ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗତ ୨୧ ତାରିଖରେ ଦେଇଥିବା ଅଭିଭାଷଣ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ ଜଣାଇଛନ୍ତି। ବିକାଶ ଓ ସଶକ୍ତିକରଣ ନୀତି ଯୋଗୁଁ ଓଡ଼ିଶାର ଜନତା ଆମ ଉପରେ ବାରମ୍ବାର ବିଶ୍ବାସ ରଖୁଛନ୍ତି। ସେମାନଙ୍କର ସମର୍ଥନ ଓ ସହଯୋଗ ଲାଗି ଓଡ଼ିଶା ପ୍ରତ୍ୟେକ ସଂକଟକୁ ମୁକାବିଲା କରିପାରୁଛି। ୨୦୦୦ ମସିହାରେ ରାଜ୍ୟ ବ୍ୟାପକ ଆର୍ଥିକ ସଂକଟ ଦେଇ ଗତି କରୁଥିବା ବେଳେ ଆମେ ଦାୟିତ୍ବ ନେଇଥିଲୁ। ବିଗତ କିଛି ବର୍ଷ ପର୍ଯ୍ୟନ୍ତ ବିପର୍ଯ୍ୟୟ ଏବଂ ମହାମାରୀ ଆମେ ଚ୍ୟାଲେଞ୍ଜ କରିଛୁ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ରୂପାନ୍ତରୀକରଣ ମାଧ୍ୟମରେ ଆମ ସରକାର ମଜବୁତ ହୋଇପାରିଛି। ଓଡ଼ିଶା ଅନେକ କ୍ଷେତ୍ରରେ ରୋଲ ମଡେଲ ପାଲଟିଛି। ଓଡ଼ିଶାର ବିକାଶ ହୋଇଛି। ନିକଟରେ ଆୟୋଜିତ ହୋଇଥିବା ପୁରୁଷ ହକି ବିଶ୍ବକପ୍‌ ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ରାଉରକେଲା ଠାରେ ବିଶ୍ବସ୍ତରୀୟ ହକି ଷ୍ଟାଡିୟମ୍‌ ୧୫ ମାସ ମଧ୍ୟରେ ନିର୍ମାଣ କରାଯାଇପାରିଛି। କୋଭିଡ ସମୟରେ ରାଜ୍ୟ ସରକାର ବାହାରକୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଦେଶବାସୀଙ୍କୁ ଯୋଗାଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିଥିଲେ। ଗୃହରେ ଦିବଙ୍ଗତ ନେତାମାନଙ୍କର ଶୋକ ପ୍ରସ୍ତାବ ଆଗତ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସଂପର୍କରେ ସୂଚନା ଦେଇଥିଲେ। ରାଜ୍ୟ ସରକାର ସୁଚାରୁ ରୂପେ ବିଶ୍ବକପ୍ ହକିର ଆୟୋଜନ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସଫଳତା ଏବଂ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚିକିତ୍ସା କ୍ଷେତ୍ରରେ ସହାୟକ ହେଉଛି ସେ ନେଇ ଅଭିଭାଷଣ ରଖିଥିଲେ। ସ୍ବାସ୍ଥ୍ୟକ୍ଷେତ୍ରରେ ଓଡ଼ିଶାର ଅଭୂତପୂର୍ବ ଅଗ୍ରଗତି ହୋଇଛି। କ୍ୟାନସର ରୋଗୀଙ୍କୁ ମିଳିବ ମାଗଣାରେ ପିଇଟି-ସିଟି ସ୍କାନ ସୁବିଧା। ନୂଆ ଡାକ୍ତର ଓ ପାରାମେଡିକାଲ ପଦବୀ ସୃଷ୍ଟି କରାଯିବ। ମେକ୍ ଇନ୍ ଓଡ଼ିଶା କନକ୍ଲେଭର ସଫଳତା ବି ବଖାଣିଥିଲେ। ଓଡ଼ିଶା ଏବେ ଖାଦ୍ୟଶସ୍ୟ ଉତ୍ପାଦନରେ ବଳକା ରାଜ୍ୟ, ଧାନ ଉତ୍ପାଦନରେ ଓଡ଼ିଶା ଏବେ ସର୍ବାଗ୍ରେ ରହିଛି। ଶିଳ୍ପ କ୍ଷେତ୍ରରେ ପୂର୍ବ ଭାରତରେ ଓଡ଼ିଶା ଆଗୁଆ । ୫ଟି ଓ ମୋ ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର