ପ୍ରେମିକାକୁ ମହଙ୍ଗା ଉପହାର ଦେବା ପାଇଁ ଡେଲିଭରି ବଏକୁ ଠକିଲେ ପ୍ରେମିକ, ୬୭ହଜାର ଟଙ୍କାର ଘଣ୍ଟା ନେଇ ଟଙ୍କା ଆଣିବାକୁ ଯାଇ ଫେରିଲେ ନାହିଁ

ନୂଆଦିଲ୍ଲୀ : ପ୍ରେମିକାକୁ ମହଙ୍ଗା ଉପହାର ଦେଇ ଖୁସ କରାଇବା ପାଇଁ ଦିଲ୍ଲୀର ୨୨ବର୍ଷିୟ ବୈଭବ ଖୁରାନା ନାମକ ଜଣେ ଯୁବକ କରିଥିବା ଅପରାଧ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରେମିକାକୁ ହାତ ଘଣ୍ଟା ଦେବା ପାଇଁ ଏକ ଅନ୍‌ଲାଇନ୍‌ ସାଇଟ୍‌ରୁ ବୈଭବ ଖୁରାନା ୬୭ହଜାର ଟଙ୍କାର ହାତ ଘଣ୍ଟା ମଗାଇଥିଲେ । କିନ୍ତୁ ତାଙ୍କ ପାଖରେ ଦେବା ପାଇଁ ସେତିକି ଟଙ୍କା ନଥିବାରୁ ସେ ଜିନିଷ ନେଇ ଆସିଥିବା ଡ଼େଲିଭରି ବଏକୁ ଟଙ୍କା ଦେଇ ନଥିଲେ । ପ୍ରଥମେ ଡ଼େଲିଭରି ବଏ କିଛି ଜାଣି ପାରି ନଥିବା ବେଳେ ପରେ ସବୁ ସତ ସାମ୍ନାକୁ ଆସିବାରୁ ସେ ପୁଲିସରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବୈଭବକୁ ଗିରଫ କରିଥିବା ଜଣାପଡ଼ିଛି ।

Vecteezy

ସୂଚନା ମୁତାବକ, ଜୁଲାଇ ୨୩ରେ ବୈଭବ ଅନ୍‌ଲାଇନ୍‌ ସାଇଟ୍‌ରୁ ଏକ ରାଡ଼ୋ ଘଣ୍ଟା ଅର୍ଡ଼ର କରିଥିଲେ । ଯାହାର ବଜାରର ମୂଲ୍ୟ ୯୦,୦୦୦ଥିବା ବେଳେ ଅନ୍‌ଲାଇନ୍‌ ସାଇଟ୍‌ରେ ଏହାର ମୂଲ୍ୟ ୬୭,୦୦୦ରହିଥିଲା । ମୂଲ୍ୟ କମ ଥିବା ଦେଖି ବୈଭବ ଘଣ୍ଟା ଅର୍ଡ଼ର କରିବା ସହ ଡ଼େଲିଭରି ପାଇଁ ନିଜର ଭୁଲ ଠିକଣା ଦେଇଥିଲେ । ଜିନିଷ ଆସିବା ପରେ ଡ଼େଲିଭରି ବଏ ବୈଭବଙ୍କୁ ଦିଆଯାଇଥିବା ନମ୍ବରରେ ସଂପର୍କ କରିଥିଲେ । କିନ୍ତୁ ବୈଭବ ତାଙ୍କୁ ଦିଆଯାଇଥିବା ଠିକଣାରେ ଦେଖା ନ କରି ଅନ୍ୟ ସ୍ଥାନକୁ ଡ଼ାକିଥିଲେ । ସେଠାରେ ଦୁଇ ଜଣ ଦେଖା ହେବା ପରେ ବୈଭବ ଡ଼େଲିଭରି ବଏଙ୍କୁ ଲିପ୍ଟ ମାଗିବା ସହ ସିଭିଲ୍‌ ଲାଇନ୍ସ ଆଡ଼କୁ ଯିବାକୁ କହିଥିଲେ । ସିଭିଲ୍‌ ଲାଇନ୍ସରେ ଥିବା ରାଜପୁର ରୋଡ୍‌ରେ ଗାଡ଼ି ରଖିବାକୁ କହି ବୈଭବ ଏକ ଘର ଭିତରକୁ ଟଙ୍କା ଆଣିବା ପାଇଁ ଚାଲି ଯାଇଥିଲେ। କିନ୍ତୁ ଆଉ ଫେରି ନଥିଲେ । ପରେ ଡ଼େଲିଭରି ବଏଙ୍କୁ ସବୁ ଜଣା ପଡ଼ିବା ପରେ ସେ ସିଭିଲ୍‌ ଲାଇନ୍ସରେ ଥିବା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ କଲ ରେକର୍ଡ଼ ଚେକ୍‌ କରିବା ପରେ ପ୍ରକୃତ ଅଭିଯୁକ୍ତ ପାଖରେ ପହଞ୍ଚି ପାରିଥିଲା ପୁଲିସ ।

ସମ୍ବନ୍ଧିତ ଖବର