ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଲେ : ନଗଦ ୨ଲକ୍ଷ , ୮ଲକ୍ଷର ସୁନାଗହଣା ଲୁଟ୍

ବୋଲଗଡ଼ : ଗୁରୁବାର ବିଳମ୍ବିତ ରାତିରେ ବୋଲଗଡ଼ ଥାନା ଖଙ୍ଗୁରିଆ ପଞ୍ଚାୟତ ସଂପୁର ଗ୍ରାମ ଶିଖରପଡା ମୈାଜାରେ ରହୁଥିବା ବ୍ୟବସାୟୀ ଦାଶରଥି ବେହେରାଙ୍କ କବାଟ ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୨ଲକ୍ଷ ଟଙ୍କା ସହ ୮ ଲକ୍ଷ ଟଙ୍କାର ଗହଣା ଚୋରି କରି ନେଇଥିବା ବୋଲଗଡ଼ ଥାନାରେ ଅଭିଯୋଗ ହୋଇଛି। ବୋଲଗଡ଼ ଥାନାରେ ଏକ ମାମଲା ରୁଜୁ ସହ ଏସ୍‌ଆଇ ପବିତ୍ର ମୋହନ ପ୍ରଧାନ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି।

ପୁଲିସ ସୂଚନାନୁଯାୟୀ, ଗୁରୁବାର ରାତିରେ ଦାଶରଥୀଙ୍କ ପରିବାର ଭୋଜନ ସାରି ଶୋଇଥିଲେ। ବଡ଼ପୁଅ ସୋମନାଥ ଜଣେ ସମ୍ପର୍କୀୟଙ୍କ ବିବାହ ପାଇଁ ସସ୍ତ୍ରୀକ ବାହାରକୁ ଯାଇଥିଲେ। ଘରେ ଦାଶରଥୀ ସସ୍ତ୍ରୀକ ଗୋଟିଏ ବଖରାରେ ଶୋଇଥିବାବେଳେ ସୋମନାଥଙ୍କର ଦୁଇ ଝିଅ ତଳ ମହଲାରେ ଅନ୍ୟ ଏକ ବଖରାରେ ଶୋଇଥିଲେ। ଦାଶରଥୀଙ୍କ ସାନପୁଅ ଓ ବୋହୂ ଉପର ମହଲାରେ ଶୋଇଥିଲେ। ଦୁଇ ଝିଅ ଶୋଇଥିବା ଘରେ ସୁନା ଗହଣା ଓ ଟଙ୍କା ଥିଲା। ଲୁଟେରାମାନେ ବାଡ଼ିପଟ କବାଟ ଭାଙ୍ଗି ଦୁଇ ଝିଅ ଶୋଇଥିବା ଘରେ ପଶି ନଗଦ ୨ଲକ୍ଷ ଟଙ୍କା, ୩ଟି ସୁନାହାର(୯୦ଗ୍ରାମ), ୬ଟି ସୁନା ଚେନ (୭୨ଗ୍ରାମ), ୭ହଳ କାନର ଝରା ଓ ଫୁଲ(୩୦ଗ୍ରାମ), ୪ ହଳ ଶଙ୍ଖା (୫୦ଗ୍ରାମ), ୨୦ଟି ମୁଦି (୬୦ଗ୍ରାମ), ୭ଟି ମଥାଚିତା (୧୦ଗ୍ରାମ) ଏବଂ ୭ ହଳ ରୁପା ପାଉଁଜି (୨୮୦ଗ୍ରାମ) ସମେତ ଅନ୍ୟାନ୍ୟ ଦରକାରୀ କାଗଜାତ ଥିବା ଆଟାଚି ନେଇଯାଇଥିଲେ। ବାଡ଼ିପଟେ ସୁନା ଶଙ୍ଖାରୁ ସୁନା ବାହାର କରି ପଲା ଫୋପାଡ଼ିଦେବା ସହ କାଗଜପତ୍ର ଆଟାଚି ସହିତ ଫିଙ୍ଗି ଦେଇ ପଳାଇ ଯାଇଛନ୍ତି। ପରିବାର ଲୋକେ ସକାଳୁ ଉଠି ଦେଖିବା ପରେ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଥାଉ କି, ଦାଶରଥୀଙ୍କ ଦୁଇପୁଅ ନିକଟ ରାଜସୁନାଖଳା ବଜାରରେ ୨ଟି ଶୁଖୁଆ ଗୋଦାମ କରିଛନ୍ତି। ନିକଟରେ ବଜାରର ବ୍ୟବସାୟୀମାନେ ଭାଙ୍ଗିଥିବା ଜମାଟଙ୍କାକୁ ଉଠାଇ ଦୁଇ ଭାଇ ଘରେ ଆଣି ରଖିଥିଲେ।

ସମ୍ବନ୍ଧିତ ଖବର