ରାଜରାସ୍ତାରେ ଗର୍ଜିଲେ ଚିଟ୍‌ଫଣ୍ଡ ଜମାକାରୀ: ଜିଲ୍ଲାପାଳ ଅଫିସ୍‌ ଆଗରେ ସତ୍ୟାଗ୍ରହ

ବଲାଙ୍ଗୀର: ବଲାଙ୍ଗୀର ରାଜରାସ୍ତାରେ ଆଜି କ୍ଷତିଗ୍ରସ୍ତ ଚିଟ୍‌ଫଣ୍ଡ ଜମାକରୀ ତାଙ୍କ ଅର୍ଥ ଫେରସ୍ତ ପାଇଁ ଗର୍ଜିଛନ୍ତି। କ୍ଷତିଗ୍ରସ୍ତ ଜମାକାରୀମାନେ ବହୁ ସମୟ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ରାସ୍ତା ଅବରୋଧ କରି ଗଣ ସତ୍ୟାଗ୍ରହ କରିଥିଲେ। ଜିଲ୍ଲାର ବିଭିନ୍ନ କମ୍ପାନି ସାଇ ପ୍ରସାଦ, ସାଇ ପ୍ରକାଶ, ପିଏସିଏଲ୍, ପିଆଇସିଏଲ୍, ମାଇକ୍ରୋ ଫାଇନାନ୍ସ, ଗୋଲଡେନ୍ ଲ୍ୟାଣ୍ତ, ଗ୍ରିନ୍ ରେ, ଫ୍ଲୋରିସ ଇଣ୍ତିଆ, ଆଇକୋର, ରୋଜଭ୍ୟାଲି, ସାରଦା, ସାହାରା, ଅର୍ଥତତ୍ତ୍ବ, ସିସୋର, କେଏମ୍‌ଜି ଲ୍ୟାଣ୍ତ ଡେଭ୍‌ଲପର୍ସ ସମେତ ଶତାଧିକ କମ୍ପାନିର କ୍ଷତିଗ୍ରସ୍ତ ଜମାକାରୀ ସାମିଲ ହୋଇଥିଲେ।

ଆର୍ଥିକ ସଂସ୍ଥାମାନଙ୍କ ଦ୍ବାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚର ରାଜ୍ୟ ସଭାପତି ଜୟନ୍ତ ଦାଶ, ସାଧାରଣ ସଂପାଦକ ମଧୁସୂଦନ ବିଶ୍ବାଳ, ରାଜ୍ୟ ଉପସଭାପତି ବିଭୁଦତ୍ତ ମିଶ୍ରଙ୍କ ନେତୃତ୍ବରେ ହଜାର ହଜାର ଜମାକାରୀ କୋଶଳ କଳାମଣ୍ତଳ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜମାକାରୀ ମିଳିତ ମ‌ଞ୍ଚ ପକ୍ଷରୁ ୨୦୧୨ରୁ ବିଭିନ୍ନ ତହସିଲ୍, ଜିଲ୍ଲା ସଦର ମହକୁମା ଏବଂ ରାଜ୍ୟ ରାଜଧାନୀରେ ଦାବି ଆନ୍ଦୋଳନ କରାଯାଉଥିଲେ ମଧ୍ୟ ସରକାର ଟଙ୍କା ଫେରସ୍ତର କେବଳ ପ୍ରତିଶ୍ରୁତି ଦେଇ ଫେରସ୍ତ କରୁନାହାନ୍ତି। ଲକ୍ଷ ଲକ୍ଷ ଜମାକାରୀ ସେମାନଙ୍କ ଜମାରାଶି ଫେରସ୍ତ ପାଇଁ ସରକାର ବସାଇଥିବା କମିସନଙ୍କ ନିକଟରେ ପ୍ରାୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ ସତ୍ୟପାଠ ଦାଖଲ କରିଥିଲେ।

କିନ୍ତୁ ସରକାର ସେହି କମିସନକୁ ବନ୍ଦ କରିବା ସହ ସତ୍ୟପାଠଗୁଡ଼ିକ ଯା‌ଞ୍ଚ ନକରି ଦୀର୍ଘ ୩ ବର୍ଷ ହେବ ପକେଇ ରଖିଥିବାରୁ ସେଗୁଡ଼ିକ ନ‌ଷ୍ଟ ହୋଇଗଲାଣି। ଓପିଡା ଆଇନ ଓ ବଡସ୍ ଆଇନ ଭିତ୍ତିରେ ଜମାକାରୀମାନେ ତାଙ୍କ ଜମାରାଶିର ପ୍ରମାଣପତ୍ର ସହ ଜିଲ୍ଲାପାଳଙ୍କଠାରେ କ୍ଲେମ୍ ଆବେଦନ କରିପାରିବେ। ତେଣୁ ଜମାକାରୀମାନେ କ୍ଲେମ୍ ଆବେଦନ ଫର୍ମରେ ଜମାକାରୀ ପ୍ରମାଣପତ୍ରର ନକଲ ସହ ଜିଲ୍ଲାପାଳଙ୍କଠାରେ ଦାଖଲ କରିଥିବା ଜଣାପଡ଼ିଛି। ଏହି ସତ୍ୟାଗ୍ରହରେ ଅନୁରାଧା ସୁବୁଦ୍ଧି, ବିଜୟ ପାଢ଼ୀ, ଲଳିତ ଦୀପ, ସୁଧାଂଶୁ ବେହେରା, ପୃଥ୍ବୀରାଜ ବାଗ, ମଦନମୋହନ ଡାଙ୍ଗ, ସୁରଥ ଧରୁଆ, ଯୋଗେନ୍ଦ୍ର ବୁଡ଼େକ, ବିପିନ୍ଦ୍ର ପୁଟେଲ୍, ଭାଗୀରଥି ସାହୁ, ସୁରେଶ ଗଡ଼ତିଆ, ରବିନାରାୟଣ ଭୋଇ, ସଂଜୀବ ପଣ୍ତା ପ୍ରମୁଖ ନେତୃତ୍ବ ନେଇଥିଲେ।

ସମ୍ବନ୍ଧିତ ଖବର