କାମରେ ଆସୁନି କୋଟି କୋଟିର ୩ ପାର୍କିଂସ୍ଥଳ

ଡିଏମ୍‌ଏଫ୍‌ ପରି ବିନା ବିଚାରରେ ସ୍ମାର୍ଟସିଟି ପାଣ୍ଠିର ଅପବ୍ୟୟ

ରାଉରକେଲା : ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପରି ସ୍ମାର୍ଟସିଟି ପାଣ୍ଠିରୁ କିପରି କୋଟି କୋଟି ଟଙ୍କା ଅପବ୍ୟୟ କରାଯାଇଛି, ତା’ର ଏକ ଉଦାହରଣ ହେଉଛି ବିର୍ସା ମୁଣ୍ଡା ଫୁଟବଲ୍‌ ଷ୍ଟାଡିୟମ ପରିସରସ୍ଥ ବହୁତଳ ପାର୍କିଂସ୍ଥଳ ଗେଟ୍‌। ସେଥିରେ ଏବେ ତାଲା ଝୁଲୁଛି। ଉଦିତନଗର ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସମ୍ମୁଖ ପାର୍କିଂସ୍ଥଳ ଉଠାଦୋକାନୀଙ୍କ ଥଇଥାନସ୍ଥଳ ପାଲଟିଛି। ଅପରପାର୍ଶ୍ବରେ ଆର୍‌ଏମ୍‌ସିର କେତୋଟି ଗାଡ଼ି ରହୁଛି। ଏହି ପାର୍କିଂ ସ୍ଥଳ ନିର୍ମାଣରେ ପ୍ରାୟ ୧ କୋଟି ୫୦ ଲକ୍ଷ ଖର୍ଚ୍ଚ ହୋଇଥିଲା। ତେବେ ତିଆରି ହେବାପରେ ବ୍ୟବହାର ନହେବାରୁ ଆର୍‌ଏମ୍‌ସି ଏହାକୁ ଉଠାଦୋକାନୀଙ୍କ ଥଇଥାନସ୍ଥଳ କରିଦେଇଛି।

ଏହି ବହୁତଳ ପାର୍କିଂ ସ୍ଥଳକୁ ମୁଖ୍ୟମନ୍ତ୍ରୀ ନିକଟରେ ଉଦ୍‌ଘାଟନ କରିଥିଲେ। କିନ୍ତୁ ସେବେଠୁ ଏଠାରେ ଗୋଟିଏ ହେଲେ ଗାଡ଼ି ପାର୍କିଂ କରିନାହିଁ। ବିଭାଗୀୟ ଅଧିକାରୀ ଏ ବିଷୟରେ ନିରବତା ଅବଲମ୍ବନ କରୁଛନ୍ତି। ସହରର ପ୍ରମୁଖ ଛକ ନିକଟରେ ରହିଥିବା ପାର୍କିଂସ୍ଥଳକୁ କାହିଁକି ବ୍ୟବହାର କରାଯାଉ ନାହିଁ, ତାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ଓରାମପଡା ବିଏସ୍‌ଏନ୍‌ଏଲ୍‌ ଅଫିସ୍‌ ସମ୍ମୁଖ ପାର୍କିଂସ୍ଥଳ ପ୍ରାୟ ତିନି ବର୍ଷ ତଳେ ନିର୍ମାଣ ହୋଇଥିଲା। ରାଉରକେଲା ମୁଖ୍ୟ ବଜାରରେ ଟ୍ରାଫିକ୍‌ ସମସ୍ୟା ଏଡାଇବାକୁ ଦେଢ଼କୋଟି ଟଙ୍କାରେ ଏହା ନିର୍ମାଣ ହୋଇଥିଲା। ଏହାର ତିନି ପାର୍ଶ୍ବରେ ପାଚେରୀ ନିର୍ମାଣ ଓ ଗୋଟିଏ ପାର୍ଶ୍ବରେ ଜାଲି ରହିଛି। ଭିତରେ କେତେ ଲକ୍ଷ ଟଙ୍କା ବ୍ୟୟରେ ଦୁଇଟି ହାଇମାଷ୍ଟ ଲାଇଟ୍‌ ଓ ପାନୀୟର ଜଳ ସୁବିଧା ପାଇଁ ଷ୍ଟାଣ୍ଡପୋଷ୍ଟର ବ୍ୟବସ୍ଥା କରାଯାଇଛି। କିନ୍ତୁ ବିନା ବିଚାରରେ ଏହି ସ୍ଥାନକୁ ପାର୍କିଂ ସ୍ଥଳ ନିର୍ମାଣ ପାଇଁ ବଛା ଯାଇଛି, କାରଣ ତାହା ବଜାର ଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ରହିଛି। ଏତେ ଦୂରରେ ଯାନବାହନ ପାର୍କିଂ କରି ଲୋକେ ଚାଲି ଚାଲି ବଜାରକୁ ଆସିବେ, ତା’ର ଆଶା କମ୍। ତେଣୁ ତାହା ମଧ୍ୟ କାମରେ ଆସୁନାହିଁ। ଲୋକଙ୍କ ସୁବିଧା ପାଇଁ ନୁହେଁ, ପାଣ୍ଠି ଅପବ୍ୟୟ କରି ବିନିଯୋଗ ପ୍ରମାଣପତ୍ର (ୟୁସି)ଦେବାକୁ ଏଭଳି କରାଯାଇଛି ବୋଲି ଚର୍ଚ୍ଚା ହେଉଛି। ସେହି ସମାନସ୍ଥିତି ସିଭିଲଟାଉନସିପ୍‌ସ୍ଥ କାର୍‌ ସୋ’ରୁମ୍‌ ପାର୍ଶ୍ବ ପାର୍କିଂରେ। ସେଠାରେ ଅଳ୍ପ କେତୋଟି ଗାଡି ରହୁଥିବାବେଳେ ପାର୍କିଂସ୍ଥଳର ବଡ଼ଭାଗ ଜବରଦଖଲକୁ ଚାଲି ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।

ଉଲ୍ଲେଖନୀୟ ଯେ ରାଉରକେଲାରେ ଏବେ ଟ୍ରାଫିକ୍‌ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଗାଡ଼ି ରଖିବାକୁ ପାର୍କିଂ ସ୍ଥଳଟିଏ ନଥିବାରୁ ଯିଏ ଯେଉଁଠି ପାରୁଛି ଗାଡ଼ି ପାର୍କିଂ କରୁଛନ୍ତି। ଫଳରେ ଅଧିକାଂଶ ସମୟରେ ଘଣ୍ଟା ଘଣ୍ଟା ରାସ୍ତା ଜାମ ରହୁଛି। ଟ୍ରାଫିକ ନିୟନ୍ତ୍ରଣ କରିବାକୁ ପୁଲିସକୁ ନାକେଦମ୍‌ ହେବାକୁ ପଡୁଛି। ଦୁଇବର୍ଷ ତଳେ ଗାଡ଼ି ପାର୍କିଂ ପାଇଁ ସହରର କୋଏଲନଗର, ଉଦିତନଗର, ରାଉରକେଲା ମୁଖ୍ୟ ମାର୍ଗ, ସିଭିଲଟାଉନସିପ୍‌ ଏମିତି ୬ଟି ସ୍ଥାନ ଚିହ୍ନଟ କରାଯାଇଥିଲା। ପିପି ମୋଡ଼ରେ ପାର୍କିଂସ୍ଥଳ ନିର୍ମାଣ ପାଇଁ ୨ଥର ଆର୍‌ଏମ୍‌ସି ପକ୍ଷରୁ ଟେଣ୍ଡର କରାଯାଇଥିଲା। ତେବେ ଦେୟଯୁକ୍ତ ପାର୍କିଂ ସ୍ଥଳ ନିର୍ମାଣକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏଥିପାଇଁ ଟେଣ୍ଡର ପ୍ରକ୍ରିୟାରେ କେହି ଅଂଶଗ୍ରହଣ କରି ନଥିଲେ।

ସମ୍ବନ୍ଧିତ ଖବର