀରାକୁଦ ଜଳଭଣ୍ଡାର)ରେ ମିଶିଛି। ସୁନ୍ଦରଗଡ଼ର ଉପରମୁଣ୍ତ ତେଲିଯୋରଠାରୁ ଶେଷ ମୁଣ୍ତ ଭଷ୍ମା ଯାଏଁ ୭୦ କିଲୋମିଟର ଲମ୍ବା ଏହି ନଦୀ ସୁନ୍ଦରଗଡ଼ ସହରର ପାନୀୟ ଜଳ ଯୋଗାଣର ମୁଖ୍ୟ ଉତ୍ସ। ଏହାଛଡ଼ା ଜିଲ୍ଲାର ବାଲିଶଙ୍କରା, ସବ୍‌ଡେଗା, ସୁନ୍ଦରଗଡ଼, ଟାଙ୍ଗରପାଲି ଓ ଲେଫ୍ରିପଡ଼ା ବ୍ଲକ୍ ଅଞ୍ଚଳରେ ଚାଷବାସ ପାଇଁ ମଧ୍ୟ ଲୋକେ ଏହି ନଦୀ ଉପରେ ନିର୍ଭରଶୀଳ। କିନ୍ତୁ ୧୭ ବର୍ଷ ହେଲା ପଡ଼ୋଶୀ ଛତିଶଗଡ଼ ନଦୀ ଉପରେ ଏକଚାଟିଆ ଅଧିକାର ଦେଖାଇ ଗୋଟିଏ ପରେ ଗୋଟିଏ ବନ୍ଧ ବାନ୍ଧି ପାଣିକୁ ଅଟକାଇ ଦେବାପରେ ସୁନ୍ଦରଗଡ଼ ଅଞ୍ଚଳରେ ଇବ୍‌ର ଧାର ଶୁଖିଲା ପଡ଼ିଛି। ୨୦୦୭ମସିହାରେ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନକୁରିଠାରୁ ୩୦ କିଲୋମିଟର ଦୂର ଗୁଲ୍ଲୁ ଗାଁ ପାଖ ଦୁର୍ଗମ ପାହାଡ଼ି ଅଞ୍ଚଳରେ ଗୁଲ୍ଲୁ ଜଳବିଦ୍ୟୁତ ପ୍ରକଳ୍ପ ନିର୍ମାଣ ଶେଷ କରିବାପରେ ବେନେଠାରେ ଜଳସେଚନ ପ୍ରକଳ୍ପ ଓ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂର ସମଡମାଠାରେ ଏକ ଆନିକଟ ନିର୍ମାଣ କରିଛି।

ଛତିଶଗଡ଼ରେ ଇବ୍‌ ପାଣିରୁ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଚାଲିଥିବାବେଳେ ତଳ ମୁଣ୍ଡ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଦେଖାଦେଇଛି ଜଳ ସଂକଟ। ପୂର୍ବରୁ ଅଣମୌସୁମୀ ଋତୁରେ ହୀରାକୁଦ ଜଳଭଣ୍ଡାର ପାଇଁ ଇବ୍‌ ପାଣି ଏକ ପ୍ରମୁଖ ଉତ୍ସ ଥିଲା। କିନ୍ତୁ ଏବେ ତାହା ବନ୍ଦ ହୋଇଯିବାରୁ ହୀରାକୁଦ ଜଳସେଚିତ ଅଞ୍ଚଳରେ ମଧ୍ୟ ତାର ସିଧା ପ୍ରଭାବ ପଡ଼ିଛି। ଅନ୍ୟପଟେ ନଦୀର ଶୁଖିଲା ଶଯ୍ୟା ଉପରେ ବାଲି ମାଫିଆଙ୍କ ଲୋଲୁପ ନଜର ପଡ଼ିଛି। ଲିଜ୍‌ଧାରୀଙ୍କ ବ୍ୟତୀତ ମାଫିଆ ୧୨ଟି ବାଲିଘାଟରୁ ଦୈନିକ ୨ ଶହରୁ ଅଧିକ ହାଇୱାରେ ଚୋରାରେ ବାଲି ଉଠାଇ ଜିଲ୍ଲା ବାହାରକୁ ଚାଲାଣ କରୁଛନ୍ତି। ନଦୀର ଉପରମୁଣ୍ଡ ବାଲିଶଙ୍କରା ନିକଟ ଘୋଘରର ୨ଟି ଘାଟ, ଗଇଲୋ, ଜାଏସର, ଡାଇଜମହୁଲ, ଭୋଜପୁର, ଚିତାଭଙ୍ଗା, ଦରବାର ଘାଟ, ଜପଙ୍ଗା, ଭଷ୍ମା, ବିଲେଇଗଡ଼, ମଙ୍ଗସପୁର ଘାଟରୁ ବେଧଡ଼କ ବାଲି ଉଠାଇ ନିଆଯାଉଛି। ନଦୀକୁ ଖିନଭିନ୍‌ କରି ବର୍ଷକୁ ପ୍ରାୟ ଶହେ କୋଟିର ବାଲି ଉଠାଯାଉଥିବା ଅଭିଯୋଗ ‌ରହିଛି। ସବୁଠୁ ବଡ଼କଥା ହେଲା, ବାଲି ଉଠାଣ ଓ ପରିବହନରେ ଜେସିବି, ପୋକଲିନ ଓ ଟ୍ରକ୍‌ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ରହିଛି। କିନ୍ତୁ ଲିଜ୍‌ଧାରୀ ଓ ମାଫିଆ ଖୋଲାଖୋଲି ଏହାକୁ ବ୍ୟବହାର କରି ବାଲି ଚାଲାଣ କରୁଛନ୍ତି। ହେଲେ ଧରପଗଡ଼ ଶୂନ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୨୩ ମେ ୨୨ ତାରିଖରେ ମହାନଦୀ ଜଳ ବିବାଦର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡ଼ା ଆସିଥିବା ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍  ମେ ୨୨ ତାରିଖରେ ସୁନ୍ଦରଗଡ଼ ଆସି ନଦୀ ପରିଦର୍ଶନ କରିଥିଲେ। ଉପରମୁଣ୍ଡରେ ଛତିଶଗଡ଼ର ଏକାଧିକ ବନ୍ଧ ଯୋଗୁ ତଳମୁଣ୍ଡ ସୁନ୍ଦରଗଡ଼ରେ ଶୁଖିଲା ପଡ଼ିଥିବା ଇବନଦୀକୁ ଦେଖିଥିଲେ। ଟିମ୍ ୩୦ ମିନିଟ୍ ଧରି ଇବ୍‌ନଦୀର ସ୍ଥିତି ନିରୀକ୍ଷଣ କରିଥିଲେ। ଏହାପରେ ଅଧିକାରୀମାନଙ୍କ ସହ ଆଲୋଚନା କରି ଇବ୍‌ନଦୀରେ ବନ୍ଧର ଆବଶ୍ୟକତା ଥିବା ପ୍ରକାଶ କରିଥିଲେ।  ନଦୀକୁ ଛତିଶଗଡ଼ କବ୍‌ଜା କରିବାର ୧୭ ବର୍ଷ ପରେ ୨୦୨୨ ଜାନୁଆରିରେ କୋପସିଂହା ଓ କୁଡାବଗା ଠାରେ ୪୯୩ କୋଟିର ବନ୍ଧ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ। କିନ୍ତୁ ୨ ବର୍ଷ ବିତିଯିବା ପରେ ବି ଠିକାସଂସ୍ଥା  ବନ୍ଧ ନିର୍ମାଣ ପ୍ରସ୍ତୁତି ଶେଷ କରିପାରିନି।

ସମ୍ବନ୍ଧିତ ଖବର