ଗଙ୍ଗନଗରପଲ୍ଲୀରେ ଗଣ୍ଡଗୋଳ ଥମୁନି: ଥାନା ଆଗରେ ଧାରଣା, ୨ ଗିରଫ

ଖଣ୍ଡଗିରି: ଗତ ୩ ଦିନ ଧରି ଗଙ୍ଗନଗରପଲ୍ଲୀରେ ଲାଗି ରହିଥିବା ଗଣ୍ଡଗୋଳ ଥମିବା ନାଁ ଧରୁନି। ଏହି ମାମଲାରେ ବୁଧବାର ଖଣ୍ଡଗିରି ଥାନା ପୁଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସୁବ୍ରତ ସେନାପତି ଓ ସିଦ୍ଧାର୍ଥ ନାଏକ। ତଥାପି ଆଜି ସନ୍ଧ୍ୟାରେ ପୁଣି ଗଣ୍ଡଗୋଳ ଘଟିଛି। ଫେରାର୍‌ ଥିବା କିଛି ଅଭିଯୁକ୍ତଙ୍କ ସମର୍ଥନରେ କିଛି ଯୁବକ ସବିତା ଦାସ ନାମକ ଜଣେ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ତେଣୁ ଗଙ୍ଗନଗରପଲ୍ଲୀର ମହିଳାମାନେ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ସହ ତୁରନ୍ତ ଗଣ୍ଡଗୋଳକାରୀମାନଙ୍କୁ ଗିରଫ କରିବା ଦାବିରେ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ବୁଝାଶୁଝା କରିବା ପରେ ସେମାନେ ଧାରଣାରୁ ହଟିଥିଲେ। ଗତ ରବିବାର ସନ୍ଧ୍ୟାରେ ସୁବ୍ରତ ଓ ସିଦ୍ଧାର୍ଥଙ୍କ ସହ ଅନ୍ୟ କେତେଜଣ ଯୁବକ ମାରଣାସ୍ତ୍ର ଧରି ଗଙ୍ଗନଗରପଲ୍ଲୀରେ ପଶି ଗଣ୍ଡଗୋଳ କରିଥିଲେ। ସେମାନଙ୍କ ଆକ୍ରମଣରେ ସୁନୀଲ ମହାରଣା ନାମକ ଜଣେ ଯୁବକ ଆହତ ହୋଇଥିଲେ। ଶନିବାର ରାତିରେ ଗଙ୍ଗନଗରପଲ୍ଲୀର ବସନ୍ତ ସାହୁ କାର୍‌ ନେଇ ଘରକୁ ଫେରୁଥିବାବେଳେ କିଛି ଯୁବକଙ୍କ ଉପରେ ପାଣି ଛିଟିକା ପଡ଼ିବାରୁ ଏହି ଗଣ୍ଡଗୋଳ ହୋଇଥିଲା। ଘଟଣା ପରଠାରୁ ସାହିର ମୁରବୀମାନେ ଆପୋସ ବୁଝାମଣା ପାଇଁ କରୁଥିବା ଉଦ୍ୟମ ସଫଳ ହେଉନାହିଁ।

ସମ୍ବନ୍ଧିତ ଖବର