ଘର ଭାଙ୍ଗିଲା ଦନ୍ତା, କାନ୍ଥପଡ଼ି ୨ ଛେଳି ମୃତ

ଚମକପୁର : ଖାଦ୍ୟ ଅନ୍ବେଷଣରେ ଏକ ଗୋଠଛଡ଼ା ଦନ୍ତା ହାତୀ ଆଜି ଚମ୍ପୁଆ ରେଞ୍ଜ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଘର ଭାଙ୍ଗି ଧାନ ଚାଉଳ ଖାଇଛି। କାନ୍ଥପଡ଼ି ଦୁଇ ଛେଳିର ମୃତ୍ୟୁ ଘଟିଛି। ଖବର ପାଇବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳକୁ ଯାଇ ଏହାର ତଦନ୍ତ କରିଛନ୍ତି।

ବସିରା ଗ୍ରାମର ଗାଢା ସାହି ଲୋକେ ଖାଇପିଇ ଶୋଇଥିବା ବେଳେ ରାତି ପ୍ରାୟ ସାଢେ଼ ବାରଟା ବେଳେ ସ୍ଥାନୀୟ ପତଳା ଗାଁ ଜଙ୍ଗଲରୁ ଦନ୍ତାହାତୀଟି ଆସି ନନ୍ଦ କିଶୋର ମୁଣ୍ଡା, ପ୍ରିୟତମା ମୁଣ୍ଡା, ଯାତ୍ରା ମୁଣ୍ଡା, ଯଦୁମଣି ମୁଣ୍ଡା, ରାମ ମୁଣ୍ଡା ଓ ରଜିଆ ଗ୍ରାମର ଅସନବାହାଳୀ ସାହିର ଲାଗ ମୁଣ୍ଡାଙ୍କ ଘରକୁ ଭାଙ୍ଗି ଘରେ ସାଇତି ଥିବା ଧାନ ଚାଉଳକୁ ଖାଇବା ସହିତ ଆସବାବପତ୍ର ନଷ୍ଟ କରିଛି। ସେପଟେ କାନ୍ଥ ପଡ଼ି କୁକୁଡ଼ା ଓ ଦୁଇଟି ଛେଳିର ମୃତ୍ୟୁ ଘଟିଛି। ପ୍ରିୟତମା ମୁଣ୍ଡାଙ୍କ ହାତରେ ସାମାନ୍ୟ ଆଘାତ ଲାଗିଛି। ଆଜି ଏହି ଦନ୍ତାଟି ବସିରା ଗାଁ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବେଳେ ବନ ବିଭାଗ କଡ଼ା ନଜର ରଖିଛି।

ସମ୍ବନ୍ଧିତ ଖବର