ଏୟାର୍‌ ହୋଷ୍ଟେସ୍‌ଙ୍କୁ ଅସଦାଚରଣ କଲେ ଅର୍ଜୁନ ରାମପାଲଙ୍କ ଭିଣୋଇ

ମୁମ୍ବାଇ: ଏକ ବେସରକାରୀ ଏୟାର ଲାଇନ୍‌ରେ କାର୍ଯ୍ୟ କରୁଥିବା ଜଣେ ଏୟାର୍‌ ହୋଷ୍ଟେସ୍‌ଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ମୁମ୍ବାଇ ପୁଲିସ୍‌ ବଲିଉଡ୍‌ ଷ୍ଟାର୍‌ ଅର୍ଜୁନ ରାମପାଲଙ୍କ ଭିଣୋଇ ଅମିତ୍‌ ଗିଲ୍‌ଙ୍କୁ ଗିରଫ କରିଛି। ଅମିତ ଏୟାର୍‌ ହୋଷ୍ଟେସ୍‌ଙ୍କ ସହ ଅସଦାଚରଣ କରିବା ସହ ତାଙ୍କ ପାନୀୟରେ ନିଶା ଦେଇ କିଛି ଅଶ୍ଳୀଳ ଫଟୋ ମଧ୍ୟ ଉଠାଇଥଲେ। ଉକ୍ତ ନଗ୍ନ ଫଟୋକୁ ସେ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କରିଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ଅମିତ ଗିଲ୍‌ ଆନନ୍ଦ ଭିଲ୍ଲାରେ ଥିବା ତାଙ୍କ ବାସଭବନକୁ ଏୟାର୍‌ ହୋଷ୍ଟେସ୍‌ଙ୍କୁ ଡକାଇଥିଲେ। ସେଠାରେ ତାଙ୍କୁ ନିଶା ମିଶା ପାନୀୟ ପିଇବାକୁ ଦେଇଥିଲେ। ଯୁବତୀ ଜଣକ ଚେତା ହରାଇବାରୁ ତାହାର ସୁଯୋଗ ନେଇ ଅମିତ ଯୁବତୀଙ୍କ ଦେହରୁ ପୋଷାକ ଖୋଲି କିଛି ଆପତ୍ତିଜନକ ଫଟୋ ଉଠାଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେହି ଫଟୋକୁ ସୋସିଆଲ୍‌ ମିଡିଆରେ ପୋଷ୍ଟ୍‍ କରି ଦେବା ପାଇଁ ଧମକ ଦେଇଥିଲେ।

ହସ୍ତଗତ ହୋଇଥିବା ସୂଚନା ମୁତାବକ ଏୟାର୍‌ ହୋଷ୍ଟେସ୍‌ ଜଣକ ଅମିତଙ୍କର ଜଣେ କ୍ଲାଇଣ୍ଟ୍‌। ସେ ଅମିତଙ୍କୁ ମୋଟା ଅଙ୍କର ଅର୍ଥ ପୈଠ କରିଥିଲେ। ମାତ୍ର ଅମିତ ତାହାକୁ ଫେରାଉ ନଥିଲେ। ସେ ବାରମ୍ବାର ଅର୍ଥ ମାଗିବାରୁ ଅମିତ ତାଙ୍କ ସହ ଏପରି କରିଛନ୍ତି।

ସମ୍ବନ୍ଧିତ ଖବର