ଗାଡ଼ି ସହ ବ୍ୟବସାୟରୁ ଆଦାୟ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ନେଇ ଫେରାର ହୋଇଥିଲା ଡ୍ରାଇଭର, ଗିରଫ ହେଲେ ପୂରା ପରିବାର

ଖୋର୍ଦ୍ଧା: ଅଧର୍ମ ବିତ୍ତ, ଗଲାବେଳେ ଯାଏ ମୂଳ ସହିତ। ଆପ୍ତ ବଚନର ସତ୍ୟତା ଆଜି ଏକ ଅପରାଧିକ ଘଟଣାରୁ ପ୍ରମାଣିତ ହୋଇଛି । ଜଣେ ଯୁବକ ଡ୍ରାଇଭର କାମ କରୁଥିଲା । କିନ୍ତୁ ଦିନେ ଟଙ୍କା ଦେଖି ନିଜର ବିଶ୍ୱସନୀୟତା ଓ ନୈତିକତା ହରାଇଦେଲା । ମାଲିକର ଗାଡ଼ି ସହ ବ୍ୟବସାୟରୁ ଆଦାୟ ହୋଇଥିବା ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଧରି ଫେରାର୍ ହୋଇଯାଇଥିଲା । ଆଜି ଅଭିଯୁକ୍ତ ଡ୍ରାଇଭର ସହ ତାଙ୍କ ବାପା ଓ ପତ୍ନୀ ପୁଲିସ ହାତରେ ଧରାପଡ଼ି ଜେଲ ଯାଇଛନ୍ତି ।

ସୂଚନାନୁସାରେ, ଜଟଣୀର ଏପି ଏଜେନ୍ସିର ମାଲିକ ଅଶୋକ କୁମାର ସାହୁ । ଚଳିତ ମାସ ୨ ତାରିଖରେ ସେ ଗଂଜାମ ସୋରଡ଼ାର ପ୍ରମୋଦ ରଣା (୨୭)କୁ ନିଜ କମ୍ପାନୀର ଡ୍ରାଇଭର ଭାବେ ନିଯୁକ୍ତି ଦେଇଥିଲେ । ୧୫ ତାରିଖରେ କମ୍ପାନୀର ଜଣେ କର୍ମଚାରୀ ବିକ୍ରମ ସିଂହ ଓ ଡ୍ରାଇଭର ପ୍ରମୋଦ କମ୍ପାନୀର ଟାଟା ଏସି (ଓଡି ୦୨ ଭି ୮୬୩୨) ସହ ଅମୁଲ ଓ କାଡବରୀ କମ୍ପାନୀର ସାମଗ୍ରୀ ନେଇ ସୁନାଖଳ ଯୋଗେଶ୍ୱର ସାହୁଙ୍କୁ ଦେବାକୁ ଯାଇଥିଲେ । ସେଠାରୁ ସେମାନେ ଯୋଗାଇଥିବା ସାମଗ୍ରୀ ବାବଦ ୨ଲକ୍ଷ ୧୭ ହଜାର ଟଙ୍କା ନେଇ ଫେରୁଥିଲେ । ଏହି ସମୟରେ ସାମନ୍ତରାପୁର ନିକଟ ବରୁଣ ପାଢ଼ୀ ମଦ ଦୋକାନ ନିକଟରେ ବିକ୍ରମକୁ ମଦ କିଣି ଆଣିବାକୁ ପ୍ରମୋଦ କହିଥିଲା । ମଦ କିଣି ଫେରୁଥିବା ବେଳେ ପ୍ରମୋଦ ପ୍ରମୋଦ ହାତରୁ ଟଙ୍କା ଭର୍ତି ବ୍ୟାଗ୍ ଟି ଛଡ଼ାଇ ଟାଟା ଏସି ସହ ସେଠାରୁ ଫେରାର୍ ହୋଇଯାଇଥିଲା । ଏନେଇ କମ୍ପାନି ମାଲିକ ଶ୍ରୀ ସାହୁ ୨୩ ତାରିଖରେ ଖୋର୍ଦ୍ଧା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଏନେଇ ପୁଲିସ ୧୯୬/୨୦୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏସ୍ପି ଅଲେଖ ପହିଙ୍କ ନିର୍ଦ୍ଦେଶକ୍ରମେ ଏସ୍ଡିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ୍ ଥାନାର ଅଧିକାରୀ ଡେପୁଟି ଏସ୍ପି ସଂଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏସ୍ଆଇ ସୁକାନ୍ତ ଦଳେଇ, କନେଷ୍ଟବଳ ଅହମ୍ମଦ ମାସି ଖାଁ, ପ୍ରଦୀପ ହରିଚନ୍ଦନଙ୍କୁ ନେଇ ଏକ ଟିମ ଗଠନ କରି ଭଂଜନଗର ନିକଟ ବେଣାକୁଣ୍ଡା ତୁଳସୀପଲ୍ଲୀ ଠାରେ ଥିବା ପ୍ରମୋଦର ଘରେ ଚଢ଼ଉ କରିଥିଲେ । ପ୍ରମୋଦ ଲୁଟିଥିବା ଟଙ୍କାରୁ ୨୫ ହଜାର ଟଙ୍କା ଦେଇ ଏକ ଟିଭିଏସ୍ ଏକ୍ସଏଲ୍ -୧୦୦ ତାଙ୍କ ବାପା ସନ୍ତୋଷ ରଣା(୫୨) କିଣିଥିଲା । ଏହାସହ ବଳକା ୧ଲକ୍ଷ ୫ହଜାର ଟଙ୍କାକୁ ପ୍ରମୋଦଙ୍କ ପତ୍ନୀ ସଂଧ୍ୟାରାଣୀ ମହାପାତ୍ର (୨୩) ନିଜର ଶାଢ଼ୀ ଭିତରେ ଲୁଚାଇ ରଖିଥିଲେ । ଲୁଟ କରିବା ଓ ଲୁଟ ସାମଗ୍ରୀ ଲୁଚାଇବା, ଅପରାଧୀକୁ ସୁରକ୍ଷା ଦେବା ଆଦି ଦଫାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିଲା । ଆଜି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିବା ଓ ଲୁଟ କରିଥିବା ଟାଟା ଏସି ଉଦ୍ଧାର କରାଯାଇଥିବା ନେଇ ଥାନା ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର