ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି : ୨ ବ୍ଲକ୍ କର୍ମଚାରୀ ଗିରଫ
ଆଳି : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗରେ ଆଜି ଆଳି ବ୍ଲକ୍ କାର୍ଯ୍ୟାଳୟର ୨ କର୍ମଚାରୀ ଗିରଫ ହୋଇଛନ୍ତି। ଆଳି ଥାନାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ଅନୁସାରେ, ଆଳି ବ୍ଲକ୍ ଅରେହିକଣା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳ ସମର୍ଥ ବର୍ମା ଗତ ସୋମବାର ନିଜେ ଅରେହିକଣା ଯାଇ ଆବାସ ଯୋଜନା ଦୁର୍ନୀତିର ତଦନ୍ତ କରିଥିଲେ। ଅରେହିକଣା ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ପୁଷ୍ପଲତା ତରାଇ ଆଦୌ ଗୃହ ନିର୍ମାଣ କରି ନ ଥିଲେ ମଧ୍ୟ ତାଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିର ଟଙ୍କା ଦିଆ ଯାଇଥିବା ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ନୂଆଗୃହ ନିର୍ମାଣ ନ ହୋଇଥିଲେ ମଧ୍ୟ ଜାଲିଆତି କରାଯାଇ ଏକ ପୁରୁଣା ଘରର ଫଟୋ ଉଠାଯାଇଥିଲା। ଏହି ଚଞ୍ଚକତା ଧରା ପଡ଼ିବା ପରେ ଅନିୟମିତତାରେ ସଂପୃକ୍ତ ଆଳି ବ୍ଲକ୍ କାର୍ଯ୍ୟାଳୟର କମ୍ପ୍ୟୁଟର ପ୍ରୋଗ୍ରାମର ହିମାଂଶୁ ଦାଶ ଓ ଅରେହିକଣା ପଞ୍ଚାୟତର ‘ଜିଓ ଟ୍ୟାଗିଂ ୟୁଥ୍’ ବିଶ୍ବରଞ୍ଜନ ରାଉତଙ୍କ ନାମରେ ଥାନାରେ ଏତଲା ଦେବାକୁ ଜିଲ୍ଲାପାଳ ଆଳି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆଧାରରେ ଆଳି ବିଡିଓ ଜୟନ୍ତ ପୃଷ୍ଟି ଗତକାଲି ଥାନାରେ ଏତଲା ଦେବା ପରେ ବିଳମ୍ବିତ ରାତିରେ ଏହି ୨ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା।