ଫୋନରେ ମହିଳାଙ୍କ ସ୍ବରରେ କଥା ହୋଇ ୩୫୦ ଯୁବକଙ୍କଠାରୁ ଟଙ୍କା ହଡ଼ପ କରିସାରିଥିଲା ଅଭିଯୁକ୍ତ, ଏଭଳି ହେଲା ପର୍ଦ୍ଦାଫାଶ

ଚେନ୍ନାଇ: ମହିଳାଙ୍କ ସ୍ବରରେ କଥା ହେବା କଳାକୁ ଜଣେ ଯୁବକ ଯେଉଁଭଳି ଭାବରେ ଟଙ୍କା ଆୟ କରିବାରେ ବ୍ୟବହାର କରୁଥିଲେ, ତାହା ଏବେ ସମସ୍ତଙ୍କୁ ଚମକାଇ ଦେଇଛି। ପ୍ରାୟ ୩୫୦ଜଣ ଯୁବକଙ୍କୁ ନିଜ ମାୟାଜାଲରେ ଫସାଇ ସେମାନଙ୍କୁ ବ୍ଲାକମେଲ କରିବା ସହ ଟଙ୍କା ହଡ଼ପ କରୁଥିଲା ଅଭିଯୁକ୍ତ। ହେଲେ ଏବେ ତା’ର ସବୁ ଅପରାଧର ପର୍ଦ୍ଦାଫାଶ ହୋଇଛି। ରବିବାର ଅଭିଯୁକ୍ତ ଯୁବକକୁ ଗିରଫ କରିଛି ପୁଲିସ। ଅଭିଯୁକ୍ତର ନାଁ ବଲ୍ଲାଲ ରାଜକୁମାାର ରେଗାନ ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ୨୦୧୭ରୁ ଏଭଳି ଅପରାଧ କରି ଆସୁଥିବା ଜଣାପଡ଼ିଛି।

ପୁଲିସ ଦେଇଥିବା ସୂଚନା ମୁତାବକ, ଯେଉଁ ଯୁବକମାନେ ଲୋକାଣ୍ଟୋ ଆପ୍ ଡାଉନଲୋଡ୍ କରୁଥିଲେ, ସେମାନଙ୍କୁ ଟାର୍ଗେଟ କରୁଥିଲା ରାଜକୁମାର। କିନ୍ତୁ ପି.ଉଦୟରାଜ ନାମକ ଜଣେ ଯୁବକ ମାଇଲାପୋରେ ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଅଭିଯୁକ୍ତର କାରନାମା ପର୍ଦ୍ଦାଫାଶ ହୋଇଥିଲା। ପି. ଉଦୟରାଜ କରିଥିବା ଅଭିଯୋଗ ମୁତାବକ, ଫେବୃଆରୀ ୧୬ରେ ସେ ଅନଲାଇନରେ ଚାକିରି ଖୋଜୁଥିବା ବେଳେ ତାଙ୍କ ସ୍କ୍ରିନ୍ ଉପ‌ରେ ଏକ ପପ୍ ଅପ୍ ମେସେଜ୍ ଆସିଥିଲା। ମେସେଜରେ ଲୋକାଣ୍ଟୋ ଆପ୍ ଡାଉନଲୋଡ୍ କରିବା ନେଇ କୁହାଯାଇଥିବା ସହ ଏହି ଆପ୍ ସେକ୍ସୁଆଲ ସର୍ଭିସ୍ ଯୋଗାଇବ ବୋଲି ଲେଖାଯାଇଥିଲା। ଏହାକୁ ଦେଖି ପି. ଉଦୟରାଜ ଲୋକାଣ୍ଟୋ ଆପ୍ ଡାଉନଲୋଡ୍ କରିଥିଲେ।

Image result for cubercrime
CSO Online

ଆପ୍ ଡାଉନଲୋଡ୍ ପରେ ପି. ଉଦୟରାଜ କିଛି ସମୟ ଚାଟ୍ କରିବା ସହ ରାଜକୁମାର ତାଙ୍କ ପାଖକୁ ଫୋନ କରିଥିଲେ। ନିଜର ନାଁ ପ୍ରିୟା ବୋଲି ପରିଚୟ ଦେଇ ରାଜକୁମାର ପି. ଉଦୟରାଜଙ୍କ ସହ କଥା ହେବା ଆରମ୍ଭ କରିଥିଲେ। କଥା ହୋଇ ଫୋନ ରଖିବା ପରେ ତାଙ୍କ ପାଖକୁ ୧୦୦ଟଙ୍କା ପଠାଇବା ପାଇଁ ଏକ ମେସେଜ ଆସିଥିଲା। ଅନଲାଇନରେ ୧୦୦ଟଙ୍କା ଦେବା ପରେ ଜଣେ ମହିଳାଙ୍କ ନଗ୍ନ ଫଟୋ ପି. ଉଦୟରାଜଙ୍କ ଫୋନକୁ ଆସିଥିଲା। ଏହା ପରେ ନଗ୍ନ ଭିଡିଓ ପାଇଁ ପ୍ରିୟା ପି. ଉଦୟରାଜଙ୍କୁ ୧,୫୦୦ଟଙ୍କା ପଠାଇବାକୁ କହିଥିଲେ। ଏଭଳି ମେସେଜ ପାଇବା ପରେ ପି. ଉଦୟରାଜ ତୁରନ୍ତ ନମ୍ବର ବ୍ଲକ୍ କରିଥିଲେ। କିଛି ସମୟରେ ଅନ୍ୟ ଏକ ନମ୍ବରରୁ ତାଙ୍କୁ ଧମକପୂର୍ଣ୍ଣ ମେସେଜ ଆସିଥିଲା। ନଗ୍ନ ଫଟୋ ପଠାଇଥିବା ମହିଳା ତାଙ୍କ ବିରୋଧରେ ଯୌନ ଅସଦାଚରଣର ଅଭିଯୋଗ କରିବେ ବୋଲି ପଠା ଯାଇଥିବା ମେସେଜରେ ଲେଖାଯାଇଥିଲା।

ଏଭଳି ମେସେଜ ପାଇ ପି. ଉଦୟରାଜ ତୁରନ୍ତ ପୁଲିସରେ ଅଭିଯୋଗ କରିଥିଲେ। ଏହା ପରେ ମେସଜେ ଏବଂ କଲ୍ ଆସୁଥିବା ମୋବାଇଲ ନମ୍ବରକୁ ଟ୍ରାକ୍ କରି ପୁଲିସ ଅଭିଯୁକ୍ତ ରାଜକୁମାର ପାଖରେ ପହଞ୍ଚି ପାରିଥିଲା।

ସମ୍ବନ୍ଧିତ ଖବର