ଝଗଡ଼ା ଚାଲୁଥିବା ବେଳେ ସ୍ତ୍ରୀର କଥାକୁ ଅଣଦେଖା କରି ଗାଧୋଇବାକୁ ଚାଲିଗଲା ସ୍ୱାମୀ, ବାହାରକୁ ଆସିବା ପରେ ଗରମ ତେଲ ଫିଙ୍ଗି ଦେଲା ସ୍ତ୍ରୀ

ପୁଣେ : ପୁଣେର ଭବାନୀ ପିଠ ଅଞ୍ଚଳରେ ଜଣେ ସ୍ତ୍ରୀ କରିଥିବା କାମକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସ୍ୱାମୀ ସ୍ତ୍ରୀ କଥା ନ ଶୁଣି ଚାଲିଯିବାରୁ ସ୍ତ୍ରୀ ସ୍ୱାମୀ ଉପରକୁ ଗରମ ତେଲେ ଫିଙ୍ଗିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏହି ଘଟଣା ପରେ ପୀଡ଼ିତଙ୍କ ହାତ ଜଳି ଯାଇଥିବା ବେଳେ ଏ ନେଇ ପୀଡ଼ିତ ପୁଲିସ ଆଗରେ ନିଜ ସ୍ତ୍ରୀ ବିରୋଧରେ ଅଭିଯୋଗ କରିଥିବା ଜଣାପଡ଼ିଛି । ଘଟଣାଟି ଶନିବାର ଘଟିଥିବା ବେଳେ ତାହା ଏବେ ସାମ୍ନାକୁ ଆସିଛି ।

DNA India

ସୂଚନା ମୁତାବକ, ପୀଡ଼ିତ ଇମ୍ରାନ୍‌ ସଲିମ୍‌ ଶେଖ୍‌ ଏକ ଦୋକାନରେ କାମ କରୁଥିବା ବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଘରର ଆର୍ଥିକ ପରିସ୍ଥିତିକୁ ନେଇ ଝଗଡ଼ା ଲାଗି ରହିଥିଲା । ଶନିବାର ଇମ୍ରାନ୍‌ କାମ ସାରି ଘରକୁ ଫେରିବା ପରେ ତାଙ୍କ ପତ୍ନୀ ଷ୍ଟୋଭ୍‌ରେ ରୋଷେଇ କରୁଥିଲେ। ଇମ୍ରାନଙ୍କୁ ଦେଖି ସେ ଝଗଡ଼ା କରିବା ଆରମ୍ଭ କରିଥିଲେ । କିନ୍ତୁ ଇମ୍ରାନ୍‌ କିଛି ନ ଶୁଣି ଗାଧୋଇବାକୁ ଚାଲି ଯାଇଥିଲେ । ଏହା ଦେଖି ରାଗି ଯାଇ ତାଙ୍କ ପତ୍ନୀ ଗରମ ତେଲ ଆଣି ଇମ୍ରାନ ବାହାରିବା ପରେ ତାଙ୍କ ଉପରେ ଢ଼ାଳି ଦେଇଥିଲେ । ଇମ୍ରାନ୍‌ଙ୍କ ଚିତ୍କାର ଶୁଣି ପଡ଼ୋଶୀ ଆସି ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ପୁଲିସକୁ ଏ ନେଇ ସୂଚନା ଦିଆଯାଇଥିବା ଜାଣି ଅଭିଯୁକ୍ତ ପତ୍ନୀ ଘରୁ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ, ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର