ପାଟଣେଶ୍ବରୀ ମନ୍ଦିର ବିକାଶ ଦାବିରେ ଧାରଣା

ବଲାଙ୍ଗୀର: ବଲାଙ୍ଗୀର ସହରସ୍ଥିତ ମା’ ପାଟଣେଶ୍ବରୀ ମନ୍ଦିର ବିକାଶ ଦାବି କରି ଶନିବାର ଦେବାଳୟ ସୁରକ୍ଷା କମିଟି ତରଫରୁ ମନ୍ଦିର ସମ୍ମୁଖରେ ନିରବ ଧାରଣା ଦିଆଯାଇଥିଲା। କମିଟିର ଅଭିଯୋଗ ଅନୁସାରେ, ବହୁ ଦିନ ହେଲା ବିଭିନ୍ନ ଦେବାଳୟ ବର୍ଷାପାଣିରେ ଉବୁଟୁବୁ ହୋଇ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଦାବି କଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ବାଧ୍ୟ ହୋଇ କମିଟି ସଦସ୍ୟମାନେ ଆଜି ଏହି ଧାରଣା ଦେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଉଦ୍ୟମ କରିଥିଲେ। ପ୍ରଶାସନ ଏହି ମନ୍ଦିରର ବିକାଶ ପାଇଁ ହେଉଥିବା ଦାବି ପୂରଣ ନକଲେ ଆଗାମୀ ଦିନରେ ଅଖଚକ ସହ ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ଅନଶନକାରୀମାନେ ଚେତାବନୀ ଦେଇଥିଲେ। ୫-ଟି ସଚିବ ବଲାଙ୍ଗୀର ଗସ୍ତରେ ଆସୁଥିବା ବେଳେ ପାଟଣେଶ୍ବରୀ ମନ୍ଦିରର ପୂର୍ଣ୍ଣାଙ୍ଗ ନିର୍ମାଣ ଓ ଡିପିଆର୍‌ ପଠାଇବା ପାଇଁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା। ଦେବୋତ୍ତର ବିଭାଗର ଅଧିକାରୀ ଆସି ଦେବାଳୟ ସୁରକ୍ଷା କମିଟିର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ଦେବା ପରେ ଧାରଣା ସ୍ଥଗିତ ରଖାଯାଇଥିଲା। ଏହି ଧାରଣାର ନାଗରିକ କମିଟିର ମନୋରଞ୍ଜନ ପୁରୋହିତ, ସୂଚନା ଅଧିକାର କର୍ମୀ ଶମ୍ଭୁ ପ୍ରସାଦ ଶତପଥୀ, ପ୍ରଗିତଶୀଳ ପଣ୍ତରା ଯୁବ ସମାଜ ସଭାପତି ରଘୁରାଜ ସିଂ ସେନାପତି, ଆଇନଜୀବୀ ସଂଜୟ ପଟେଲ, ଶିକ୍ଷାବିତ୍ ମଧୁସୂଦନ ନାଏକ, ସୁଦର୍ଶନ ସାହୁ, କର୍ତ୍ତବ୍ୟ ଫାଉଣ୍ଡେସନର କାହ୍ନା ଶତପଥୀ, ବଜରଂଗ ଦଳର ଅନ୍ତର୍ଯ୍ୟାମୀ କରନ, ପ୍ରେସ୍‌କ୍ଲବ୍‌ ସଭାପତି ଅରୁଣ ମିଶ୍ର, ସ୍ବାଭିମାନ ପରିବାର ସଭାପତି ରମ୍ୟରଂଜନ ସାହୁ, ଜୟକୃଷ୍ଣ ମିଶ୍ର, ସୁରେନ୍ଦ୍ର ମିଶ୍ର, ଦେବାଳୟ ସୁରକ୍ଷା କମିଟି ଆବାହକ ପ୍ରଶାନ୍ତ ମହାକୁର ସାମିଲଥିଲେ।

ସମ୍ବନ୍ଧିତ ଖବର