କେନାଲ୍‌ ବନ୍ଧରେ ଦିବ୍ୟାଙ୍ଗଙ୍କୁ ଲୁଟିଲେ

ଚନ୍ଦ୍ରଶେଖରପୁର : ମଞ୍ଚେଶ୍ୱର କେନାଲ୍‌ ବନ୍ଧରେ ଆଜି ସଂଧ୍ୟାରେ ସନାତନ ବେହେରା ନାମକ ଜଣେ ଦିବ୍ୟାଙ୍ଗ ନିଜ ତିନି ଚକିଆ ଗାଡ଼ିରେ ବାରଙ୍ଗ ଆଡ଼େ ଯାଉଥିଲେ। ସେ କାଳିକ୍ଷମା ବ୍ରିଜ୍‌ ପାର୍‌ ହେଉଥିବା ବେଳେ ଦୁଇ ଜଣ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ଲୁଟେରାମାନେ ସନାତନଙ୍କ ଗାଡ଼ିରେ ଥିବା ଏକ ମୁଣିରୁ ୭୦୦ ଟଙ୍କା ନେଇ ଯାଇଥିଲେ। ସନାତନ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଗାଡ଼ିକୁ ଓଲଟାଇ ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଥିଲେ। ଏହି ସମୟରେ ସେହି ବାଟ ଦେଇ ସୁଶୀଲ୍‌ ଭୋଇ ଓ ବିଦ୍ୟାଧର ବାରିକ ନାମକ ଦୁଇ ଜଣ ଯୁବକ ସନାତନଙ୍କୁ ଖଣ୍ଡିଆ ଖାବରା ଅବସ୍ଥାରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା କରାଇଥିଲେ। ପରେ ସନାତନଙ୍କୁ ନିଜ କାର୍‌ରେ ତାଙ୍କ ଘର ତ୍ରିଶୁଳିଆରେ ଛାଡ଼ିଥିଲେ।

ମହିଳାଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପିନେଲା
ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଧୀନ ନୀଳାଦ୍ରିବିହାର ଅଞ୍ଚଳରୁ ଆଜି ଜଣେ ମହିଳାଙ୍କଠାରୁ ଲୁଟ୍‌ ହୋଇଛି। ମହିଳାଜଣଙ୍କ ଆଜି ସଂଧ୍ୟାରେ ଘରକୁ ଫେରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଭ୍ୟାନିଟି ବ୍ୟାଗ୍‌ ଝାମ୍ପି ନେଇ ଫେରାର୍‌ ହୋଇଯାଇଥିଲା। ଲୁଟ୍‌ର ଶିକାର ମହିଳାଜଣଙ୍କ ହେଲେ, ସଂଜୁ ପରିଜା। ସେ ସେହି ଅଞ୍ଚଳର ଜିଏ-୫ରେ ରହନ୍ତି। ସୂଚନା ମୁତାବକ, ମହିଳାଜଣଙ୍କ ଆଜି ସଂଜ ବେଳେ ନିଜର ଜଣେ ସମ୍ପର୍କୀୟାଙ୍କ ସହ ବଜାରରୁ ଫେରୁଥିଲେ। ଘର ସାମ୍ନା ରାସ୍ତା ପାର୍‌ ହେବା ବେଳେ ଏକ କଳା ରଙ୍ଗର ବାଇକ୍‌ରେ ଜଣେ ଲୁଟେରା ତାଙ୍କ ଭ୍ୟାନିଟି ବ୍ୟାଗ୍‌ଟିକୁ ଝାମ୍ପି ନେଇଥିଲା। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ଏହି ଅଞ୍ଚଳରୁ ଲଗାତାର ଚୋରି, ଛିନ୍‌ତାଇ ଭଳି ଘଟଣା ଘଟୁଛି।

ମୋବାଇଲ୍‌ ଲୁଟେରା ଗିରଫ
ଚନ୍ଦ୍ରଶେଖରପୁର : ଇନଫୋସିଟି ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କଠାରୁ ଦାମୀ ମୋବାଇଲ୍‌ ଝାମ୍ପି ନେଇ ଚମ୍ପଟ ମାରୁଥିବା ଜଣେ ଲୁଟେରାକୁ ଆଜି ଇନ୍‌ଫୋସିଟି ଥାନା ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଲୁଟେରାଜଣଙ୍କ ହେଲା, ରବୀନ୍ଦ୍ର ପ୍ରଧାନ। ଶିଖରଚଣ୍ଡୀ ନଗର ବସ୍ତିରେ ରହେବ। ଗତ କିଛିଦିନ ହେବ ସେ ୧୦ରୁ ଅଧିକ ଛାତ୍ରଛାତ୍ରୀଙ୍କଠାରୁ ଦାମୀ ମୋବାଇଲ୍‌ ଝାମ୍ପି ନେଇଥିବା ବେଳେ ଗତକାଲି ସନ୍ଧ୍ୟାରେ କିଟ୍‌ ଛକରେ ଜଣେ ଇଂଜିନିୟରିଂ ଛାତ୍ରୀଙ୍କ ହାତରୁ ମୋବାଇଲ୍‌ ଲୁଟ୍‌ କରିଥିଲା। ସେ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ସ୍ଥାନୀୟ ଲୋକେ ତାକୁ କାବୁ କରିଥିଲେ। ଖବର ପାଇ ଇନଫୋସିଟି ପୁଲିସ ଘଟଣାସ୍ଥଳରୁ ରବୀନ୍ଦ୍ରକୁ ଗିରଫ କରି ଥାନାକୁ ଆଣିଥିଲା। ତାକୁ ଜେରା କରିବା ପରେ ସେ ରହୁଥିବା ବସ୍ତିରୁ ପୁଲିସ ୪ଟି ଚୋରା ମୋବାଇଲ୍‌ ଜବତ କରିଥିଲା। ଏନେଇ ଥାନାରେ ନମ୍ବର ୫୫/୧୮ରେ ଏକ ମାମଲା ରୁଜୁ କରି ପୁଲିସ ତାକୁ କୋର୍ଟଚାଲାଣ କରିଛି।

ଦିବ୍ୟାଙ୍ଗଙ୍କୁ ବି ଛାଡ଼ିଲେନି, ସହାୟତାର ହାତ ବଢ଼ାଇଲେ ଯୁବକ
ଚନ୍ଦ୍ରଶେଖରପୁର : ଲୁଟେରାଙ୍କ ଦୌରାତ୍ମ୍ୟରୁ ଦିବ୍ୟାଙ୍ଗ ମଧ୍ୟ ବାଦ୍‌ ପଡ଼ିନାହାନ୍ତି। ମାନବିକତାକୁ ଜଳାଞ୍ଜଳି ଦେଇ ଲୁଟେରାମାନେ ଦିବ୍ୟାଙ୍ଗଙ୍କୁ ମଧ୍ୟ ଲୁଟ୍‌ କରିବାକୁ ପଛଉନାହାନ୍ତି। ଗତ ଦୁଇ ଦିନପୂର୍ବେ ରାମ ମନ୍ଦିର ନିକଟରେ ରାତିରେ ଆଶ୍ରୟ ନେଇଥିବା ବରଗଡ଼ ଜିଲାର ବିଦ୍ୟାଙ୍ଗ ଯୁବକ ସୁଜିତ୍‌ ମହାକୁଡ଼ଙ୍କୁ କିଛି ଦୁର୍ବୃତ୍ତ ମନ୍ଦିର ପରିସରରେ ବିଶ୍ରାମ ନେବାକୁ ନେଇ ବଟି ମାଗିଥିଲେ। ସେ ବଟି ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ତାଙ୍କ ବ୍ୟାଗ୍‌ ଓ ନିକଟରେ ଥିବା କିଛି ଟଙ୍କା ନେଇ ଯାଇଥିଲେ। ଫଳରେ ଗତ ଦୁଇ ଦିନ ହେବ ସୁଜିତ୍‌ ଘରକୁ ଯାଇ ପାରୁନଥିଲେ। ଏନେଇ ସେ ବିଭିନ୍ନ ଲୋକଙ୍କ ସହାୟତା ଲୋଡ଼ୁଥିବା ବେଳେ ଆଜି ଅଭିନେତା ଉଦୟନ୍‌ ତାଙ୍କ ଅବସ୍ଥା ଦେଖି ସାହାଯ୍ୟର ହାତ ବଢ଼ାଇଥିଲେ। ଉଦୟନ୍‌ଙ୍କ ମାନବିକତାପୂର୍ଣ୍ଣ କାର୍ଯ୍ୟ ଏକ ଉଦାହରଣ ପାଲଟିଛି। ଅନେକ ଲୋକ ମାନବିକତାକୁ ବଳି ପକାଉଥିବା ବେଳେ ଅଭିନେତା ଉଦୟନ୍‌ ଏକ ଏ ଦିଗରେ ବ୍ୟତିକ୍ରମ ସାଜିଛନ୍ତି। ସୁଜିତ୍‌ଙ୍କୁ ଘରକୁ ଯିବା ନେଇ ବସ୍‌ ଟିକେଟ୍‌ ଯୋଗାଇ ଦେବା ସହ ତାଙ୍କର ସବୁ ବନ୍ଦୋବସ୍ତ କରିଥିଲେ ଉଦୟନ୍‌।

ସମ୍ବନ୍ଧିତ ଖବର