ଗୋରୁ ଗାଡ଼ି ଜବତ, ଜଣେ ଅଟକ

ଭୁବନେଶ୍ୱର: ରାତିରେ ରାଜଧାନୀ ରାସ୍ତାରୁ ଗାଈ ଓ ଷଣ୍ଢଙ୍କୁ ଉଠାଇ ନେଉଥିବା ୩ ଯୁବକଙ୍କୁ ସ୍ଥାନୀୟ ଲୋକେ କାବୁ କରି ମାଡ଼ ମାରିଛନ୍ତି। ତେବେ ପୁଲିସ ସେମାନଙ୍କୁ କାବୁ କରିବା ବେଳେ ୨ ଜଣ କୌଶଳ କରି ଖସି ପଳାଇଛନ୍ତି। ଜଣକୁ ପୁଲିସ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ ପୁଲିସ ଏହି ଘଟଣାରେ ଏକ ଟାଟା ଏସ୍‌ ଜବତ ହୋଇଛି। ପୁଲିସ ଏସ୍‌ରେ ଥିବା ଷଣ୍ଢ ଓ ଗାଈଙ୍କୁ ଗଣ୍ଡମୁଣ୍ଡାସ୍ଥିତ ଗୋଶାଳାରେ ଛାଡ଼ିଛି।

ପୁଲିସ ସୂଚନା ଅନୁଯାୟୀ ୩ ଜଣ ଯୁବକ ନୂଆପଲ୍ଲୀ ୟୁନିଟ୍‌-୮ କଲ୍ୟାଣମଣ୍ଡପ ନିକଟରେ ଥିବା ଷଣ୍ଢଗୁଡ଼ିକୁ ଏକ ଟାଟା ଏସ୍‌ରେ ଭର୍ତି କରୁଥିଲେ। ଏହାଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ବିରୋଧ କରିଥିଲେ। ଫଳରେ ସ୍ଥାନୀୟ ଯୁବକ ଓ ଷଣ୍ଢ ଉଠାଉଥିବା ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଖବର ପାଇ ଅଧିକ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରି ନିର୍ଧୁମ ମାଡ଼ ମାରିବା ସହିତ ଟାଟା ଏସ୍‌କୁ ଜବତ କରିଥିଲେ। ଏ ନେଇ ସେମାନେ ନୂଆପଲ୍ଲୀ ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ସେମାନଙ୍କ ମଧ୍ୟରୁ ୨ଜଣ ଖସି ପଳାଇଥିଲେ। ପୁଲିସ ଜଣଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର